ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଏବଂ ଦ୍ୱିତୀୟ ସନ୍ଧ୍ୟା ପରି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍‌ଲି ଇବ୍ରାହିମଙ୍କ ଓଡ଼ିଶୀ, ବନଶ୍ରୀ ରାଓ ଏବଂ ଗ୍ରୁପ୍‌ ତରଫରୁ ମଞ୍ଚସ୍ଥ ହୋଇଥିବା କୁଚିପୁଡି ନୃତ୍ୟରେ ଝୁମିଥିଲେ ଦର୍ଶକ।

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ମଧ୍ୟ ଥିଲା ନିଆରା। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷିତ ହୋଇଥିବା ନୃତ୍ୟରେ ଝୁମିଥିଲେ ଦର୍ଶକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍‌ଲି ଇବ୍ରାହିମ୍‌ଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଖାଲି ସେତିକି ନୁହେଁ, ବନଶ୍ରୀ ରାଓ ଏବଂ ସାଥୀଙ୍କ ଦ୍ବାରା ପରିବେଷିତ କୁଚିପୁଡି ନୃତ୍ୟରେ ବି ଦର୍ଶକଙ୍କ ମନ ଜିଣିଥିଲା।

ସଞ୍ଜ ନଇଁବା ପରେ କୋଣାର୍କର ମୁକ୍ତାକାଶ ମଞ୍ଚ ରଙ୍ଗିନ ଆଲୋକମାଳାରେ ଝଲସି ଉଠିଥିଲା। ଆଉ ଓଡ଼ିଶୀ ଏବଂ କୁଚିପୁଡି ନୃତ୍ୟରେ ବିଭୋର ହେବା ଲାଗି ମଞ୍ଚ ତଳେ ଅପେକ୍ଷା କରି ରହିଥିଲେ ଦର୍ଶକ। ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ମଞ୍ଚକୁ ଆସିଥିଲେ ମାଲେସିଆରୁ ଆସିଥିବା ସୁତ୍ର ଫାଉଣ୍ଡେସନର କଳାକାରମାନେ। ଏହି ଅନୁଷ୍ଠାନର ରାମଲି ଇବ୍ରାହିମ୍ ଏବଂ ସାଥୀ ପରିବେଷଣ କରିଥିଲେ ଓଡ଼ିଶୀ।

ଓଡ଼ିଶୀରେ ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ ଉପସ୍ଥାପନା କରିଥିଲେ ରାମଲି ଇବ୍ରାହିମ୍ ଏବଂ ତାଙ୍କ ଗ୍ରୁପ୍। ଏହା ଗଞ୍ଜାମର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକକୁ ଆଧାରକରି ପ୍ରସ୍ତୁତ ହୋଇଥିଲା। ଏହାପରେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ମଞ୍ଚସ୍ଥ କରିଥିଲେ ସ୍ଥାୟୀ। ଏହା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ସଖୀ ନାଟକକୁ ନେଇ ପରିପୃଷ୍ଟ ହୋଇଥିଲା। ସଖିନାଟକର ଲକ୍ଷଣ, ଆଙ୍ଗିକ ବିନ୍ୟାସ ଏବଂ ପରିପାଟୀର ସମନ୍ୱୟରେ ସ୍ଥାୟୀ ନୃତ୍ୟ ବେଶ୍ ମନଛୁଆଁ ହୋଇଥିଲା।

ତୃତୀୟ ସନ୍ଧ୍ୟାରେ ରାମ ଭଜନର ନୃତ୍ୟାଭିନୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଦକ୍ଷିଣ ଓଡ଼ିଶାର ଦାସକାଠିଆର ଲୋକପ୍ରିୟ ଗାୟକ ବୈଦ୍ୟନାଥ ରଥଶର୍ମାଙ୍କ ରଚିତ ରାମରସ ଗୀତିକାର ନୃତ୍ୟାୟନଙ୍କୁ ପରଷି ଦେଇଥିଲେ ଶିଳ୍ପୀ। ଅନ୍ତିମ ପର୍ଯ୍ୟାୟରେ ଉପସ୍ଥାପନ ହୋଇଥିଲା ଯୋଗିନୀ ମୋକ୍ଷ। ନଟରାଜ ଶିବଙ୍କ ଯୋଗ ଓ ସମାଧି ଅବସ୍ଥାରୁ ସୃଷ୍ଟି ହୋଇଥିବା ଯୋଗିନୀଗଣଙ୍କ ଆରାଧନା ଓ ଶକ୍ତି ଉପସନାର ତତ୍ତ୍ବକୁ ପ୍ରକାଶ କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀ।

କୁଚିପୁଡି ବି ମନ ମୋହିଲା

ଦ୍ୱିତୀୟ ପର୍ଯ୍ୟାୟରେ ମୁକ୍ତାକାଶ ମଞ୍ଚରେ ପରିବେଷଣ ହୋଇଥିଲା କୁଚିପୁଡି। ଏହାକୁ ମଞ୍ଚସ୍ଥ କରିଥିଲେ ବନଶ୍ରୀ ରାଓ ଏବଂ ରସ ୟୁନାଇଟେଡର ଶିଳ୍ପୀଗଣ। କୁଚିପୁଡି ନୃତ୍ୟର ପ୍ରଥମ ଉପସ୍ଥାପନା ରହିଥିଲା ନଟରାଜ ଶିବଙ୍କ ଆନନ୍ଦ ତାଣ୍ଡବ। ଏହାପରେ ମଞ୍ଚସ୍ଥ ହୋଇଥିଲା ରାଗମ୍-ସିନ୍ଧୁ ଭୈରବୀ ଓ ଆଦି ତାଳମ୍ରେ ଶୁଦ୍ଧନୃତ୍ୟ ତିଲ୍ଲାନା। ଏଥିରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟର ଗତି ଓ ପଦପାଦର ସଂଯୋଜନା ଖୁବ ଚିତାକର୍ଷକ ଥିଲା। ଅନ୍ତିମ ପର୍ଯ୍ୟାୟରେ ବନଶ୍ରୀ ରାଓ ଓ ସାଥୀମାନେ ପରିବେଷଣ କରିଥିଲେ ମହିଷାସୁର ମର୍ଦ୍ଦିନୀ।

ତୃତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଉନ୍ନୟନ କମିଶନର, ଆର୍‌ ବାଲକ୍ରିଷ୍ଣନ୍, ପୂର୍ବତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର, ଡକ୍ଟର ସଞ୍ଜୀବ ଚନ୍ଦ୍ର ହୋତା ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନିତୀନ ଭାନୁଦାସ ଜାୱାଲେ। ଡକ୍ଟର ସାଧନା ଶ୍ରୀବାସ୍ତବ ଏବଂ ଡକ୍ଟର ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ। ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଡକ୍ଟର ସଂଗୀତା ଗୋସାଇଁ ଉତ୍ସବ ପରିଚାଳନା କରିଥିଲେ।

ମୁକ୍ତାକାଶ ମଞ୍ଚରେ ସାରସ୍ୱତ ସମାରୋହ

ସେହିପରି ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ହୋଇଥିଲା ସାରସ୍ୱତ ସମାବେଶ। ଏହାକୁ ଉଦଘାଟନ କରିଥିଲେ ପ୍ରଖ୍ୟାତ ଗାଳ୍ପିକା  ତଥା ଔପନ୍ୟାସିକା ଡକ୍ଟର ପ୍ରତିଭା ରାୟ। ଶିଶୁ ସାହିତ୍ୟକ ଡକ୍ଟର ଦିଗରାଜ ବ୍ରହ୍ମା ମୁଖ୍ୟବକ୍ତା, ଭାବେ ଯୋଗ ଦେଇଥିବା ବେଳେ ବିରଞ୍ଚି ମିଶ୍ର ଓ କବି ନାରାୟଣ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ସଂସଦର ସଂପାଦକ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ବାହିନୀପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଶିଶୁ ସାହିତ୍ୟ ପତ୍ରିକା ‘ଦରବାର’ ଉନ୍ମୋଚିତ ହୋଇଥିଲା।

ବାଲୁକା କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା

ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଦେଶ ବିଦେଶରୁ ଆସିଥିବା ଶିଳ୍ପୀମାନେ ବାଲିରେ ସୁନ୍ଦର ସୁନ୍ଦର ବାଲୁକା କଳା ତିଆରି କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛନ୍ତି। ବାଲୁକା କଳା ଉତ୍ସବରେ ତୃତୀୟ ଦିନର ଥିମ୍‌ ଥିଲା ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏହି ଅବସରରେ ଶିଳ୍ପୀମାନେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ବାଲିରେ ସୁନ୍ଦର ସୁନ୍ଦର କଳାକୃତି ତିଆରି କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲେ। ପ୍ରଥମ ଦିନ – Save the Sea, ଦ୍ୱିତୀୟ ଦିନ- Buddhist Heritage ବିଷୟ ରହିଥିଲା।

Comment