ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ଟି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା। କୋହଲା ପବନ କରୁଛି ଜନଜୀବନକୁ ଅସ୍ତବ୍ୟସ୍ତ। ୯ରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କରିଛି ପୂର୍ବାନୁମାନ।

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆରମ୍ଭ ହୋଇ ଯାଇଛି ବର୍ଷା। ଏହି ଅଦିନିଆ ବର୍ଷାରେ ୧୦ଟି ଜିଲ୍ଲାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅମଳ ହେବାକୁ ଥିବା ଧାନ ବିଲରେ ଭିଜୁଛି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି।

ଲଗାଣ ବର୍ଷ ଯୋଗୁ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ହୋଇଛି। ୯ ତାରିଖରୁ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବର୍ଷା ସାଙ୍ଗକୁ କୋହଲା ପବନ ବହୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପବନର ବେଗ ବଢ଼ିପାରେ। ଉକୂଳ ଓଡ଼ିଶାରେ ଘଣ୍ଟାକୁ ୪୫ରୁ ୫୫ କି ମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ କହିଛି। ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅବପାତ ଗୋପାଳପୁର ବନ୍ଦରଠାରୁ ୫୯୦ କି ମି ଦୂରରେ ରହିଛି। ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରୁଛି।

ଲଘୁଚାପ ଯୋଗୁ ଅଶାନ୍ତ ହୋଇଯାଇଛି ସମୁଦ୍ର। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ୨୯ର ଜିଲ୍ଲାର ଜିଲ୍ଲାପାଳ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଅଧିକାଂଶ ଚାଷୀ ଫସଲ ଅମଳ କରି ନପାରି ଚିନ୍ତାରେ ପଡ଼ିଛନ୍ତି।

Comment