ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିବାସୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଏବଂ ନିର୍ଯାତନା ଦେବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ବିଧାସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ବିଧାନସଭାର ଶୂନ୍ୟ କାଳରେ ଚିତ୍ରକୋଣ୍ଡା ଏସଡିପିଓଙ୍କ ମାଡ଼ ମାରିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ଏସଡିପିଓଙ୍କ ନିଲମ୍ବନ ଦାବି କରିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା। ବିଧାୟକ ନରସିଂହ ମିଶ୍ର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ। ବିଜେପି ମଧ୍ୟ ସମାନ ଦାବି କରିଥିଲା। ତଦନ୍ତ କମିଟି ଗଠନ ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଗତ ଜୁନ ୭ ତାରିଖରେ ଗଞ୍ଜେଇ ଜବତ ନାଁରେ ଚିତ୍ରକୋଣ୍ଡା ଏସଡିପିଓ ରାତିରେ କୌଣସି ମହିଳା ପୋଲିସଙ୍କୁ ନନେଇ ଗାଁରେ ଭିତରେ ପଶିଥିଲେ ଓ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ନାବାଳିକା, ଗର୍ଭବତୀ ଓ ବୃଦ୍ଧା ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲେ। ଏସଡିପିଓଙ୍କ ଆକ୍ରୋସର ଶିକାର ହୋଇଥିବା ସମସ୍ତେ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଆଜି ଏହି ଘଟଣାକୁ ନେଇ ସରଗରମ ହୋଇଥିଲା ବିଧାନସଭା।

Tags: #Assembly #MonsoonSession #CrimeBranchInvestigation #ChitrakondaSDPO

Comment