ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗନ୍ନାଥ ମୟ ହୋଇ ଯାଇଥିଲା ଭୁବନେଶ୍ବରର ଜ଼ୟଦେବ ଭବନ ପ୍ରେକ୍ଷାଳୟ। ଏକ ଭକ୍ତି ଭାବମୟର ନିଆରା ପରିବେଶ ସୃଷ୍ଟି ହୋଇଥିଲା ମଙ୍ଗଳବାର ସନ୍ଧ୍ୟାରେ। ଅବସର ଥିଲା ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘ହେ ଚକାନୟନ’।

ଜୟଦେବ ଭବନ ବାହାରେ ଲଗୁଚାପ ପ୍ରଭାବରେ ଝିପ୍‌ଝିପ୍‌ ବର୍ଷା ହେଉଥିବା ବେଳେ ପ୍ରେକ୍ଷାଳୟ ଭିତରେ ଉପସ୍ଥିତ ଦର୍ଶକ ଜଗନ୍ନାଥଙ୍କ ଭଜନରେ ଭିଜିଥିଲେ।

ଶାନ୍ତିଲତା ବାରିକଙ୍କ ସମେତ ଆଗଧାଡ଼ିର କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ, ଦିବାକର ମହାନ୍ତି, ମନ୍ମଥ ମିଶ୍ର, ବିଜୟ କୁମାର ଜେନା, ସଙ୍ଗୀତା ଗୋସାଇଁ, ରବିନ୍ଦ୍ର ମହାପାତ୍ର, ଇପ୍‌ସିତା ପଣ୍ଡା, ହରପ୍ରୀୟା ସ୍ବାଇଁ, ଲତା ଘୋଷ, ଦେବୀପ୍ରଭା ପ୍ରମୁଖ ଶାନ୍ତିଲତା ବାରିକ ଗାଇଥିବା ଭଜନ ପରିବେଷଣ କରି ଉପସ୍ଥିତ ଶ୍ରେତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶାନ୍ତିଲାତା ବାରିକଙ୍କ ଲୋକପ୍ରିୟ ଭଜନ ‘ହେ ଚକାନୟନ…, ରଙ୍ଗମାଟିଲୋ…, ବାଲିରେଣୁ ମହାବନ୍ଧ ସୁଜନେ…, ମନରେ ହରିଭଜନ…, ମନକୁ କରିଛି ଗୋପପୁର… ଭଳି ମନଛୁଆଁ ଭଜନରେ ଦର୍ଶକ ବିଭୋର ହୋଇଥିଲେ।

ପ୍ରତିବର୍ଷ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତିଲାତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ‘ହେ ଚକାନୟନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଉଦ୍‌ଘାଟନ କରିଥିଲେ। ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ, ଟ୍ରଷ୍ଟ ଅଧ୍ୟକ୍ଷ ବ୍ରଜ କିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଦିବାକର ମହାନ୍ତି ଏବଂ ଗୀତିକାର ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ।

ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି, “ଜଗନ୍ନାଥଙ୍କ ଭଜନ ଗାଇ ଓଡ଼ିଶାର ଘରେଘରେ ପରିଚୟ ହାସଲ କରିଛନ୍ତି ଲୋକପ୍ରିୟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ। ସେ ଗାଇଥିବା ଅନେକ ଭଜନ ବିଗତଦିନରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଡିଜିଟାଲ ମାଧ୍ୟମରେ ପ୍ରସାରଣ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥିବା ସମସ୍ତ ଗୀତ ମଧ୍ୟ ଓଡ଼ିଶାଲାଇଭ୍‌ରେ ଉପଲବ୍ଧ ରହିବ।”

ଓଡ଼ିଶାଲାଇଭ୍‌ ୟୁ ଟ୍ୟୁବ୍‌ ଚ୍ୟାନେଲ (www.youtube.com/odishalive) ନ୍ୟୁଜ୍‌ ପୋର୍ଟାଲ (www.odisha.live)ରେ ‘ହେ ଚକାନୟନ’ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ ଚାଲିଛି।

 

Comment