ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଶେଷ ସେମିଷ୍ଟାର ପରୀକ୍ଷା ଆସନ୍ତା ସେପ୍ଟେମ୍ବର ଶେଷ ସପ୍ତାହରେ ହୋଇପାରେ। ଅଫଲାଇନ୍, ଅନଲାଇନ୍ କିମ୍ବା ଉଭୟ ଅଫଲାଇନ୍ ଓ ଅନଲାଇନ୍ ସାହାଯ୍ୟରେ ଏହି ପରୀକ୍ଷା ହେବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖି କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଜଣାଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ଶେଷ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ମାସରୁ ଅଟକି ରହିଛି। ତେଣୁ ଏହି ପରୀକ୍ଷାକୁ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରିବାକୁ କୁହାଯାଇଛି। ଏଥିସହ ଏହି ପରୀକ୍ଷାରେ ଯେଭଳି ଭାବେ କରୋନା ଗାଇଡଲାଇନ୍ ପାଳନ କରାଯିବ ସେନେଇ ମଧ୍ୟ ୟୁଜିସି ପକ୍ଷରୁ ନୂଆ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଯେଉଁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଅସମ୍ପୂର୍ଣ୍ଣ ରହିଛି ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି କାରଣରୁ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନପାରନ୍ତି ତେବେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ। ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ବୋଲି କୁହାଯାଇଛି।

ତେବେ ଏହା ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଶ୍ୱବିଦ୍ୟାଳୟର ଶେଷ ସେମିଷ୍ଟାର ପରୀକ୍ଷାକୁ ବାତିଲ୍ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଆସିବା ପରେ ଶେଷ ସେମିଷ୍ଟାର ପରୀକ୍ଷା ରାଜ୍ୟରେ ହେବ କି ନାହିଁ ତାକୁ ନେଇ ଛାତ୍ରଛାତ୍ରୀମାନେ ଆଶଙ୍କାରେ ରହିଛନ୍ତି।

Comment