(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଦିନକୁ ଦିନ ଜଟିଳ ହେଉଛି ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ବିରୋଧୀ ବିଜେପି ବୃନ୍ଦାଙ୍କୁ ଅସ୍ତ୍ର କରି ଶାସକ ବିଜେଡିକୁ ନିଶାନା ବନାଇଥିବା ବେଳେ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିଜେପିକୁ ଟାର୍ଗଟେ କରିଛନ୍ତି। ବୃନ୍ଦାଙ୍କ ଆତ୍ମହତ୍ୟା ପଛରେ ବିଜେପି କର୍ମୀଙ୍କ ହାତ ରହିଛି କହିବା ପରେ ଏହି ଘଟଣା ନେଇଛି ଭିନ୍ନ ମୋଡ଼।

ଚାଷୀ ବୃନ୍ଦା ସାହୁ ଜୀବନ ହାରିବା ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବୃନ୍ଦାଙ୍କୁ ନେଇ ରାଜ୍ୟ ରାଜନୀତିର ମାହୋଲ ଜମୁଛି। ବିଜେପି-କଂଗ୍ରେସ ବୃନ୍ଦାଙ୍କୁ ଅସ୍ତ୍ର କରି ଶାସକ ବିଜେଡିକୁ ଟାର୍ଗଟେ କରୁଥିବା ବେଳେ ଆଜି ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଛନ୍ତି ବିବାଦୀୟ ବୟାନ୍। ଚାଷୀ ବୃନ୍ଦାଙ୍କୁ ଆତ୍ମହତ୍ୟା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର କର୍ମୀକମାନେ ଉସ୍‌କାଇଥିଲେ ବୋଲି ଶ୍ରୀ ସିଂ କହିବା ପରେ ପୁଣି ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି।

ସୁଶାନ୍ତ ସିଂ କହିଛନ୍ତି, “ମୋ ପାଖରେ ଗୋଟିଏ ଭିଡିଓ ଅଛି, ଯେଉଁଥିରେ ରାଜନୀତିକ ଦଳର କିଛି କର୍ମୀ ବୃନ୍ଦା ସାହୁଙ୍କୁ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେବା ଲାଗି ଉସ୍‌କାଇଥିଲେ। ଏହି ଭିଡିଓରେ ଥିବା କର୍ମୀମାନଙ୍କୁ ମୁଁ ଚିହ୍ନିପାରିବି।”

ଶ୍ରମମନ୍ତ୍ରୀଙ୍କ ଏହି ବୟାନକୁ ବିଜେପି ଖଣ୍ଡନ କରିଛି। ଏହି ମନ୍ତବ୍ୟ ଭିତ୍ତିହୀନ ବୋଲି ବିଜେପି କହିଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବିଜେଡି ଭିତ୍ତିହୀନ ଏବଂ ଅମୂଳକ ଅଭିଯୋଗ ଆଣିଛି। ବିଜେପିର ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ବିଜେଡି ଷଡଯନ୍ତ୍ର କରୁଛି। ଏଥିରେ କୌଣସି ସତ୍ୟତା ନାହିଁ।”

୧୭ ବର୍ଷ ଭିତରେ ରାଜ୍ୟରେ ଯେଉଁ ୪ ହଜାରରୁ ଊର୍ଦ୍ଧ୍ବ ଚାଷୀ ଆତ୍ମହତ୍ୟା କରିଛନ୍ତି ଏହା ପଛରେ କ’ଣ ବିଜେପିର ହାତ ଅଛି କି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି।

ଚକଡା ପୋକ ଦାଉ ସହି ନପାରି ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଅକ୍ଟୋବର ୩୧ରେ ତାଙ୍କ ଫସଲରେ ନିଆଁ ଲଗାଇ ଦେଇଥିଲେ। ଏହାସହ ନଭେମ୍ବର ୧ରେ ସେ ଜୀବନ ହାରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। କଳାପାଣିା ଗାଁକୁ ନେତାଙ୍କ ସୁଅ ଛୁଟୁଛି।

 

Comment