ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହାଯାଏ, ‘if you want beauty, property and talent, you have to marry three times’, ଅର୍ଥାତ୍ ଜଣଙ୍କ ପାଖରେ ପ୍ରତିଭା, ସୌନ୍ଦର୍ଯ୍ୟ ଏବଂ ପ୍ରାଚୁର୍ଯ୍ୟ ଏକତ୍ର ନଥାଏ। ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ବିଶ୍ୱ ବିଜୟିନୀ ମାନୁଷୀ ଛିଲର।

୧୧୮ ଜଣ ପ୍ରତିଯୋଗୀଙ୍କୁ ମାତ୍ ଦେଇ ବିଶ୍ୱ ସୁନ୍ଦରୀ ଶିରପା ପିନ୍ଧିଥିବା ହରିଆଣା ସୋନିପତର ଏହି ଲଳନା ଯେତିକି ସୁନ୍ଦରୀ ସେତିକି ପ୍ରତିଭାବାନ। କେବଳ ଶାରୀରିକ ସୌନ୍ଦର୍ଯ୍ୟ ନୁହେଁ, ତାଙ୍କ ହୃଦୟର ସୌନ୍ଦର୍ଯ୍ୟ ବି ସୁନା ପରି ବେଶ୍ ଉଜ୍ୱଳ।

ଗ୍ରାଣ୍ଡ ଫିନାଲେରେ ଝଟକିଥିଲା ତାଙ୍କର ଏହି ସୁନାର ହୃଦୟ। ନିଜର ପ୍ରତିଯୋଗୀଙ୍କୁ ନିଜେ ପ୍ରସ୍ତୁତ କରାଇଥିଲେ ମାନୁଷୀ। ମିସ୍ ସାଉଥ ଆଫ୍ରିକା ଆଡେ ଭାନ ହେର୍ଡେନଙ୍କୁ ଶେଷ ପ୍ରତିଯୋଗିତାରେ ସେ ନିଜର ଗାଉନ ପିନ୍ଧାଇଥିଲେ। ଯେଉଁ ଗାଉନ ତାଙ୍କ ପାଇଁ ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ଡିଜାଇନର ଭାବନା ରାଓ। ଏହି ଘଟଣା ଭାବନାଙ୍କୁ ମାନୁଷୀଙ୍କ ପ୍ରଶଂସାରେ ଶତମୁଖ କରିଥିଲା। ମାନୁଷୀଙ୍କୁ ‘ଟ୍ରୁ ଷ୍ଟାର’ ବୋଲି କହିଥିଲେ ଭାବନା ରାଓ।

ଆଉ ଜୀବନର ସଫଳ ଯାତ୍ରା ପାଇଁ ମାନୁଷୀଙ୍କୁ ଶୁଭେଛା ଜଣାଇଥିଲେ ନିଜେ ପ୍ରତିଯୋଗୀ ଦକ୍ଷିଣ ଆଫ୍ରିକା ସୁନ୍ଦରୀ ଆଡେ ଭାନ୍। କ୍ରାଉନ ଜିତିଥିବା ମାନୁଷୀଙ୍କର ଏହି ମହାନତା ପୂରା ବଶ୍ୱର ହୃଦୟ ଜିଣିଥିଲା।

ଓ୍ୱାର୍ଲଡ କ୍ରାଉନ୍ ପାଇଁ ମାନୁଷୀଙ୍କ ଯାତ୍ରା କିନ୍ତୁ ବେଶି ଦିନର ନଥିଲା। ପ୍ରସ୍ତୁତି ଥିଲା ଖୁବ କମ୍ ଦିନର। କିନ୍ତୁ ମନରେ ଥିଲା ବିଜୟୀ ହେବାର ପ୍ରବଳ ଆତ୍ମବିଶ୍ୱାସ, ଦୃଢତା ଆଉ ପ୍ରତିବଦ୍ଧତା। ତାଙ୍କର ସ୍ୱପ୍ନ ଆଉ ଶିକ୍ଷା ତାଙ୍କୁ ଶୀର୍ଷରେ ପହଞ୍ଚାଇବ, ସେହି ଅତୁଟ ବିଶ୍ୱାସ ନେଇ ସେ ଆରମ୍ଭ କରିଥିଲେ ଅଭିଯାନ। ବେଶି ଦିନର ନୁହେଁ, ଗୋଟିଏ ବର୍ଷର ଯାତ୍ରା ଥିଲା ଏହି ପ୍ରତିଭାବାନ, ବୁଦ୍ଧିମତୀ ସୁନ୍ଦରୀଙ୍କ ପାଇଁ ଯଥେଷ୍ଟ। ଏହି ଗୋଟିଏ ବର୍ଷରେ ଗୋଟିଏ ପରେ ଗୋଟିଏ ଟାଇଟଲ ଜିତି ବିଶ୍ୱ ସୁନ୍ଦିରୀ ଶିରପାର ନିକଟବର୍ତ୍ତି ହୋଇଥିଲେ ମାନୁଷୀ।

୨୦୧୬ରେ କ୍ୟାମ୍ପସ୍ ସୁନ୍ଦରୀ ହେବାର ଗୌରବ ତାଙ୍କୁ ସୁନ୍ଦରୀ ପ୍ରତିଯୋଗିତା ମୁହାଁ କରିଥିଲା। ଏହାପରେ ସେ ଜିତିଥିଲେ ମିସ ହରିଆଣା ଟାଇଟଲ। ପରେ ଜୁନରେ ପିନ୍ଧିଲେ ମିସ୍ ଇଣ୍ଡିଆ ମୁକୁଟ। ମିସ୍ ଇଣ୍ଡିଆ ଗୌରବ ଅର୍ଜନ ପରେ ସିଧା ପାଦ ବଢାଇଥିଲେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଆଡକୁ।

ଦୃଢତା କରିଥିଲେ, ୧୭ ବର୍ଷ ପରେ ଏଥର ଭାରତ ପିନ୍ଧିବ ବିଶ୍ୱ ସୁନ୍ଦରୀ ମୁକୁଟ। ଏଥିପାଇଁ ଆରମ୍ଭ କରି ଦେଇଥିଲେ ପ୍ରସ୍ତୁତି। ଏଥିପାଇଁ ତାଙ୍କୁ ମେଡିକାଲ ପାଠପଢାରୁ ବର୍ଷକ ପାଇଁ ବିରତ ରହିବାକୁ ପଡିଥିଲ।। ଏଥିରେ ସହପାଠୀ ଆଉ କଲେଜ କର୍ତ୍ତୃପକ୍ଷଙ୍କ ସହଯୋଗ ବି ମିଳିଥିଲା। କିନ୍ତୁ ତାଙ୍କର ପ୍ରକୃତ ପ୍ରେରଣାଦାତ୍ରୀ ଥିଲେ ତାଙ୍କ ମା’। ସେ ହିଁ ତାଙ୍କୁ ଉତ୍ସାହିତ କରିଥିଲେ ଆଉ ପ୍ରସ୍ତୁତ ହେବାକୁ ସବୁ ପ୍ରକାର ସହଯୋଗ କରିଥିଲେ।

ସେହି ମା’ଙ୍କ କଥା କହି ଫାଇନାଲ ରାଉଣ୍ଡରେ ସେ ଜିତି ନେଇଥିଲେ ଜଜ୍‌ଙ୍କ ହୃଦୟ। ଜଜ୍ ପଚାରିଥିଲେ ‘କେଉଁ ବୃତ୍ତିରେ ସବୁଠାରୁ ଅଧିକ ପାରିଶ୍ରମିକ ମିଳିବା କଥା ଏବଂ କାହିଁକି? ’ ଏହାର ଉତ୍ତରରେ ମାନୁଷୀ କହିଥିଲେ ମା’। କାରଣ ମା’ର ପରିଶ୍ରମ ଏବଂ ତ୍ୟାଗ ସବୁଠାରୁ ବଡ। ପାରିଶ୍ରମିକ କେବଳ ଟଙ୍କାରେ ନୁହେଁ, ପ୍ରେମ ଏବଂ ସମ୍ମାନରେ ମଧ୍ୟ ଦିଆଯାଇପାରେ। ଏହି ଉତ୍ତର ଜଜ୍‌ଙ୍କୁ ଅଭିଭୂତ କରିଥିଲା।

କିନ୍ତୁ ଜାଣିଛନ୍ତି କି, କାହିଁକି ମାନୁଷୀ ଏତେ ଦୃଢତାର ସହ କହିଥିଲେ କ୍ରାଉନ ପିନ୍ଧିବେ ବୋଲି? କେଉଁଠୁ ଆସିଲା ଏହି ଦୃଢତା। ମାନୁଷୀଙ୍କ ଶକ୍ତିର ସିକ୍ରେଟ୍ କଣ? ତାଙ୍କର ବୁଦ୍ଧିମତ୍ତା, ପ୍ରତିଭା ଆଉ ଶିକ୍ଷା। ସେ ଭଗତ ଫୁଲ ସିଂ ସରକାରୀ ମେଡିକାଲ କଲେଜର ଏମବିବିଏସ ଛାତ୍ରୀ। ଲକ୍ଷ୍ୟ ରହିଛି ହୃଦରୋଗ ଭେଷଜ ଚିକିତ୍ସିକା ହେବେ ଆଉ ଗ୍ରାମାଞ୍ଚଳରେ ମେଡିକାଲ ଖୋଲି ଲୋକଙ୍କ ସେବା କରିବେ। ପିଲାବେଳୁ ମାନୁଷୀ ମେଧାବୀ। ଦ୍ୱାଦଶରେ ସର୍ବଭାରତୀୟର ସ୍ତରରେ ଇଂରାଜୀ ବିଷୟରେ ଟପ୍ପର ହୋଇଥିଲେ।

ତାଙ୍କର ପ୍ରତିଭା କେବଳ ପାଠପଢା ଭିତରେ ସୀମିତ ନୁହେଁ। ମାନୁଷୀ ଅନେକ କଳାର ଅଧିକାରିଣୀ ମଧ୍ୟ। ସେ ଜଣେ କବି ଆଉ ଚିତ୍ରକର। କୁଚିପୁଡି ନୃତ୍ୟରେ ମଧ୍ୟ ବେଶ ପ୍ରବୀଣା। ନିୟମିତ ଜିମ ଯାଆନ୍ତି ଆଉ ରୁଚି ରଖିଛନ୍ତି ସ୍କୁବା ଡାଇଭିଂରେ।

ଦୀର୍ଘ ୧୭ ବର୍ଷ ପରେ ଭାରତକୁ ବିଶ୍ୱ ସୁନ୍ଦରୀ ମୁକୁଟ ଦେଇଥିବା ମାନୁଷୀ କହିଛନ୍ତି, “ଟାଇଟଲ ଘୋଷଣା ସମୟ ଥିଲା ତାଙ୍କ ଜୀବନର ସବୁଠୁ ସୁଖଦ ମୁହୂର୍ତ୍ତ”।

Comment