ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ଶାସକ ବିଜେଡି କରୁଛି ଗୋଟି ଚାଳନା। ୧୨୪୬ କୋଟିର ଜଳସେଚନ ପ୍ରକଳ୍ପ ଘୋଷଣା ପରେ ବିଜେପୁରକୁ ଏନ୍‌ଏସି ମାନ୍ୟତା ଦେବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଘୋଷଣା ହୋଇନି ନିର୍ବାଚନ ତାରିଖ। ହେଲେ ଶାସକ ବିଜେଡି ବିଜେପୁର ଦଖଲ ପାଇଁ ଅଭିଯାନ ଆରମ୍ଭ କରିଛି। ଗୋଟିଏ ପରେ ଗୋଟିଏ ଯୋଜନା ବିଜେପୁର ପାଇଁ ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଭୋଟରଙ୍କ ନିକଟତର ହେଉଛନ୍ତି। ବରଗଡ଼ ଜିଲ୍ଲାର ୩ଟି ବ୍ଲକ ପାଇଁ ୧୨୪୬ କୋଟି ଟଙ୍କାର ପ୍ୟାକେଜ ଘୋଷଣାକୁ ୧୫ ଦିନ ନପୂରୁଣୁ ବିଜେପୁରକୁ ଏନ୍‌ଏସି ମନ୍ୟତା ଦେବା ଲାଗି ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହାସହ ଖୁବଶୀଘ୍ର ବିଜେପୁରରେ ସବ୍‌ରେଜିଷ୍ଟ୍ରାର ଅଫିସ୍ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି।
ପ୍ରାୟ ମାସେ ହେଲା ବିଜେପୁରକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ରହିଛି। କେତେବେଳେ ବିଜେଡି ତ ଆଉ କେତେବେଳେ ବିଜେପି ବିଜେପୁର ଉପ-ନିର୍ବାଚନ ପାଇଁ ଦମ୍ ଦେଖାଇଛନ୍ତି। ଆଉ ଏହି ଦମ୍‌ ପ୍ରଦର୍ଶନ ଭିତରେ ବିଜେଡିର ଗୋଟି ଚାଳନା ସବୁଠୁ ଆଗରେ ରହିଛି।
ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ସାମିଲ୍ କରି ନବୀନ ପଟ୍ଟନାୟକ ଦୁଇ ବିରୋଧୀ ବିଜେପି ଏବଂ କଂଗ୍ରେସକୁ ଚକ୍‌ମା ଦେଖାଇଥିଲେ। ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ନବୀନ ତାଙ୍କ ରଣନୀତି ଆରମ୍ଭ କରିଥିଲେ। ଏହାପରେ ବରଗଡ଼ ଜିଲ୍ଲାର ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ନବୀନ ନିବାସ ଡାକି ବୁଝାଇବା ସହ ରୀତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଦେବା ପାଇଁ କହିଥିଲେ। ଆଉ ଏଥିରେ ନବୀନ ମଧ୍ୟ ସଫଳ ହୋଇଥିଲେ।
ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ରହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ତାଙ୍କ ଜଲଓ୍ବା ଦେଖାଇଥିଲେ। ଜନ୍ମଦିନ ପାଳନ ଅବସରରେ ୧୨୪୬ କୋଟି ଟଙ୍କାର ଭୂତଳ ଜଳସେଚନ ପ୍ରକଳ୍ପ ଘୋଷଣା କରି ନବୀନ ବିରୋଧୀଙ୍କ ଅକଲ ଗୁଡୁମ୍ କରିଦେଇଥିଲେ। ଏହାକୁ ବିରୋଧୀ ସମାଲୋଚନା କରିଥିଲେ ବି ଶାସକ ବିଜେଡି ପାଇଁ ଏହା କିଛି ଫରକ୍ ପଡ଼ି ନଥିଲା। ଶେଷରେ ନବୀନ ଆଉ ଦୁଇ ପାଦ ଆଗକୁ ଯାଇ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୋଗାଯୋଗକୁ ମଜଭୁତ କରିବା ପାଇଁ ପୋଲ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏହାକୁ ବିରୋଧୀ ସମାଲୋଚନା କରିଥିଲେ।
ଶେଷରେ ବିଜେପୁରକୁ ଏନ୍‌ଏସି ମାନ୍ୟତା ଦେବା ଲାଗି ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଥିଲେ। ବିଜେପୁରବାସୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଶୁଣିଛନ୍ତି। ଏନ୍‌ଏସି ମାନ୍ୟତା ଦେବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଜେପୁରବାସୀ ଖୁସି ମନାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

Comment