ଓଡ଼ିଶାଲାଇଭ୍‍ ବ୍ୟୁରୋ

ବାଲିପାଟଣା ବ୍ଲକ୍‌ର ବିଶ୍ୱନାଥପୁର ଗାଁରେ ଆୟୋଜିତ ହୋଇଯାଇଛି ଟୁମ୍ପୁଲୁ ଟୁମ୍ପା ୨୦୧୭। ଏଥିରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୩୦ଟି ସ୍କୁଲର ପ୍ରାୟ ୪୦୦ରୁ ଅଧିକ ପିଲା ଭାଗ ନେଇଥିଲେ। କୁନିକୁନି ପିଲାଙ୍କ ପାଇଁ ଏଥିରେ ପେନ୍ସିଲ୍ ଆର୍ଟ- ‘କୁନି ଚିତ୍ରକର’ ପକ୍ଷୀ ଫଟୋ ପ୍ରଦର୍ଶନୀ – ‘Know Your Birds’ ଓ ଷ୍ଟୋରି ଟେଲିଙ୍ଗ୍ ସେସନ୍- ‘କୁତୁକୁତିଆ’ର  ଆୟୋଜନ କରାଯାଇଥିଲା।

କୁନି ଚିତ୍ରକର-୨୦୧୭ରେ ପ୍ରାୟ ୩୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଶ୍ରେଷ୍ଠ କୁନି ଚିତ୍ରକର ପୁରସ୍କାର ଦିଆଯାଇଥିଲା। ଏଥିରେ ଲଳିତକଳା ଏକାଡେମୀର ସମ୍ପାଦକ ତାରାକାନ୍ତ ପରିଡ଼ା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଗତ ୭ ବର୍ଷ ହେଲା ସୌମ୍ୟ ମେମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଗରୁ ଏହାର ଆୟୋଜନ ଭୁବନେଶ୍ୱରରେ କରାଯାଉଥିବା ବେଳେ ଗତ ୨ ବର୍ଷ ହେଲା ଏହା ଗାଁ ପିଲାମାନଙ୍କ ମଧ୍ୟରେ ଆୟୋଜନ କରାଯାଉଛି।

କୁନି ଚିତ୍ରକର ପରେ ଚୁମ୍ପୁଲୁ ଟୁମ୍ପା ୨୦୧୭ରେ ପିଲାମାନଙ୍କ ପାଇଁ ଷ୍ଟୋରୀ ଟେଲିଙ୍ଗ୍ ସେସନ୍ର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସମ୍ପଦ ମହାପାତ୍ର କୁନିକୁନି ପିଲାମାନଙ୍କୁ ବିଜ୍ଞାନଭିତିକ ତଥା ସଚେତନତା ଧର୍ମୀ କାହାଣୀ ଶୁଣାଇଥିଲେ। ଏହି ଅବସରରେ ସୌମ୍ୟ ମେମୋରିଆଲ୍ ଟ୍ରଷ୍ଟ୍ର ପୂର୍ବତନ ଚେୟାରମ୍ୟାନ୍ ସ୍ୱର୍ଗତ କାହ୍ନୁଚରଣ ପରିଡ଼ାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା। ସ୍ମରଣିକା ‘ବାପା’ ଉନ୍ମୋଚନ ହୋଇଥିଲା ।

ଶିଶୁ ସାହିତ୍ୟିକ ତଥା ଶିଶୁ ପତ୍ରିକା ଟୁଉକୁମୁଷିର ସମ୍ପାଦକ ବିରେନ୍ଦ୍ର ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ଦାଶ, ଚିତ୍ରକଳା ସାଧକ ବେଣୁ ପ୍ରତିହାରୀ, ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ପ୍ରମୋଦ ଧଳ, ସିନେ ସମୀକ୍ଷକ ଦିଲ୍ଲୀପ୍ ହାଲି, ସମାଜସେବୀ ସମ୍ପଦ ମହାପାତ୍ର, ଲଳିତକଳା ଏକାଡେମୀ ସମ୍ପାଦକ ତାରାକାନ୍ତ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଜନବିଦ୍ୟା ମନ୍ଦିର ହାଇସ୍କୁଲର ଦଶମ ଶ୍ରେଣୀରେ ସବୁଠୁ ଅଧିକ ନମ୍ବର ରଖିଥିବା  ଛାତ୍ର ରଶ୍ମୀ ରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।

ପକ୍ଷୀ ଫଟୋ ପ୍ରଦର୍ଶନୀ – ‘Know Your Birds’ରେ ପିଲାମାନେ ଓଡ଼ିଶାରେ ଦେଖାଯାଉଥିବା ବିଭିନ୍ନ ପକ୍ଷୀର ଫଟୋ ଦେଖଥିଲେ। ସୌମ୍ୟ ମେମୋରିଆଲ୍ ଟ୍ରଷ୍ଟ୍, ଲକ୍ଷ୍ମଣ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ୍, ବକୁଳ ଫାଉଣ୍ଡେସନ୍ ଓ ଏନିଗମାଟିକ୍‍ ଇଣ୍ଡିଆ ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶେଷରେ ଆମ୍ବ, ପଣସ, ଜାମ୍ମୁ, ଅଁଳା ଚାରା ବଂଟନ କରାଯାଇଥିଲା।

Comment