ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଆ ଭକ୍ତି ସଙ୍ଗୀତର ବିଶିଷ୍ଟ କଣ୍ଠଶିଳ୍ପୀ ସ୍ଵର୍ଗତ ଅରବିନ୍ଦ ମୁଦୁଲିଙ୍କ ୬୧ତମ ଜନ୍ମତିଥି
  • ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜିତ
  • ଓଡ଼ିଆ ଭଜନ ପ୍ରତି ଅରବିନ୍ଦ ମୁଦୁଲିଙ୍କ ଅବଦାନର ସ୍ମୃତିଚାରଣ

ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ସ୍ଵର୍ଗତ ଅରବିନ୍ଦ ମୁଦୁଲିଙ୍କୁ ତାଙ୍କର ୬୧ ତମ ଜନ୍ମତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସୋମବାର ଦିନ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ଆୟୋଜିତ ହୋଇଯାଇଛି ‘ସ୍ୱରାରବିନ୍ଦ ଉତ୍ସବ’। ଡିଜିଟାଲ ପ୍ଲାଟଫର୍ମ ଜୁମରେ ଏହି କାର୍ଯ୍ୟକ୍ରମକୁ ଅନଲାଇନ ମାଧ୍ୟମରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଅରବିନ୍ଦ ମୁଦୁଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କର ସ୍ମୃତିଚାରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭିଏତନାମର ହୋ ଚି ମିନ୍ ସିଟିରେ ଅବସ୍ଥାପିତ ଭାରତୀୟ ବାଣିଜ୍ୟିକ ଦୂତ ଡକ୍ଟର ମଦନ ମୋହନ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ଭଜନ ଜଗତକୁ ଅରବିନ୍ଦ ମୁଦୁଲିଙ୍କ ଅବଦାନ ବିଷୟରେ ସେ ମନେ ପକାଇଥିଲେ।

“ଓଡ଼ିଆ ଭଜନ ଜଗତରେ ଅରବିନ୍ଦ ମୁଦୁଲିଙ୍କ କୀର୍ତ୍ତି ଅତୁଳନୀୟ। ତାଙ୍କର ଗାୟନ ଶୈଳୀ ଖୁବ ଭାବଗର୍ଭକ ଏବଂ ମର୍ମସ୍ପର୍ଶୀ। ତାଙ୍କର ଗୀତଗୁଡ଼ିକ ଓଡ଼ିଆ ଭଜନକୁ ଏକ ନୂଆ ଦିଗ ଦେଇଥିଲା। ତାଙ୍କର ଅମର ଆତ୍ମା ପ୍ରତି ମୁଁ  ଶ୍ରଦ୍ଧାଞ୍ଜଳି ଜଣାଉଛି”, କହିଛନ୍ତି ଡକ୍ଟର ମଦନ ମୋହନ ସେଠୀ।

ସେହିପରି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅରବିନ୍ଦ ମୁଦୁଲିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାସହ ଓଡ଼ିଶାର ଉତ୍କୃଷ୍ଟ କଳା ଓ ଜଗନ୍ନାଥ ସଂସ୍କୃତିକୁ ସରା ପୃଥିବୀରେ ପ୍ରଚାର ଓ ପ୍ରସାର କରିବାରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ଵଶାନ୍ତି ଭଜନ ସନ୍ଧ୍ୟାର କଳାକାରମାନଙ୍କ ଦ୍ଵାରା ଅରବିନ୍ଦ ମୁଦୁଲିଙ୍କ ଲୋକପ୍ରିୟ ଭଜନଗୁଡ଼ିକୁ ପରିବେଷଣ କରାଯାଇଥିଲା। ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ ଭଜନରେ ସବୁ ଶ୍ରୋତା ବାନ୍ଧିହୋଇ ରହିଥିଲେ। ଶେଷରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନର ସମ୍ପାଦକ ଜଗବନ୍ଧୁ ମୁଦୁଲି ଓ କୋଷାଧ୍ୟକ୍ଷ କୃପାସିନ୍ଧୁ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର କାନବେରାସ୍ଥିତ ହିନ୍ଦୁ ମନ୍ଦିରର ସମ୍ପାଦକ ତଥା ଲିଭିଂବ୍ଲିସର ପ୍ରତିଷ୍ଠାତା ତରୁଣ ଅଗସ୍ତି, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ, ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟିର ଅଧ୍ୟକ୍ଷ ଡକ୍ଟର ସହଦେବ ସ୍ଵାଇଁ, ଗଲ୍ଫ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ପ୍ୟାରୀମୋହନ ମଲ୍ଲିକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।

Tags: #ArabindaMuduli #SwararabindaProgramme #OdiaBhajan #BhaktiSangeet #Odisha

Comment