ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା। ଆଉ ଏତିକି ବେଳେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ଉତ୍ତରକୁ ନେଇ ପୁଣି ବହିଛି ଝଡ଼। ଦୁଇ ବର୍ଷ ଭିତରେ କୌଣସି ଚାଷୀ ଚାଷ ପାଇଁ ଆତ୍ମହତ୍ୟା କରି ନାହାନ୍ତି କହି କୃଷିମନ୍ତ୍ରୀ ପୁଣି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି।

ସୁନାର ଫସଲରେ ଚରି ଯାଇଥିଲା ଚକଡ଼ା ପୋକ। ଚକଡ଼ା ଧାନ ଗଛରେ ପଶି ଶୋଷି ନେଉଥିଲେ ଶଶ। ଆଉ ଏହାକୁ ସହି ପାରି ନଥିଲେ ବରଗଡ଼ କଳାପାଣି ଗାଁର ଭାଗଚାଷୀ ବୃନ୍ଦା ସାହୁ। କ୍ଷତିପୂରଣ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ। ହେଲେ ନାସ୍ତିବାଣୀ ଶୁଣିବା ପରେ ଫସଲରେ ନିଆଁ ଲଗାଇ ଜୀବନ ହାରିଥିଲେ।

ହେଲେ ସରକାର ଏହାକୁ ଚାଷ ଜନିତ ଆତ୍ମହତ୍ୟା ବୋଲି ଗ୍ରହଣ କରୁ ନାହାନ୍ତି। ଅନ୍ୟ କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଧାନସଭାରେ ଉତ୍ତର ଦେଇଛନ୍ତି।

କଂଗ୍ରେସ ବିଧାୟକ ଭୂଜବଳ ମାଝି ଏକ ତାରକା ଚିହ୍ନିତ ପ୍ରଶ୍ନରେ ରାଜ୍ୟରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ। ହେଲେ କୃଷିମନ୍ତ୍ରୀ ଡାକ୍ତର ରାଉତ ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ତାହା ଅତି ହୃଦୟ ବିଦାରକ। କୃଷିମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ, ଗତ ଦୁଇ ବର୍ଷ ଭିତରେ କୌଣସି ଚାଷୀ ଚାଷ ପାଇଁ ଜୀବନ ହାରି ନାହାନ୍ତି। ୨୦୧୬ରୁ ୨୦୧୭ ମଧ୍ୟରେ ୧୮ଟି ଚାଷୀ ଆତ୍ମହତ୍ୟାର ତଦନ୍ତ ହୋଇଛି। ହେଲେ ଚାଷ ପାଇଁ ନୁହେଁ ଅନ୍ୟ କାରଣ ପାଇଁ ଚାଷୀ ଜୀବନ ହାରୁଛନ୍ତି ବୋଲି ରିପୋର୍ଟ କହୁଥିବା କୃଷିମନ୍ତ୍ରୀ କହିଛନ୍ତି।

ଏପଟେ ବରଗଡ଼ କେନ୍ଦପାଲି ଗାଁର ଚାଷୀ ହାଡୁ ବଗର୍ତ୍ତୀ ମଧ୍ୟ ଜୀବନ ହାରିଛନ୍ତି। ପୋକ ଲାଗିବା ଏବଂ ବିଜୁଳି ବିଭ୍ରାଟ ପାଇଁ ହାଡୁ ଚାଷଜମିକୁ ପାଣି ମଡ଼ାଇ ପାରି ନଥିଲେ। ଫଳରେ ସାଢ଼େ ୪ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା, ଯେଉଁଥିପାଇଁ ହାଡ଼ୁ ଜୀବନ ହାରିଲେ ବୋଲି ପରିବାରବର୍ଗ ଜୋର ଦେଇ କହୁଛନ୍ତି। ହେଲେ ରାଜ୍ୟ ସରକାର ଏହାକୁ ମାନିବାକୁ ନାରାଜ।

ହାଡ଼ୁ ବଗର୍ତ୍ତୀଙ୍କ ଆତ୍ମହତ୍ୟାର କାରଣ ଅନ୍ୟ କିଛି ଥାଇପାରେ ବୋଲି କୃଷିମନ୍ତ୍ରୀ ଉତ୍ତର ଦେଇଛନ୍ତି।

ଦାମୋଦର ରାଉତ କହିଛନ୍ତି, “ତୃଣମୂଳ ସ୍ତରରୁ ପ୍ରଶାସନିକ ଅଧିକାରୀ ଯେଉଁ ରିପୋର୍ଟ ଦେଉଛନ୍ତି ତାକୁ ଆଧାର କରି ମୁଁ ଉତ୍ତର ଦେଉଛି। ଏହାକୁ ରାଜନୀତିକରଣ କରା ନଯାଉ।”

କୃଷିମନ୍ତ୍ରୀଙ୍କ ଏହି ଉତ୍ତରକୁ ବିରୋଧୀ ସମାଲୋଚନା କରିଛନ୍ତି। ସତ ମାନିବାକୁ ସରକାର ରାଜି ନୁହନ୍ତି ବୋଲି ବିରୋଧୀ କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ସରକାର ସତ ମାନୁ ନାହାନ୍ତି। ଚାଷୀ ଆତ୍ମହତ୍ୟାକୁ ଫାଙ୍କି ଦେଉଛନ୍ତି। ଏହା ଅତି ର୍ଦୁଭାଗ୍ୟଜନକ। ଚାଷୀ ଆତ୍ମହତ୍ୟାର ସତ୍ୟାସତ୍ୟ ଜାଣିବା ପାଇଁ ଜୁଡିସିଆଲ ତଦନ୍ତ ହେଉ।”

 

Comment