ଡକ୍ଟର ହରପ୍ରସନ୍ନ ଦାସ

ଯଦି ସମସ୍ତେ ଘଟଣାଟାକୁ ବୁଝିପାରନ୍ତେ ନିଜ ଜୀବନର ଦାୟିତ୍ୱ ନିଜେ ନିଅନ୍ତେ, ତେବେ ସଂସାରଟା ସୁଖମୟ, ଶାନ୍ତିମୟ ସଫଳ ହୋଇଯାଆନ୍ତା

ଏକ ବ୍ୟବସାୟିକ ଅନୁଷ୍ଠାନରେ କର୍ମଚାରୀମାନଙ୍କ ପାଇଁ ଏକ ଦୁଇଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ମୁଁ ତାଲିମଦାତା ଭାବରେ ଯୋଗ ଦେଇଥିଲି। ବିଷୟବସ୍ତୁ ଥିଲା ଦକ୍ଷତା ଏବଂ ବ୍ୟକ୍ତିତ୍ୱର ବିକାଶ। ଏଥିରେ ଏକ ସୁଖ, ଶାନ୍ତି ଓ ସଫଳ ଜୀବନଯାପନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେ ତାଲିମରେ ଭାଗ ନେଇଥିବା କର୍ମଚାରୀମାନେ ଖୋଲାମନରେ ନିଜର ବ୍ୟକ୍ତିଗତ ଜୀବନର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପ୍ରକାଶ କରିଥିଲେ। ମନରେ ଥିବା ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱ ସମ୍ପର୍କରେ ମଧ୍ୟ ମୋର ପରାମର୍ଶ ଲୋଡ଼ିଥିଲେ। ଆନ୍ତରିକତାର ସହିତ ସେମାନେ ନିଜର ମତାମତ ବି ପ୍ରକାଶ କରୁଥିଲେ। ମୁଁ ଅନୁଭବ କରିପାରିଥିଲି ଯେ ସେଥିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମନରେ ଶିଖିବାର ଆଗ୍ରହ ଥିଲା।

ପ୍ରଥମ ଦିନର କାର୍ଯ୍ୟକ୍ରମ ସରିଲା ପରେ ଅନୁଷ୍ଠାନର ଜଣେ ବରିଷ୍ଠ କର୍ମଚାରୀ ମୋ ପାଖକୁ ଆସି ଅତି ବିନମ୍ରତାର ସହିତ ଏକ ବ୍ୟକ୍ତିଗତ ସମସ୍ୟା ମୋ ସହିତ ଆଲୋଚନା କରିବା ପାଇଁ ଅନୁମତି ମାଗିଥିଲେ। ଏକ ମନଖୋଲା ହସ ହସି ମୁଁ ତାଙ୍କୁ ପାଖରେ ବସାଇ ବିନା ସଙ୍କୋଚରେ ଯାହା କହିବାର କଥା ମନଖୋଲି କହିଯାଅ ବୋଲି କହିଲି। ସେ ଧିରେ ଧିରେ ତାଙ୍କ କଥା କହିବାକୁ ଆରମ୍ଭ କଲେ।

ତାଙ୍କର ଛୋଟ ପରିବାର- ସେ, ତାଙ୍କ ସ୍ତ୍ରୀ, ପାଞ୍ଚବର୍ଷର ଝିଅଟିଏ, ମାଆ ଓ ସାନଭାଇ।  ବାପା ନାହାନ୍ତି, ମାଆ ରୋଗରେ ଶଯ୍ୟାଶାୟୀ। ସେ ରୁହନ୍ତି କଟକରେ କିନ୍ତୁ ତାଙ୍କର ଚାକିରି ଭୁବନେଶ୍ୱରରେ।  ଠିକ୍ ସମୟରେ ଅଫିସରେ ପହଞ୍ଚିବାକୁ ପଡ଼ିବ। ତେଣୁ ସେ ଘରୁ ସାଢ଼େ ଆଠଟାରୁ ନଅଟା ଭିତରେ ବାହାରି ଆସନ୍ତି। ରାତିରେ ପହଞ୍ଚିଲା ବେଳକୁ ପ୍ରାୟତଃ ଏଗାରଟା ପାଖାପାଖି ହୋଇଯାଇଥାଏ। କଟକରୁ ଭୁବନେଶ୍ୱର ଯିବା ଆସିବାରେ, ଯାତ୍ରାଜନିତ କ୍ଲାନ୍ତି ଦିନଯାକ ସୋ ରୁମରେ କାମ କରିସାରିବା ପରେ ଆଉ ଧୈର୍ଯ୍ୟ ନଥାଏ ଘରେ ଯାଇ କୌଣସି କାମ କରିବାକୁ। ତେଣୁ ତାଙ୍କ ସ୍ତ୍ରୀ ପ୍ରାୟତଃ ଘରର ସବୁକାମ ଏପରିକି ବିଛଣାରେ ପଡ଼ିଥିବା ତାଙ୍କ ମାଆଙ୍କ ସେବା ମଧ୍ୟ କରିଥାନ୍ତି। ତାଙ୍କ ସ୍ତ୍ରୀ ଆନନ୍ଦ ମନରେ ଘରେ ରୋଷେଇବାସ କାମ, ଝିଅ ପାଇଁ କାମ ଏବଂ ଶାଶୁଙ୍କର ସମସ୍ତ କାମ ଆଗ୍ରହ ସହକାରେ କରିଥାନ୍ତି ବୋଲି ସେ କହିଲେ।

ରାତି ଏଗାରଟା ପାଖାପାଖି ଘରେ ପହଞ୍ଚିଲା ପରେ ସ୍ତ୍ରୀଙ୍କ କାମରେ କିଛିବି ଭୁଲ୍ ଦେଖିଲେ ସେ ବିରକ୍ତି ହୋଇଯାଉଥିଲେ। ଯଥା- ଘରର ଜିନିଷ ଯଦି ଅସଜଡ଼ା ହୋଇପଡ଼ିଛି, କୌଣସି ଜିନିଷ ଖୋଜିଲେ ଯଦି ନମିଳୁଛି ଅବା ଯଦି ଝିଅର ଯତ୍ନ ନେଇନାହାନ୍ତି। ଏହିପରି ଛୋଟ ଛୋଟ ଭୁଲ୍ ଦେଖି ସେ ସ୍ତ୍ରୀଙ୍କ ଉପରେ ବିରକ୍ତ ହୋଇଯାଉଥିଲେ। ପଦେ ପଦେ କଥାରୁ ଯୁକ୍ତିତର୍କ ଓ ପାଟିତୁଣ୍ଡ ପର୍ଯ୍ୟନ୍ତ ମଧ୍ୟ କଥା ଚାଲିଯାଉଥିଲା। କୌଣସି ଘଟଣାରେ ସ୍ତ୍ରୀଙ୍କ ଦୋଷ କାଢ଼ିବା ପାଇଁ ସେ ପଛାଉନଥିଲେ। ଫଳରେ ତାଙ୍କ ସ୍ତ୍ରୀ ମନଦୁଃଖ କରୁଥିଲେ ଏବଂ ରାତିରେ ନଖାଇ ଶୋଇଯାଉଥିଲେ।

ପ୍ରକୃତ ଘଟଣାଟି କ’ଣ ସେକଥା ଜାଣିବା ପାଇଁ ତାଙ୍କର ଧୈର୍ଯ୍ୟ ନଥିଲା। ଅଶାନ୍ତିରେ ସମୟ ଯାଉଥିଲା। ସକାଳୁ ଉଠି ରୁଟିନ୍ ବନ୍ଧା କାମ କରିସାରି ପୁଣି ଭୁବନେଶ୍ୱର ଆସିବା ପାଇଁ ବାହାରି ପଡ଼ୁଥିଲେ। ଡେରିହେଲେ ପୁଣି ବସ୍ ପାଇବେନି। ଏସବୁ ସମସ୍ୟାର ସମାଧାନ ପାଇଁ ସେ ମୋର ପରାମର୍ଶ ଚାହିଁଲେ।

ଆଖି ବନ୍ଦକରି ମୁଁ ଶୁଣୁଥିଲି ଏବଂ ଘଟଣାଟିର ସଠିକ୍ କାରଣଟି ବି ବୁଝିପାରିଥିଲି। କିନ୍ତୁ ଭାବୁଥିଲି ନିରାଟ ସତକଥା କହିଲେ ସେ ବୁଝିବେ ନା ମତେ ବି ଭୁଲ୍ ବୁଝିବେ? ମନକୁ ଦମ୍ଭ କରି କହିଲି- ‘ସବୁ ଦୋଷ ତୁମର। ସକାଳ ସାଢ଼େ ଆଠରୁ ଘରୁ ବାହାରି ରାତି ଏଗାରଟାରେ ପହଞ୍ଚୁଛ ତମ ଘରର ସବୁ ଦାୟିତ୍ୱ ତମ ସ୍ତ୍ରୀ ନେଇଛନ୍ତି।  ଆଉ ସବୁଠୁ ବଡ଼କଥା ହେଲା ବିଛଣାରେ ପଡ଼ିଥିବା ତମ ମାଆଙ୍କର ସେ ଆନ୍ତରିକତାର ସହିତ ସେବା କରୁଛନ୍ତି। ଆଜିକାଲି ସମାଜରେ ବହୁତ କମ୍ ବୋହୂ ଶାଶୁଙ୍କର ଏପରି ସେବା କରୁଛନ୍ତି। ତେଣୁ ତମେ ନିଜକୁ ଭାଗ୍ୟବାନ୍ ମନେକର ଯେ ଏଭଳି ସ୍ତ୍ରୀ ବା ଜୀବନ ସାଥିଟିଏ ପାଇଛ। ଘରର ସବୁକାମ ଓ ଶାଶୁଙ୍କର ସେବା କରିସାରି ତୁମେ ଖାଇବା ପାଇଁ ବି ରନ୍ଧାବଢ଼ା କରି ଠିକ୍ ସମୟରେ ରଖୁଛନ୍ତି। ଏ ପରିସ୍ଥିତିରେ ତୁମେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କର ଦୋଷ କିଭଳି କାଢ଼ିପାରୁଛ ବା କିଭଳି ବିରକ୍ତ ହେଇପାରୁଛ? ଏହା ନିହାତି ଦୁଃଖଦାୟକ କଥା। ଯଦି ତୁମେ ଏକ ସୁଖ ଶାନ୍ତି ଓ ସଫଳ ଜୀବନଯାପନ କରିବାକୁ ଚାହୁଁଛ, ତେବେ ତୁମ ସ୍ତ୍ରୀଙ୍କର ସବୁ କାମକୁ ପ୍ରଶଂସା କରିବାର କଥା। ନିଜେ ଘରକାମରେ ତାଙ୍କୁ ସାହାଯ୍ୟ କରିବା ନିହାତି ଜରୁରି। ତେଣୁ ଆଜିଠାରୁ ସ୍ତ୍ରୀଙ୍କର ଦୋଷ କାଢ଼ିବା ପରିବର୍ତ୍ତେ କେଉଁ କାମ ତୁମେ କରିପାରିଲେ ତାଙ୍କର କାମ ଟିକେ ହାଲକା ହେବ, ଭାବ ଓ ତାହା ହିଁ କର। ସେଇଟା ହିଁ ହେବ ଏକ ବଡ଼ ପୁଣ୍ୟକାମ। ସେଥିରେ ତମ ମନରେ ଆନନ୍ଦ ମିଳିବା ସହିତ ସ୍ତ୍ରୀଙ୍କୁ ମଧ୍ୟ ଆନନ୍ଦ ଦେଇପାରିବ। ତେଣୁ ଆଜିଠାରୁ ତାଙ୍କ ଦୋଷ ଖୋଜିବା ପରିବର୍ତ୍ତେ ଘରେ କାମ ଖୋଜ। ଯାହାକି ତୁମେ ଅଳ୍ପେ ବହୁତେ କରିପାରିବ ଏବଂ ତୁମର ସଂସାର ସୁଖମୟ ହୋଇପାରିବ’।

ତା’ର ପନ୍ଦର ଦିନ ପରେ ସେ ମତେ ଫୋନ୍ କରି କହିଲେ- ‘ସାର୍, ମୁଁ ନୂଆ ଜୀବନ ପାଇଛି । ଆମ ଘରେ ଆଉ ଯୁକ୍ତିତର୍କ ପାଟିତୁଣ୍ଡ ନାହିଁ। ମୁଁ ଘରେ ପହଞ୍ଚି କାମରେ ଲାଗିଯାଉଛି। ଝିଅର ବହିପତ୍ର ପୋଷାକ ସଜାଡ଼ିବାଠାରୁ ରୋଷେଇ ଘରେ ବାସନକୁସନ ସଜାଡ଼ିବା ଯାଏ ଏବଂ ମୋର ନିଜକାମ ସବୁ ନିଜେ କରୁଛି। ସକାଳୁ ଉଠି ଚାହା କରି ନିଜେ ପିଉଛି ଏବଂ ସ୍ତ୍ରୀକୁ ଦେଉଛି । ମୋ ଭିତରେ ପରିବର୍ତ୍ତନ ଦେଖି ସ୍ତ୍ରୀ ଆଶ୍ଚର୍ଯ୍ୟ ହେବା ସହିତ ଆନନ୍ଦ ବି ହେଉଛି। ପ୍ରକୃତ କଥା ମୁଁ ପୁଅହୋଇ ମୋ ମାଆର ସେବା କରିପାରିଲି ନାହିଁ । ମୋ ସ୍ତ୍ରୀ ମୋ ମାଆର ସେବା କରୁଛି। ତେଣୁ ମୁଁ ମୋ ସ୍ତ୍ରୀ ପାଖରେ ଜୀବନଯାକ ଋଣୀ ରହିବି’।

ହଠାତ୍ ସେପଟୁ ଆଉ କିଛି ଶୁଭିଲା ନାହିଁ। ଜାଣିପାରିଲି ସେ ଆଉକିଛି କହିପାରୁନଥିଲେ। ବୋଧହୁଏ ସେ କୋହ ଆଉ ଲୁହରେ ଚୁପ୍ ହୋଇଯାଇଥିଲେ। ମୁଁ ତାକୁ ସାନ୍ତ୍ୱନା ଦେଇ କହିଲି- ତୁମେ ଯାହା କରୁଛ ଠିକ୍ କରୁଛ, ତାହା କରିଚାଲ। ଭଗବାନଙ୍କର ଆଶୀର୍ବାଦ ତମପାଇଁ ସବୁବେଳେ ଥିବ’। ମୋପଟୁ ଫୋନଟାକୁ କାଟିଦେଇ ଭାବିଲି- ଯଦି ତାଙ୍କ ପରି ସମସ୍ତେ ଘଟଣାଟାକୁ ବୁଝିପାରନ୍ତେ ଓ ନିଜ ଜୀବନର ଦାୟିତ୍ୱ ନିଜେ ନିଅନ୍ତେ, ତେବେ ସଂସାରଟା ସୁଖମୟ, ଶାନ୍ତିମୟ ଓ ସଫଳ ହୋଇଯାଆନ୍ତା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment