ଜଳବାୟୁ ପରିବର୍ତ୍ତନର ଭୟାଭୟତା ମାନବ ସମାଜ ପାଇଁ କେତେ ମାତ୍ରାରେ କ୍ଷତିକାରକ ହୋଇପାରେ, ସେ ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘କଡ଼ୱି ହୱା’ର ଏକ ସାମ୍ବାଦିକ ସମ୍ମିଳନୀ ନିକଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।

ଦୃଶ୍ୟମ ଫିଲ୍‌ମସ ବ୍ୟାନରରେ ନିର୍ମିତ ଏହି ସିନେମାର ନିଦ୍ଦେର୍ଶନା ଦେଇଛନ୍ତି ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅକ୍ଷୟ କୁମାର ପରିଜା। ପରିବର୍ତ୍ତନ ଜଳବାୟୁ ଉପରେ ନିର୍ମିତ ଏହା ପ୍ରଥମ ହିନ୍ଦୀ ସିନେମା। ଏଥିରେ ମୁଖ୍ୟ ଭୂମିକାରେ  ଅଭିନୟ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖ୍ୟାତନାମା ଅଭିନେତା ସଞ୍ଜୟ ମିଶ୍ର, ରଣବୀର ଶୋରେ ଓ ନିଳୋତ୍ତମା ସୋମେ।

କେବଳ ଜଳବାୟୁ ପରିବର୍ତ୍ତନର ପ୍ରତିଘାତ କଥା ନୁହେଁ, ଏଥିଯୋଗୁଁ ପରିବାର ସଦସ୍ୟମାନଙ୍କ ପରସ୍ପର ସହ ସମ୍ପର୍କ ସଂଘର୍ଷକୁ ଅତି ନିଖୁଣ ଭାବରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ପଣ୍ଡା। ସିନେମାଟି ଆସନ୍ତା ୨୪ ତାରିଖରେ ସମଗ୍ର ଭାରତରେ ମୁକ୍ତିଲାଭ କରିବ।

ଏହି ଅବସରରେ ସିନେମାର ନିର୍ଦ୍ଦେଶକ ଓ ଅଭିନେତାଙ୍କ ସହ ପ୍ରାଚୀତାରାଙ୍କ ବାର୍ତ୍ତାଳାପ ଅଂଶ:

ନୀଳ ମାଧବ ପଣ୍ଡା

ମାନବଜାତି ଯେତେ ଯେତେ ଅଭିବୃଦ୍ଧି ଓ ବିକାର ପଥେ ଆଗେଇ ଚାଲିଛି, ଜଳବାୟୁ ସେତେ ପ୍ରଦୂଷିତ ହେଉଛି। ଏହି ସିନେମା କେତେଦୂର ଲୋକଙ୍କୁ ଏ ସଂପର୍କରେ ସଚେତନ କରିବ ବୋଲି ଆପଣ ମନେ କରୁଛନ୍ତି?

ସିନେମା ଏକ ସୃଜନଶୀଳ କଳା। କାହାଣୀ ଲେଖିବାଠାରୁ ନେଇ ଅଭିନୟ, ସଙ୍ଗୀତ ଓ ଏଡିଟିଂ – ଏସବୁର ସମାହାର ଏକ କଷ୍ଟସାଧ୍ୟ ବ୍ୟାପାର। ଆମେ ଏହା ମାଧ୍ୟମରେ ଏକ କାହାଣୀ ଦେଖେଇବାକୁ ଚେଷ୍ଟା କରୁଛୁ। ତେଣୁ ଦର୍ଶକ ଏହାକୁ କିପରି ଭାବେ ଗ୍ରହଣ କରିବେ ତାହା ସିନେମା ରିଲିଜ୍ ହେବା ପରେ ଜଣାପଡ଼ିବ।

‘ପଦ୍ମାବତୀ’ ସିନେମାକୁ ନେଇ ଚାଲିଥିବା ବାଦବିବାଦ ସଂପର୍କରେ ଆପଣ କ’ଣ କରିବେ?

ଏକ ସିନେମା ସହିତ ଅନେକ ଲୋକଙ୍କ ପରିଶ୍ରମ ଯୋଡ଼ି ହୋଇଥାଏ। କେବଳ ଅଭିନେତା ଓ ଅଭିନେତ୍ରୀ ନୁହଁନ୍ତି, ଏହା ସହିତ ଅନେକ ଟେକ୍ନିକାଲ୍ କଳାକାରଙ୍କ ଭବିଷ୍ୟତ ମଧ୍ୟ ଯୋଡ଼ିହୋଇ ରହିଥାଏ। ତେଣୁ କୌଣସି କଳାତ୍ମକ ସୃଷ୍ଟିକୁ ନେଇ ବାଦବିବାଦ ହେବା ଉଚିତ ନୁହେଁ।

‘ଆଇ ଆମ୍ କଲାମ’ ଠାରୁ ନେଇ ‘କଡୱି ହୱା’ ପର୍ଯ୍ୟନ୍ତ ଆପଣଙ୍କର ଏହି ଯାତ୍ରାରେ ଆପଣ କେତେ ସନ୍ତୁଷ୍ଟ ?

ମୋର ପ୍ରତ୍ୟେକଟି ସିନେମା ଭିନ୍ନ ଏକ କଥା କୁହେ। ମୁଁ ଅନେକ ଖରାପ ସିନେମା ମଧ୍ୟ ବନେଇଛି। ଯାହା ପରେ ଦେଖିଲା ପରେ ମୁଁ ନିଜେ କେଉଁଠି କେଉଁଠି ଆହୁରି ଭଲ କରିପାରିଥା’ନ୍ତି ଅନୁଭବ କରିଛି। ପ୍ରତ୍ୟେକଟି ସୃଷ୍ଟି ପରସ୍ପରଠାରୁ ସେତିକି ମାତ୍ରାରେ ଭିନ୍ନ, ଯେତିକି ମାତ୍ରାରେ ପ୍ରତ୍ୟେକ ସିନେମାର କାହାଣୀ।

ବଲିଉଡ୍‌ରେ ଅନେକ ସାଂପ୍ରତିକ ଘଟଣାକୁ ନେଇ ସିନେମା ହେଉଛି। ଏ ସଂପର୍କରେ କ’ଣ କହିବେ? 

ପ୍ରତ୍ୟେକ ସିନେମା ପାଇଁ ବର୍ତ୍ତମାନ ଦର୍ଶକ ଅଛନ୍ତି। ଯେଉଁଠି ‘ଗୋଲମାଲ୍‍’ ପରି ସିନେମା ଦର୍ଶକ ଅଛନ୍ତି, ପୁଣି ‘ନିଉଟନ୍’ ପରି ସିନେମା ମଧ୍ୟ ଚାଲୁଛି। ଏହା ସିନେଜଗତ ପାଇଁ ବେଶ୍ ଫଳପ୍ରଦ।

ରଣବୀର ସୋରେ

‘କଡ଼ୱି ହାୱା’ ସିନେମା ସଂପର୍କରେ ଆପଣ କ’ହିବେ?

ଏହି ସିନେମାର କାହାଣୀ ଅପେକ୍ଷାକୃତ ଶକ୍ତିଶାଳୀ। ମୁଁ ଏଥିରେ ଏକ ନିର୍ଦ୍ଦୟୀ ଲୋନ ରିକଭରି ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି। ଯେହେତୁ ମୋ ସିନେମାର ଚରିତ୍ର ଓଡ଼ିଶାର ବାସିନ୍ଦା, ମତେ ଓଡ଼ିଶାର ଲୋକ କିପରି ହିନ୍ଦୀ କୁହନ୍ତି, ତାହା ଅନୁଧ୍ୟାନ କରିବାକୁ ପଡ଼ିଥିଲା। ଏଥିରେ ନିର୍ଦ୍ଦେଶକଙ୍କର ସହଯୋଗ ମଧ୍ୟ ଥିଲା। ମୋର ଚରିତ୍ର ଯେଭଳି ମାତ୍ରାରେ ନିର୍ଦ୍ଦୟୀ ଦରକାର ତାହା ଆପଣ ସିନେମା ଦେଖିବା ପରେ ବୁଝିପାରିବେ।

ଆପଣ ଜଣେ ଥିଏଟର କଳାକାର। ସିନେମା ଓ ଥିଏଟର ମଧ୍ୟରେ କେଉଁଟି ଆପଣଙ୍କୁ ଅଧିକ ଆତ୍ମତୃପ୍ତି ହେଇଥାଏ?

ସିନେମା ମାଧ୍ୟମରେ ମୁଁ ଲକ୍ଷ ଲକ୍ଷ ଦର୍ଶକଙ୍କ ପାଖରେ ପହଞ୍ଚିପାରେ, ଯେବେକି ଥିଏଟର ମାଧ୍ୟମରେ କେବଳ ହଲ୍‌ରେ ଉପସ୍ଥିତ ଦର୍ଶକ ହିଁ ମୋ ଅଭିନୟକୁ ଦେଖିପାରିଛନ୍ତି। ଏହାଛଡ଼ା ସିନେମାରେ ଅଭିନୟ କରିବା ସମୟରେ ସଂଳାପକୁ ବିଭିନ୍ନ ଢଙ୍ଗରେ କରିବାର ସୁଯୋଗ ମଧ୍ୟ ମିଳିଥାଏ। ମତେ ମନେହୁଏ ସିନେମା ମାଧ୍ୟମରେ ମୁଁ ନିଜକୁ ବେଶୀ ଭଲ ଭାବରେ ପ୍ରକାଶ କରିପାରେ।

କଳାତ୍ମକ ସିନେମା ଓ ବ୍ୟବସାୟଧର୍ମୀ ସିନେମା ମଧ୍ୟରୁ ଆପଣ କେଉଁଟିକୁ ବାଛିବେ?

ସିନେମା କଳାତ୍ମକ ହେଉ ଅଥବା ବ୍ୟବସାୟଧର୍ମୀ ଏହା ଏକ ସୃଜନାତ୍ମକ ସୃଷ୍ଟି। ବହୁଦିନର ପରିଶ୍ରମ ଓ ଏକାଗ୍ରତା ପରେ ଗୋଟିଏ ସିନେମା ତିଆରି ହୋଇ ମୁକ୍ତିଲାଭ କରିବାର ସୁଯୋଗ ମିଳିଥାଏ। ପ୍ରତ୍ୟେକଟି ସିନେମା ନିଜସ୍ୱ ଧର୍ମ ବହନ କରିଥାଏ। କିନ୍ତୁ ସବୁର ଉଦ୍ଦେଶ୍ୟ ଦର୍ଶକଙ୍କ ମନ ଜିଣିବା।

ସଞ୍ଜୟ ମିଶ୍ର

ଆପଣ ହାସ୍ୟ ଅଭିନେତାର ଚରିତ୍ର ହେଉ ଅଥବା କୌଣସି ଗମ୍ଭୀର ଚରିତ୍ର, ସବୁକୁ ଅତି ନିଖୁର ଭାବରେ କେମିତି ପରଦା ଉପରେ ପ୍ରତିଫଳିତ କରିପାରନ୍ତି?

ମୁଁ ସବୁବେଳେ ଏକ ଚରିତ୍ର ଭିତରେ ହଜିଯାଏ। ମୋ ମତରେ କୌଣସି ଅଭିନେତା/ ଅଭିନେତ୍ରୀ ପ୍ରତ୍ୟେକଟି ରଚିତ୍ର କରିବାକୁ ସମର୍ଥ ଥିବା ଆବଶ୍ୟକ। କାହାଣୀ, ଚରିତ୍ର ଓ ପାରିପାର୍ଶ୍ୱିକ ଘଟଣାକୁ ବୁଝିବାର ଶକ୍ତି ଥିଲେ ଅଭିନୟ କରିବା ଦରକାର ପଡେ ନାହିଁ। ବରଂ ସ୍ୱତଃସ୍ଫୁର୍ତ୍ତ ଭାବେ ଏକ ଚରିତ୍ରକୁ କ୍ରାମେରା ସାମ୍ନାରେ ପ୍ରଦର୍ଶିତ କରିହେବ।

ପୂର୍ବରୁ ‘ପିପ୍‌ଲି ଲାଇଭ୍’ ସିନେମା ମାଧ୍ୟମରେ କୃଷକର କାହାଣୀ ମଧ୍ୟ କୁହାଯାଇଛି, କଡୱି ହାୱା’ର ଭିନ୍ନତା କ’ଣ?

ଭାରତ ଏକ କୃଷିପ୍ରଧାନ ଦେଶ। କୃଷକମାନଙ୍କର ସମସ୍ୟା ସବୁବେଳେ ଲାଗିରହିଛି। ଈଶ୍ୱରଙ୍କ କୃପା ଉପରେ ସେମାନଙ୍କ ଜୀବନଧାରଣର ମାନ ନିର୍ଭର କରିଥାଏ। ବର୍ଷା ହେବା, ଅଧିକ ବର୍ଷା ହେବା, ମରୁଡ଼ି ପଡ଼ିବା – ଏସବୁର ପ୍ରତ୍ୟକ୍ଷ ଭୋଗୀ ହେଉଛନ୍ତି କୃଷକ।

‘କଡ଼ୱି ହୱା’ ସିନେମାରେ ମୁଁ ଜଣେ ଅତି ବୃଦ୍ଧ କୃଷକ ଭୂମିକାର ଅଭିନୟ କରିଛି । ସିନେମାଟି ଲୋକଙ୍କ ମନକୁ ଛୁଇଁବ ବୋଲି ମୋର ବିଶ୍ୱାସ।

ଏଥର ଓସ୍କାର ପାଇଁ ମନୋନୀତ ଚଳଚ୍ଚିତ୍ର ‘ନିଉଟନ’ରେ ଆପଣଙ୍କ ସ୍ୱଳ୍ପ ଭୂମିକା ବିଷୟରେ କୁହନ୍ତୁ।

ଏହି ସିନେମାର ପ୍ରଯୋଜକ ମନିଷ ମୁନ୍ଦ୍ରାଙ୍କ ସିନେମା ‘ଆଖୋଁ ଦେଖି’, ‘ମସାନ’ରେ ମୁଁ ଅଭିନୟ କାରିଥିଲେ। ତେଣୁ ‘ନିଉଟନ୍’ରେ ମଧ୍ୟ ଅତିଥି କଳାକାର ରୂପେ ନଜର ଆସିଥିଲି।

Comment