ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଗତ କିଛି ଦିନ ଧରି ଗୋଟିଏ ଗୀତ ଦେଶରେ ବେଶ୍ ଲୋକପ୍ରିୟ ହୋଇଛି ଏବଂ ପ୍ରତିଟି ଆସରରେ ଏହା ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ମଧ୍ୟ ଏହାର ଦବଦବା କିଛି କମ ନୁହେଁ। ଇତି ମଧ୍ୟରେ ଏହି ଗୀତର ଶହ ଶହ ଭର୍ସନ ୟୁଟ୍ୟୁବରେ ଅପଲୋଡ ହୋଇଛି। ପ୍ରତିଟି କଳାକାର, ସେ ପ୍ରଭାସ-ଅନୁସ୍କା ହୁଅନ୍ତୁ କି ଅନ୍ୟ କେହି ହେଉ; ଏହି ଗୀତକୁ ନିଜନିଜ ଢଙ୍ଗରେ ଗାଇଛନ୍ତି।

କ’ଣ ଏହି ଗୀତ, କାହିଁକି ଏହାକୁ ଶୁଣିବା ପାଇଁ ସମସ୍ତେ  ବେତାବ୍?

୧ ସେପ୍ଟେମ୍ବରରେ ରିଲିଜ ହୋଇଥିବା ‘ବାଦସାହୋ’ ଚଳଚିତ୍ରର ଏହି ଗୀତ। ଅଜୟ ଦେବଗନ ଓ ଇଲିଆନା ଡିକ୍ରୁଜ୍ ଅଭିନୀତ ଏହି ଚିତ୍ର ଏକ ପିରିଅଡ ଫିଲ୍ମ। ୧୯୭୫ ଜରୁରୀ ପରିସ୍ଥିତି ବେଳେ ରାଜସ୍ଥାନ ଜୟପୁରର ରାଣୀ ଗୀତାଞ୍ଜଳିଙ୍କ ପ୍ୟାଲେସରେ ଚଢ଼ାଉ ହୁଏ। ଏଠି ଗଚ୍ଛିତ  ଥିବା ସୁନାକୁ ଦିଲ୍ଲୀ ନେଇ ଯିବା ପାଇଁ ସେତେବେଳର ସରକାର ଉଦ୍ୟମ କରନ୍ତି। କିନ୍ତୁ ରାଣୀ ଏହି ଉଦ୍ୟମକୁ ବିଫଳ କରାଇ ନିଅନ୍ତି। ରାଣୀ ତାଙ୍କ ବଡିଗାର୍ଡକୁ କହି ସୁନା ଗହଣାକୁ ଜବତ  କରି ପ୍ୟାଲେସ୍ ଭିତରକୁ ନେଇଯାଆନ୍ତି।

ସୋନମ୍ ଓ ହ୍ରିତ୍ୱିକ୍ ରୋଶନ ଏକ ଆଲବମ ଗୀତରେ (ଅପୋ ମୋବାଇଲ ବିଜ୍ଞାପନ ଆକାରରେ) ମଧ୍ୟ ଏହି ଗୀତର ଟାଇଟଲ ଟ୍ରାକ ଶୁଣିବାକୁ ମିଳିଥିଲା। ଏହି ଗୀତକୁ ଏବେ ୟୁଟ୍ୟୁବରେ ଦିବ୍ୟଙ୍କା-ବିବେକଙ୍କ ବିବାହ ଭିଡିଓରେ ମଧ୍ୟ ଢେର ଦେଖିବାକୁ ମିଳୁଛି।

ତେରେ ରସ୍କେ କମର ଗୀତଟି ପ୍ରକୃତରେ ଏକ ଉର୍ଦ୍ଦୁ ଗଜଲ

ପାକିସ୍ତାନୀ କବି ଫନା ବୁଲନ୍ଦ ଶେହରି ଏହାର ରଚୟିତା। ପରେ ଏହାକୁ କୱାଲି ଆକାରରେ ପ୍ରଥମେ ଗାଇଥିଲେ ଉସ୍ତାଦ ନୁସରତ ଫତେ ଅଲି ଖାଁ। ଏହି ମୂଳ ଟ୍ରାକ ରିଲିଜ ହୋଇଥିଲା ୧୯୮୭ ମସିହାରେ। ଫତେ ଅଲିଙ୍କ ଅସଂଖ୍ୟ କୱାଲି ଭିତରୁ ରସ୍କେ କମର ଗୋଟିଏ ସତ, ହେଲେ  ଗୀତର ଆକର୍ଷଣ ଓ କବିତା ଅତ୍ୟନ୍ତ ସୁନ୍ଦର ଓ ହୃଦୟସ୍ପର୍ଶୀ। ଆଉ ଏଇଥି ପାଇଁ ସମସ୍ତଙ୍କ ଓଠରେ ଆଜି ଏହି ହିଟ୍‍ ଗୀତ।

ବାଦସାହୋ ଫିଲ୍ମରେ ଗୀତଟି ଆସିବା ପରେ ତିରିଶ ବର୍ଷ ତଳର ଏହି କୱାଲି ପୁଣି ଥରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ଆରମ୍ଭ କରିଛି। ବାଦସାହୋ ଚିତ୍ରରେ ଯେଉଁ ଗୀତଟି ଶୁଣିବାକୁ ମିଳୁଛି ସେହି ଗୀତକୁ ପୁଣି ଥରେ ଲେଖିଛନ୍ତି ମନୋଜ ମୁନ୍ତାସିର। ପୁରୁଣା ଧୁନକୁ ଆଉଥରେ ସଜେଇଛନ୍ତି ତନିସ୍କ ବାଗଚି।
ଏହି ଗୀତର ବଡ଼ ଆକର୍ଷଣ ହେଉଛି  ଯୁବ ଗାୟକମାନେ ମଧ୍ୟ ସଫଳତାର ସହିତ ଏହାକୁ ଗାଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜୁନାଇଦ୍ ଅସଗର୍(ପାକିସ୍ତାନ) ଓ ଅରିଜିତ୍ ସିଂ। ମଞ୍ଚରେ ଏହି ଗୀତକୁ ଲୋକପ୍ରିୟ କରିଛନ୍ତି ନେହା କକ୍କର।

‘ତେରେ ରସ୍କେ କମର’ ଗୀତର ଅର୍ଥ କିଛି ଏହିଭଳି, ‘ଯାହାକୁ ଚନ୍ଦ୍ର ବି ଈର୍ଷା କରନ୍ତି, ସେଇ  ମୋ ଚନ୍ଦ୍ରମାର ଅସୂୟା।  ଯେତେବେଳେ ତୁମେ ପ୍ରଥମେ  ମୋ ଆଖିରେ  ପଡ଼ିଲ, ବହୁତ ମଜା ଆସିଲା’।

Comment