ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଭାରତ ଛଡ଼ା ୮ଟି ଦେଶରୁ ଅନେକ କଳାକାର ଭାଗ ନେଇଛନ୍ତି। ପର୍ଯ୍ୟଟକମାନେ ସୁନ୍ଦର ସୁନ୍ଦର ବାଲୁକା କଳାର ମଜା ନେଉଛନ୍ତି।

କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଶୁଭାରମ୍ଭ ହୋଇଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମା, ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନୀତିନଭାନୁଦାସ ଜାୱାଲେ, ସଂସ୍କୃତି ସଚିବ ଡକ୍ଟର ମନୋରଞ୍ଜନ ପାଣିଗ୍ରାହୀ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ଚଳିତବର୍ଷ ଦେଶ ତଥା ଦେଶ ବାହାରୁ ବହୁ ବାଲୁକା ଶିଳ୍ପୀ ଯୋଗଦେଇଛନ୍ତି। ବେଳାଭୂମିରେ ତିଆରି ହୋଇଥିବା ସୁନ୍ଦର ସୁନ୍ଦର ବାଲୁକା କଳା ଦର୍ଶକ ତଥା ପର୍ଯ୍ୟଟକଙ୍କ ମନ ଜିଣୁଛି। ଚଳିତବର୍ଷ ଭାରତ ଛଡ଼ା ୮ଟି ଦେଶରୁ ଅନେକ କଳାକାର ଭାଗ ନେଇଛନ୍ତି। ଶ୍ରୀଲଙ୍କା, ଜର୍ମାନୀ, ସିଙ୍ଗାପୁର, ମେକ୍ସିକୋ, ଘାନା, ଫ୍ରାନ୍ସ, ସ୍ପେନ୍ ଏବଂ ଋଷିଆ ସହ ଭାରତର ବିଭିନ୍ନ ପ୍ରଦେଶରୁ ବାଲୁକା ଶିଳ୍ପୀ ଯୋଗ ଦେଇଛନ୍ତି। ଉତ୍ସବରେ ୪୧ଟି ଷ୍ଟଲ୍‌ ଖୋଲାଯାଇଛି।

“କୋଣାର୍କ ଉତ୍ସବର ପ୍ରମୁଖ ଅଂଶ ହେଉଛି ଆନ୍ତର୍ଜାତିକ କାଲୁକା କଳା ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ ସମୁଦ୍ର ବେଳାଭୂମିରେ ଆୟୋଜନ କରାଯାଉଛି। ଦେଶ ତଥା ଦେଶ ବାହାରୁ ବହୁ ଖ୍ୟାତିସମ୍ପନ୍ନ ଶିଳ୍ପୀ ଚଳିତବର୍ଷ ସାମିଲ ହୋଇ ବାଲୁକା କଳା ମାଧ୍ୟମରେ ସମୁଦ୍ର ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ଚଳିତବର୍ଷ ୪୧ଟି ଷ୍ଟଲ ଖୋଲାଯାଇଛି”, କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

୨୦୧୧ରୁ ଆରମ୍ଭ ହୋଇଥିବା କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସପ୍ତମ ବର୍ଷରେ ପାଦ ଦେଉଛି। ଚଳିତବର୍ଷ ଭିନ୍ନକ୍ଷମ କଳାକାରମାନେ ଆକର୍ଷଣ ପାଲଟିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ଦୁଇ ଜଣ ଭିନ୍ନକ୍ଷମ ବାଲୁକା ଶିଳ୍ପୀ ୫ ଦିନ ଧରି ସେମାନଙ୍କ କଳା ପ୍ରଦର୍ଶନ କରିବେ। ସେହିପରି ଗତ କିଛିବର୍ଷ ଧରି ମହିଳା ଶିଳ୍ପୀମାନେ ମଧ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି। ମହିଳା ଶିଳ୍ପୀମାନେ ମୁଖ୍ୟତଃ ଗ୍ରୁପ୍ ଇଭେଣ୍ଟରେ ଭାଗ ନେଉଥିବା ବେଳେ ଚଳିତବର୍ଷ ଝାଡଖଣ୍ଡ ଓ ମହାରାଷ୍ଟ୍ରରୁ ଦୁଇ ଜଣ ମହିଳା ଡବଲ୍ସ ବିଭାଗରେ ଯୋଗ ଦେଇଛନ୍ତି।

ଓଡ଼ିଶାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ମୂଳରୁ ଯୋଡ଼ି ହୋଇ ରହିଛନ୍ତି। ସୁଦର୍ଶନ ଏହାର ବ୍ରାଣ୍ଡ ଆମ୍ବାସଡର ଭାବେ ବାଲୁକା କଳା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସୁଦର୍ଶନ ନିଜେ ଯୋଗଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତକ କରୁଛନ୍ତି।

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଯୋଗ ଦେଉଥିବା ପ୍ରତିଯୋଗୀମାନଙ୍କୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ତାହା ହେଲୋ ସୋଲୋ ବା ଏକକ, ଡବଲ୍ସ ଏବଂ ଗ୍ରୁପ୍  ଇଭେଣ୍ଟ। ଚଳିତବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିବା ଶିଳ୍ପୀଙ୍କୁ ପ୍ରଥମ ସ୍ଥାନ ପାଇଁ୧ ଲକ୍ଷ ଟଙ୍କା, ଦ୍ୱିତୀୟ ଶିଳ୍ପୀଙ୍କୁ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ଶିଳ୍ପୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ପାଞ୍ଚ ଦିନରେ ଥିମ୍

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ୫ ଦିନରେ ୫ଟି ଥିମ ରଖାଯାଇଛି। ଚଳିତବର୍ଷ ଏହି ବିଷୟଗୁଡିକ ମଧ୍ୟରେ ପ୍ରଥମ ଦିନ- Save the Sea, ଦ୍ୱିତୀୟ ଦିନ- Buddhist Heritage, ତୃତୀୟ ଦିନ- Eco Tourism, ଚତୁର୍ଥ ଦିନ- Ethnic Heritage, ପଞ୍ଚମ ଦିନ- World Heritage ରହିଛି।

Comment