(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ନୋଟ୍‌ବନ୍ଦୀର ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି ମୋଦି ସରକାର। ଏହାକୁ ସଫଳ ନୀତି ବୋଲି ଦାବି କରୁଛି ବିଜେପି। ବିଜେପି ଦେଶ ତମାମ୍‌ କଳାଧନ ବିରୋଧୀ ଦିବସ ପାଳନ କରୁଥିବା ବେଳେ ହେଲେ କଂଗ୍ରେସ ସମେତ ୮ ବିରୋଧୀ ଦଳ ଏକାଠି ହୋଇ କଳା ଦିବସ ପାଳନ କରୁଛନ୍ତି।

ନୋଟ୍‌ବନ୍ଦୀକୁ ପୂରିଲା ବର୍ଷେ। ଗତବର୍ଷ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ବଡ଼ ନୋଟ୍‌ ଉପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଫଳରେ ୫୦୦ ଓ ୧ ହଜାର ଟଙ୍କା ହୋଇଯାଇଥିଲା ଅଚଳ। ଏହି ବିମୁଦ୍ରୀକରଣ ନୀତି ଦେଶରେ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀମାନେ କହୁଛନ୍ତି। ଏହାକୁନେଇ ବିଜେପି ଦେଶ ତମାମ୍‌ ‘କଳାଧନ ବିରୋଧୀ ଦିବସ’ ପାଳନ କରିବାକୁ ଯାଉଛି। ହେଲେ କେନ୍ଦ୍ର ସରକାରଙ୍କୁ ନୋଟବନ୍ଦୀ ବର୍ଷ ପୂର୍ତ୍ତିକୁ ଫିକା କରିବା ଲାଗି ୮ଟି ବିରୋଧୀ ଦଳ ହାତ ମିଳାଇଛନ୍ତି।

କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ନେତୃତ୍ବରେ ଅନ୍ୟ ଦଳ ଏକାଠି ହୋଇ କଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପଟେ ଆମ୍‌ ଆଦମୀ ପାର୍ଟି ମଧ୍ୟ ଦେଶ ତମାମ୍‌ ବିମୁଦ୍ରୀକରଣକୁ ବିରୋଧ କରିବ ବୋଲି କହିଛି।

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, “ନୋଟବନ୍ଦୀ ହେଉଛି ଏକ ଅଭୁତପୂର୍ବ ଘଟଣା। ଅର୍ଥ ବ୍ୟବସ୍ଥାର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିଲେ। ପୂର୍ବର କଂଗ୍ରେସ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲା। ନୋଟବନ୍ଦୀ ହେବା ଫଳରେ କେବଳ ଭ୍ରଷ୍ଟାଚାର ବନ୍ଦ ହେବ ତାହା ନୁହେଁ, ଆତଙ୍କବାଦୀଙ୍କୁ ମିଳୁଥିବା ପ୍ରୋତ୍ସାହନରେ ବି ରୋକ୍‌ ଲାଗିଛି।”

ଏହି ଅବସରରେ ଜେଟଲୀ କଂଗ୍ରେସ ଉପରେ ବର୍ଷିଛନ୍ତି। କହିଛନ୍ତି, କଂଗ୍ରେସର ଉଦ୍ଦେଶ୍ୟ କେବଳ ପରିବାର ସେବା ହୋଇଥିବା ବେଳେ ଆମର ଉଦ୍ଦେଶ୍ୟ ହେଉଛି ଦେଶ ସେବା।

ବିମୁଦ୍ରୀକରଣ ବର୍ଷ ପୂର୍ତ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ। ଗୁଜୁରାଟ ଗସ୍ତ ଅବସରେ ଶ୍ରୀ ସିଂ ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଛନ୍ତି। ନୋଟବନ୍ଦୀକୁ ମନମୋହନ ସଙ୍ଗଠିତ ଲୁଟ୍‌ ବୋଲି କହିଛନ୍ତି।

ଡକ୍ଟର ମନମୋହନ ସିଂ କହିଛନ୍ତି, “ଭାରତର ଗଣତନ୍ତ୍ର ଏବଂ ଅର୍ଥ ବ୍ୟବସ୍ଥା ପାଇଁ ନଭେମ୍ବର ୮ ଥିଲା କଳା ଦିନ। ଦେଶର ଜନତାଙ୍କ ଉପରେ ବିନାଶକାରୀ ନୀତି ଜୋର ଜବରଦସ୍ତ ଲଦି ଦିଆଯାଇଥିଲା। ଏହାର ବର୍ଷ ପୂର୍ତ୍ତି ପାଳନ କରାଯାଉଛି।”

ପୂର୍ବତନ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ନୋଟବନ୍ଦୀ ଏବଂ ଜିଏସ୍‌ଟି ଦେଶ ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଇଛି। କ୍ଷୁଦ୍ର ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଜିଏସ୍‌ଟି।

Comment