ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଦଳ ବଦଳ ହୋଇଛି। ବିଜେପିରେ ଯୋଗ ଦେଇଛନ୍ତି ରାଜ୍ୟର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବି‌ଜେପିରେ ସାମିଲ ହୋଇଛନ୍ତି। ଗୁରୁବାର ସେମାନେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ସେମାନଙ୍କୁ ଦଳରେ ସାମିଲ କରାଇଥିଲେ।

ଭର୍ତ୍ତୃହରି ମହତାବ ଲଗାତାର ୬ଥର ବିଜେଡି ଟିକେଟରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଛନ୍ତି। ସେ ୧୯୯୮ରୁ ୨୦୧୯ ଯାଏଁ ହୋଇଥିବା ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତେବେ ମାର୍ଚ୍ଚ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

ସେହିପରି ଅଭିନେତା ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ ମସିହା ଲୋକସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା।  

ଅନ୍ୟପଟେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମୟୂରଭଞ୍ଜ ଜିଲ୍ଲାର ଜଣେ ବଡ଼ ଆଦିବାସୀ ଚେହେରା। ସେ ସାନ୍ତାଳୀ ଭାଷାର ଜଣେ ଗବେଷକ। ୨୦୨୦ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ୨୦୦୯ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏବେ ବିଜେପି ତାଙ୍କୁ ଦଳରେ ସାମିଲ କରିଛି।   

ଏହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂ ତୋମର ଯୋଗ ଦେଇଥିଲେ।

Tags: #BhartruhariMahtab #SidhantMohapatra #BJP #Politics #Odisha

Comment