ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପଦ୍ମାବତୀ’ ଫିଲ୍ମକୁ ନେଇ ବିବାଦ ତେଜୁଛି। ଫିଲ୍ମକୁ ରିଲିଜ କରାଇ ନଦେବା ପାଇଁ ବିଭିନ୍ନ ସଙ୍ଗଠନ ଦାବି କରୁଥିବା ବେଳେ ଆଜି ଫିଲ୍ମ ନାୟିକା ଦୀପିକାଙ୍କୁ ସିଧାସଳଖ ଧମକ ଦିଆଯାଇଛି।

ହିଷ୍ଟୋରିକାଲ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ତେଜୁଛି। ଫିଲ୍ମକୁ ଲଗାତାର ବିରୋଧ କରି ଆସୁଥିବା ରାଜପୁତ କର୍ନି ସେନା ଏଥର ଫିଲ୍ମର ନାୟିକା ପଦ୍ମାବତୀଙ୍କୁ ନାଲିଆଖି ଦେଖାଇଛନ୍ତି। ଫିଲ୍ମ ରିଲିଜ୍ ହେଲେ ନାୟିକା ନାକ କାଟି ଦେବାକୁ ଧମକ ଦେଇଛନ୍ତି। ଡିସେମ୍ବର ୧ ତାରିଖରେ ଫିଲ୍ମ ରିଲିଜ ହେବ। ଏହିଦିନ ଏହି ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛି।

ରାଜପୁତଙ୍କ ପରେ ବ୍ରାହ୍ମଣ ମହାସଭା ମଧ୍ୟ ଫିଲ୍ମକୁ ନେଇ ଆପତ୍ତି କରିଛି। ଜୟପୁରରେ ମହାସଭା ପକ୍ଷରୁ ବିକ୍ଷୋଭ କରାଯିବା ସହ ରକ୍ତରେ ସ୍ବାକ୍ଷର କରି ପ୍ରତିବାଦ କରାଯାଇଛି। ଫିଲ୍ମକୁ ରିଲିଜ କରାଇଦେବ ନାହିଁ ବୋଲି ଚେତାବନୀ ଦେଇଛି।

ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ପଦ୍ମାବତୀ’ ରିଲିଜ ତାରିଖ ଯେତିକି ପାଖେଇ ଆସୁଛି ତାକୁ ନେଇ ବିରୋଧ ସେତିକି ବଢ଼ୁଛି। ପୂର୍ବରୁ ରାଜପୁତ କର୍ନି ସେନା ରାଜସ୍ଥାନର ସୁଟିଂ ସେଟରେ ପଶି ଭଙ୍ଗାରୁଜା କରିଥିଲା। ଏବେ ଫିଲ୍ମ ନାୟିକାଙ୍କୁ ସିଧାସଳଖ ଧମକ ଦେଇ ବିବାଦକୁ ଆହୁରି ତୀବ୍ର କରିଛି।

କର୍ନିସେନା ସଦସ୍ୟ ମହିପାଲ ସିଂହ ମାର୍କନା ଭିଡିଓ ଜାରି କରି କହିଛନ୍ତି, “ରାମାୟଣରେ ଲକ୍ଷ୍ମଣ ସୁପର୍ଣଖାର ଯେଉଁ ଦଶା କରିଥିଲେ ଦୀପିକାଙ୍କୁ ସମାନ ଦଶା ଭୋଗିବାକୁ ପଡ଼ିବ।“

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, “ଚଳଚ୍ଚିତ୍ରର କାହାଣୀକାରଙ୍କୁ ଫିଲ୍ମର କଥାବସ୍ତୁ ଉପରେ ଧ୍ୟାନ ଦେବାର ଥିଲା। ଅଭିନେତା, ଅଭିନେତ୍ରୀଙ୍କୁ ଦୋଷ ଦେବା ଠିକ୍ ନୁହେଁ।“

ମୁହଁ ଖୋଲିଲେ ଦୀପିକା

ଦେଶବ୍ୟାପୀ ବିରୋଧ ହେବା ପରେ ମୁହଁ ଖୋଲିଛନ୍ତି ପଦ୍ମାବତୀ ଫିଲ୍ମର ନାୟିକା ଦୀପିକା। କହିଛନ୍ତି “ଫିଲ୍ମଟି ରିଲିଜ ହେବା ନିହାତି ଜରୁରୀ। ରିଲିଜକୁ କେହି ଅଟକାଇ ପାରିବେ ନାହିଁ। ଏହି ଫିଲ୍ମର କାହାଣୀକୁ ଦୁନିଆକୁ ଦେଖାଇବା ମୋ ପାଇଁ ବଡ଼ ଏବଂ ଗର୍ବର କଥା। ଏହା ଏମିତି ଏକ କାହାଣୀ ଯାହା ସମସ୍ତେ ଜାଣିବା ଦରକାର। ଯୁଗ ବଦଳିଥିଲେ ମଧ୍ୟ ଆମ ଚିନ୍ତାଧାରାରେ ପରିବର୍ତ୍ତନ ଆସିନି।“

ଏହି ହିଷ୍ଟୋରିକାଲ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟଲୀଲା ଭଂଶାଲୀ। ଫିଲ୍ମଟିକୁ ରିଲିଜ ହେବାକୁ ଅନୁମତି ନଦେବା ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଛି। ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଫିଲ୍ମକୁ ବିରୋଧ କରିଛନ୍ତି।

Comment