ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁସଲିମ୍‌ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ଆଇନ ଚିଠା ପ୍ରସ୍ତୁତ
  • ମତାମତ ପାଇଁ ଏହି ଚିଠାକୁ କାଶ୍ମୀର ବ୍ୟତୀତ ସବୁ ରାଜ୍ୟକୁ ପଠାଯାଇଛି
  • ସଂସଦର ଶୀତ ଅଧିବେଶନରେ ବିଲ୍ ଆଗତ ହେବା ଯୋଜନା
  • ତିନି ତଲାକ୍‌ ହେବ ଜାମିନ୍‌ ବିହୀନ ଧର୍ତ୍ତବ୍ୟ ଅପରାଧ
  • ୩ ବର୍ଷ ଜେଲ୍‌ ଓ ଜରିମାନା ବ୍ୟବସ୍ଥା
  • ଭରଣପୋଷଣ ପାଇଁ ଅଦାଲତ ଯାଇପାରିବେ ମହିଳା
  • ପୀଡ଼ିତା ମହିଳାଙ୍କ ସୁରକ୍ଷା ପାଇଁ ଆଇନରେ ରହିଛି ବ୍ୟବସ୍ଥା

ତିନି ତଲାକ୍‌ ଉଚ୍ଚାରଣ କରି ମୁସଲିମ୍‌ ମହିଳାଙ୍କୁ ଛାଡ଼ପତ୍ର ଦେଲେ ଏହାକୁ ଧର୍ତ୍ତବ୍ୟ ଜାମିନ୍‌ ବିହୀନ ଅପରାଧ ଭାବେ ଗ୍ରହଣ କରାଯିବ। ଏଥିପାଇଁ ତିନି ବର୍ଷ ଜେଲ ସହ ଜରିମାନା ଦେବାକୁ ପଡିବ। ମୌଖିକ, ଲିଖିତ, ଟେଲିଫୋନ, ଟେଲିଗ୍ରାମ, ସୋସିଆଲ ସାଇଟ୍‌ରେ ତଲାକ୍‌ ଦେବା ବେଆଇନ୍ ହେବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ସରକାର ଏ ସଂପର୍କୀତ ଚିଠା ଆଇନ ପ୍ରସ୍ତୁତ କରିଛନ୍ତି।

ଏହି ଚିଠା ଉପରେ ମତାମତ ଦେବାପାଇଁ ଜାମ୍ମୁକାଶ୍ମୀରକୁ ଛାଡିଦେଇ ଅନ୍ୟ ସବୁ ରାଜ୍ୟକୁ ପଠାଇ ଦିଆଯାଇଛି। ମତାମତ ନେବା ପରେ ଶୀତ ଅଧିବେଶନରେ ଏ ବିଲ୍‌କୁ ସଂସଦରେ ଆଗତ କରିପାରନ୍ତି କେନ୍ଦ୍ର ସରକାର। ଦୁଇ ସଦନରେ ପାସ୍‌ ହେବା ପରେ ଏହା ଆଇନରେ ପରିଣତ ହେବ।

ତିନି ତଲାକ୍‌ ତଥା ତଲାକ୍‌ ଏ’ ବିଦ୍ଦତକୁ ଅସାମ୍ବିଧାନିକ ଘୋଷଣା କରିବା ସହ ଖୁବଶୀଘ୍ର କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଆଇନ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌କୋର୍ଟ। ଏହାପରେ କଡ଼ା ଆଇନ ଆଣିବାକୁ ପଦକ୍ଷେପ ନେଇଥିଲେ ସରକାର।

ମୁସଲିମ୍‌ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ଆଇନ ସଂପର୍କୀତ ଚିଠାରେ ତିନି ତଲାକ୍‌ ରୋକିବା ନେଇ କଠୋର ଦଣ୍ଡବିଧାନ ସହ ମହିଳାଙ୍କ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ପୀଡିତା ମହିଳା ଚାହିଁଲେ ନାବାଳକ ସନ୍ତାନକୁ ନିଜ ହେପାଜତରେ ରଖିପାରିବେ ବୋଲି ଏହି ଚିଠା ଆଇନରେ ରହିଛି। ଏହାସହ ପୀଡ଼ିତା ନିଜ ପାଇଁ ଏବଂ ତାଙ୍କ ଉପରେ ନିର୍ଭର କରୁଥିବା ସନ୍ତାନ ପାଇଁ ଅଦାଲତରେ ଭରଣପୋଷଣ ଦାବି କରିପାରିବେ।

ଟ୍ରିପଲ୍‌ ତଲାକ୍‌କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରିବା ପରେ ମଧ୍ୟ ଅନେକ ମୁସଲିମ୍‌ ମହିଳା ଏହି ବ୍ୟବସ୍ଥାର ଶିକାର ହୋଇଥିବା ସୂଚନା ମିଳିଛି। ଏକ ସୂତ୍ରରୁ ପ୍ରକାଶ ଯେ ତିନି ତଲାକ୍‌ ଅସାମ୍ୱିଧାନିକ ଘୋଷଣା ହେବା ପରେ ୬୭ ଜଣ ମହିଳା ଏହି ପ୍ରଥାର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ତେଣୁ ଏହି ଆଇନକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର। ଜାମ୍ମୁକାଶ୍ମୀରକୁ ଛାଡିଦେଇ ଅନ୍ୟସବୁ ରାଜ୍ୟରେ ଏହି ଆଇନକୁ ଲାଗୁ କରିବାକୁ ଚାହୁଁଛନ୍ତି ସରକାର।

Comment