ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍‌। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁସି ଜାହିର କରିଛନ୍ତି। ହେଲେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରି ନଥିବାରୁ ରସଗୋଲା ଯୁଦ୍ଧରେ ଓଡ଼ିଶା ପଛରେ ପଡ଼ି ଯାଇଥିବା କୁହାଯାଉଛି।

ରସଗୋଲା ନୁହେଁ, ବାଂଲା ରସଗୋଲା ପାଇଁ ପଶ୍ଚିମବଙ୍ଗକୁ ମିଳିଛି ଜିଆଇ ମାନ୍ୟତା। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶାର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି ଖୁସି ଜାହିର କରିବା ପରେ ଓଡ଼ିଶାର ଅର୍ଥମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ରସଗୋଲାର ଜିଆଇ ଟ୍ୟାଗ୍‌ ନେଇ ଓଡ଼ିଶା ପକ୍ଷରୁ ଏପର୍ଯ୍ୟନ୍ତ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇ ନାହିଁ। ଫଳରେ ରସଗୋଲା ଯୁଦ୍ଧରେ ଓଡ଼ିଶା ପଛରେ ପଡ଼ି ଯାଇଥିବା କୁହାଯାଉଛି।

ଚେନ୍ନାଇସ୍ଥିତ ଜିଆଇ ଅଫିସର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି, “ପଶ୍ଚିମବଙ୍ଗ ସରକାର ବାଂଲା ରସଗୋଲାର ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିଥିଲେ। ଏଣୁ ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ ଦିଆଯାଇଛି। ଓଡ଼ିଶା ପକ୍ଷରୁ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯାଇ ନାହିଁ।”

ରସଗୋଲାର ଉତ୍ପତ୍ତିସ୍ଥଳକୁ ନେଇ ଗତ ଦୁଇ ବର୍ଷ ହେଲା ପଶ୍ଚିମବଙ୍ଗ-ଓଡ଼ିଶା ମଧ୍ୟରେ ଲଢ଼େଇ ଲାଗି ରହିଥିଲା। ବଙ୍ଗଳା ହେଉଛି ରସଗୋଲାର ଉତ୍ପତ୍ତିସ୍ଥଳ ବୋଲି ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢ଼ିଥିଲେ। ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ୧୮୬୮ରେ ରସଗୋଲା ଆବିଷ୍କାର କରିଥିଲେ ବୋଲି ସେଠାକାର ସରକାର କହିଥିଲେ। ଏପଟେ ଓଡ଼ିଶା ସରକାର ମଧ୍ୟ ନିଜର ଦାବି ଉପସ୍ଥାପନ କରିଥିଲେ। ରସଗୋଲାର ଉତ୍ପତ୍ତି ୬୦୦ ବର୍ଷ ତଳର ବୋଲି ଓଡ଼ିଶା ସରକାର କହିଥିଲେ। ଫଳରେ ରସଗୋଲାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ପଶ୍ଚିମବଙ୍ଗ ସରକାର ଭାରତୀୟ ଭୌତିକ ସମ୍ପତ୍ତି କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ରସଗୋଲା ଓଡ଼ିଶାର ଦର୍ଶାଇବା ପାଇଁ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ଲାଗି ଓଡ଼ିଶା ସରକାର ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ବ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ବର୍ଷେ ହେଲା ଏହି କାମ ଚାଲିଥିଲେ ମଧ୍ୟ ସରକାର ଏଦିଗରେ ବିଶେଷ ଆଗେଇ ନଥିଲେ। ପରେ ଶିଳ୍ପ ବିଭାଗକୁ ଓଡ଼ିଶା ସରକାର ଏହି ଦାୟିତ୍ବ ଦେଇଥିଲେ।

 

 

Comment