ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ପାଇଁ ଦମ୍ ଦେଖାଇଛି କଂଗ୍ରେସ। ବରିଷ୍ଠ ନେତାଙ୍କୁ ଏକାଠି କରି ନିଜ ଦୁର୍ଗ ରକ୍ଷା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ।

  • ହେମାନନ୍ଦ ବିଶ୍ବାଳ ହେବେ ବିଜେପୁର ଲଢ଼େଇର ମୁରବୀ
  • ଦିଗ୍‌ଦର୍ଶନ ଦେବେ ନରସିଂହ ମିଶ୍ର
  • ପ୍ରଚାର କମିଟିର ମଙ୍ଗ ଧରିବେ ନବ ଦାସ
  • ତାରିଖ ଘୋଷଣା ପରେ ବିଜେପୁରରେ ଡେରା ପକାଇବେ ନେତା
ବିଜେପୁର ପାଇଁ ବିଜେପି-ବିଜେଡି ଗୋଟି ଚାଳନା କରିବା ପରେ ଆଜି ଦମ୍ ଦେଖାଇଛି କଂଗ୍ରେସ। କନ୍ଦଳକୁ ଭୁଲି କଂଗ୍ରେସ ଭବନରେ ଏକାଠି ହୋଇଥିଲେ ଦଳର ବରିଷ୍ଠ ନେତା। ବିଜେପୁର ବିଜୟ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି କଂଗ୍ରେସ। ବିଜେପି ଏବଂ ଶାସକ ବିଜେଡିକୁ ଟକ୍କର ଦେବା ଲାଗି କଂଗ୍ରେସ ଆଜି ଅଣ୍ଟା ଭିଡ଼ିଛି।
ବିଜେପୁର ଉପ-ନିର୍ବାଚନ ପାଇଁ ଆଜି କଂଗ୍ରେସ ଭବନରେ ବସିଥିଲା ବୈଠକ। ଅଧ୍ୟକ୍ଷତା କରିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ବୈଠକରେ ବିଜେପୁର ପାଇଁ ଅଙ୍କ କଷିଛି ଏହି ଜାତୀୟ ଦଳ। ୩ଟି ବ୍ଲକ ଏବଂ ଗୋଟିଏ ଏନଏସି ପାଇଁ ୪ ଜଣ ପୂର୍ବତନ ପିସିସି ସଭାପତିଙ୍କୁ ଦାୟିତ୍ବ ଦେଇଛି କଂଗ୍ରେସ। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କୁ ବିଜେପୁର ପାଇଁ ଦଳ ମୁରବୀ ଦାୟିତ୍ବ ଦେଇଛି। ଖାଲି ସେତିକି ନୁହେଁ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଦିଗ୍‌ଦର୍ଶନରେ ଦଳ ବିଜେପୁରରେ ଲଢ଼େଇ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ବିଧାୟକ ନବ ଦାସଙ୍କୁ ପ୍ରଚାର କମିଟିର ସଂଯୋଜକ କରାଯାଇଛି।
ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ନେତା ବିଜେପୁରରେ ଡେରା ପକାଇବେ ବୋଲି ସୂଚନା ମିଳିଛି।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଆମେ ମାଟି ପାଇଁ ଲଢ଼େଇ କରିବୁ। ବିଜେପି-ବିଜେଡିକୁ ଟକ୍କର ଦେଇ ବିଜେପୁର ଦଖଲ କରିବୁ। ଏହି ଉପ-ନିର୍ବାଚନ ପାଇଁ କଂଗ୍ରେସ କର୍ମୀ କହୁଛନ୍ତି ଟଙ୍କା ଖର୍ଚ୍ଚ କରିବେ। ଏଣୁ ଆମେ ପୂରା ଦମ୍‌ରେ ଲଢ଼େଇ କରିବୁ।”
ପ୍ରାୟ ମାସେ ହେଲା ବିଜେପୁରକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିଛି। ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ସାମିଲ୍ କରିବା ସହ ଦଳ ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। ଏପଟେ ବିଜେପୁର ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛି। ବିଜେପି ମଧ୍ୟ ବିଜେପୁର ପାଇଁ କମର କଷିଛି। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ସାମିଲ୍ କରି ବିଜେପି ବିଜେପୁର ଦଖଲ କରିବାକୁ ଉଦ୍ୟମ କରୁଛି। ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ବିଜେପୁର ପାଇଁ କୌଣସି ପଦକ୍ଷେପ ନେଇ ନଥିଲା। ବିଜେପୁର କଂଗ୍ରେସର ଗଡ଼ ହୋଇଥିଲେ ମଧ୍ୟ ଦଳ ଏଠାରେ ନିଷ୍କ୍ରିୟ ହୋଇଯାଇଥିଲା।
ଏବେ କଂଗ୍ରେସ ପୁଣି ଉଠିଛି। ବିଜେପୁରରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ନିଜ ଗଡ଼ ରକ୍ଷା କରିବାକୁ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛି। ବିଜେପି ଏବଂ ବିଜେଡିକୁ ଚାଲେଞ୍ଜ ଦେବାକୁ ଏହି ଦଳ ଆଜି ଦମ୍ ଦେଖାଇଛି।
ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “କଂଗ୍ରେସର ତୃଣ ନାହିଁ କି ମୂଳ ନାହିଁ। ଏଣୁ ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ। ବିଜେପି ବିଜେପୁରରେ ନିଶ୍ଚିତ ଜିତିବ।”

Comment