ଓଡ଼ିଶାଲାଇଭ୍‍ ବ୍ୟୁରୋ


ତିବ୍ବତୀୟ ଧର୍ମଗୁରୁ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମାଙ୍କୁ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସେସ (କିସ୍‍) ପକ୍ଷରୁ ‘ହ୍ୟୁମାନିଟାରିଆନ ସମ୍ମାନ’ ପ୍ରଦାନ କରାଯାଇଛି। ଆଜି କିସ୍‍ ପରିସରରେ ଆୟୋଜିତ ଭବ୍ୟ ସମାବେଶରେ ଦଲାଇ ଲାମା ଏହି ସମ୍ମାନ ଗ୍ରହଣ କରିଛନ୍ତି।

କିସ୍‍ ପକ୍ଷରୁ ଏହା ହେଉଛି ୧୦ମ ‘ହ୍ୟୁମାନିଟାରିଆନ ସମ୍ମାନ’। ପୂର୍ବରୁ ବହୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ଦିଆଯାଇଛି।

ମଙ୍ଗଳବାର ଦିନ ସକାଳେ ଏହି ସମ୍ମାନ ଗ୍ରହଣକରି କିସ୍‌ର ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସେ ଉଦ୍‌ବୋଧନ ଦେଇଥିଲେ। ଏହି ସମ୍ମାନ ପାଇ ସେ ଖୁସି ବୋଲି କହିଥିଲେ।

ଦଲାଇ ଲାମା କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଶାନ୍ତିର ଶତାବ୍ଦୀ ହେଉ। ମାନବ ସମାଜ ପାଇଁ ଆଜିର ଦିନରେ ଶାନ୍ତି ଓ ସଂପ୍ରୀତି ସବୁଠାରୁ ବଡ଼ ବରଦାନ ହେବ ବୋଲି ସେ କହିଥିଲେ।

“ଏକବିଂଶ ଶତାବ୍ଦୀର ନାଗରିକ ହିସାବରେ ଆପଣମାନଙ୍କର ଅନେକ ଗୁରୁ ଦାୟିତ୍ୱ ରହିଛି। ଆପଣମାନଙ୍କୁ ଆଜି ବିଶ୍ୱ ବ୍ୟାପକ ସୁଯୋଗ ପ୍ରଦାନ କରିଛି। ତେଣୁ ଆଳସ୍ୟ ଛାଡ଼ି ଆଜି ନିଜ କର୍ତ୍ତବ୍ୟ ସମ୍ପାଦନ କଲେ ଏହା ଆପଣଙ୍କ ପାଇଁ ଓ ସମାଜ ପାଇଁ ବିଶେଷ ସଫଳତା ଆଣିଦେବ”, କହିଛନ୍ତି ଧର୍ମଗୁରୁ ଦଲାଇ ଲାମା। ଗଭୀର ଆତ୍ମବିଶ୍ୱାସ ସହ କାର୍ଯ୍ୟ କଲେ ସଫଳତା ଓ ସନ୍ତୋଷ ମିଳିପାରିବ ବୋଲି ସେ ଉପସ୍ଥିତ ଛାତ୍ର ଓ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ।

କିସ୍‍ ପରିସରରେ ହଜାର ହଜାର ଛାତ୍ରଛାତ୍ରୀମାନଙ୍କୁ ରଖି ଶିକ୍ଷା, ରୋଜଗାର ଓ ସାମାଜିକ ପରିଚୟ ପ୍ରଦାନ କ୍ଷେତ୍ରରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଭୂମିକାକୁ ଦଲାଇ ଲାମା ପ୍ରଶଂସା କରିଥିଲେ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ତାଙ୍କ ସହ କିଟ୍‍ ଓ କିସ୍‌ର ପ୍ରେସିଡେଣ୍ଟ ଶାଶ୍ୱତୀ ବଳ ଦଲାଇ ଲାମାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

୨୦୦୮ ମସିହାରୁ କିସ୍‍ ପକ୍ଷରୁ ଏହି ଅନ୍ତର୍ଜାତୀୟ ସମ୍ମାନ ଆରମ୍ଭ କରାଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ବିଶେଷ ପ୍ରତିଷ୍ଠା ଅର୍ଜନ କରିବା ସହ ବିଶ୍ୱ ସମୁଦାୟ ପାଇଁ ଆଖିଦୃଶିଆ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ପ୍ରତିବର୍ଷ ଏହା ପ୍ରଦାନ କରାଯାଉଛି।

Comment