ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ ନଭେମ୍ବର ୧୯ରେ ମହାନଦୀ ଟ୍ରିବ୍ୟୁନାଲ ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର। ଇତି ମଧ୍ୟରେ ଆବେଦନକୁ ବର୍ଷେ ପୁରିଛି। ହେଲେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରି ନଥିବାରୁ ଉଭୟ ଛତିଶଗଡ଼ ଏବଂ କେନ୍ଦ୍ର ସରକାର ଉପରେ ବର୍ଷିଛି ବିଜେଡି।

ମହାନଦୀ ବ୍ୟାରେଜକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ପଡ଼ିନି ପୂର୍ଣ୍ଣଛେଦ। ବିବାଦ ସମାଧାନ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ଫଳରେ ମହାନଦୀ ବିବାଦ ରୋଚକ ମୋଡ଼ ନେଇଛି।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରୁଥିବାରୁ ଏହାକୁ ଓଡ଼ିଶା ସରକାର ବିରୋଧ କରୁଛନ୍ତି। ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରଖିବାକୁ ଓଡ଼ିଶା ସରକାର ଦାବି କରୁଥିଲେ ହେଁ ପ୍ରକଳ୍ପ କାମ ବନ୍ଦ ହେଉନି। ବିବାଦ ସମାଧାନ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଟିବ୍ୟୁନାଲ ଗଠନ ଆବେଦନକୁ ବର୍ଷେ ପୁରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଆଗ୍ରହ ପ୍ରକାଶ କରି ନାହାନ୍ତି। ଫଳରେ ଏହାକୁ ନେଇ ଓଡ଼ିଶାରେ ଅସନ୍ତୋଷ କୁହୁଳୁଛି।

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ବିଜେଡି-ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଛତିଶଗଡ଼ ଏବଂ କେନ୍ଦ୍ରରେ ବିଜେପି ସରକାର ଚାଲିଛି। ଏଥିପାଇଁ ଉଭୟ ସରକାର ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ମାମଲା ଗଡ଼ାଇ ଚାଲିଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର କେତେ ଆନ୍ତରିକତା ରହିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।”

ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ୧୯୫୬ର ଧାରା ୪(୧) ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ ପାଇଁ ଆବେଦନ କରିଥିଲା ଓଡ଼ିଶା। ଏହି ନିୟମ ଅନୁସାରେ ଆବେଦନର ବର୍ଷେ ଭିତରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବା କଥା। ହେଲେ ତାହା ହୋଇ ପାରିଲା ନାହିଁ।

୨୦୧୭ ନଭେମ୍ବର ୧୯ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଆବେଦନ କରିଥିଲେ। ପରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର କ୍ୟାବିନେଟ ନୋଟ ପ୍ରସ୍ତୁତ କରିଥିଲେ। ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ପ୍ରସଙ୍ଗ କଥା କହିଥିଲେ। ହେଲେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ହେଲେ କେନ୍ଦ୍ର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନି।

ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଛତିଶଗଡ଼ ସରକାର କାମ କରୁଛନ୍ତି। ହେଲେ ଓଡ଼ିଶା ସରକାର ଓଡ଼ିଶାର ଲୋକଙ୍କ ସ୍ବାର୍ଥକୁ ଉପେକ୍ଷା କରୁଛନ୍ତି। ଯଦି ଆଗରୁ ପଦକ୍ଷେପ ନେଇଥାନ୍ତେ ତାହାଲେ ଏଭଳି ଅବସ୍ଥା ସୃଷ୍ଟି ହୋଇ ନଥାନ୍ତା।”

 

Comment