ଭାସ୍କର ପରିଚ୍ଛା

ବିଧାନସଭା ବାହାରେ ଓ ଭିତରେ, ଦିଲ୍ଲୀରେ, ସୁପ୍ରିମକୋର୍ଟରେ ଓ ବିଭିନ୍ନ ମଞ୍ଚରେ ଛତିଶଗଡ-ଓଡ଼ିଶା ବିବାଦ ଯେଉଁ ସ୍ତରରେ ପହଞ୍ଚିଛି ଏହା ଆଉ ଏକ ଛୋଟ ପ୍ରସଙ୍ଗ ହୋଇରହିନାହିଁ। କେବଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ଆନ୍ତରିକତା ପ୍ରକାଶ ପାଇଥାନ୍ତା ଓ ଏ ଦିଗରେ ସଠିକ ଉଦ୍ୟମ କରାଯାଆନ୍ତା ଏହି ବିବାଦର ସମାଧାନ ବାହାରି ପାରିଥାନ୍ତା। ତେବେ ପୂରାପୂରି ଏହା ଏକ ରାଜନୈତିକ ପ୍ରସଙ୍ଗ ଓ କେନ୍ଦ୍ର ସରକାର କାହିଁକି ଛତିଶଗଡକୁ ସାହାଯ୍ୟ କରୁଛନ୍ତି ଓ ଓଡ଼ିଶାକୁ ନୁହେଁ, ତାହା ବୁଝାଇବାର ଆବଶ୍ୟକତା ନାହିଁ।

ମହାନଦୀ ପ୍ରସଙ୍ଗଟି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଛତିଶଗଡ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏନେଇ ଚାଲିଥିବା ବିବାଦକୁ ସମାଧାନ କରିବା ସକାଶେ କୌଣସି ଉଦ୍ୟମ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଏଥିରେ ଯେଉଁଭଳି ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି ତାହା ଓଡ଼ିଶା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ବର୍ତ୍ତମାନ ଯାହା ଦେଖାଯାଉଛି ,ଏଥିରେ ସୁପ୍ରିମକୋର୍ଟ ହିଁ ଏକ ମାତ୍ର ଭରସା। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଟ୍ରିବ୍ୟୁନାଲ ଗଠନ ନେଇ ଯେଉଁ କଟୁ ମନ୍ତବ୍ୟ ଦେଇଛନ୍ତି ତାହା ନିଶ୍ଚିତ ଭାବରେ କ୍ଷୀଣ ଆଶାର ସଞ୍ଚାର କରିଛି। ତେବେ ଏହା କେତେଦୂର କାମ ଦେଉଛି ଏବଂ କେନ୍ଦ୍ର ଏଥିରେ କେତେଦୂର ତା’ର ମନୋଭାବ ପରିବର୍ତ୍ତନ କରୁଛି ତାହା କହିବା କଷ୍ଟ।

ମହାନଦୀ ପ୍ରସଙ୍ଗରେ ଓ ଭୋଟ ରାଜନୀତି ଦୃଷ୍ଟିରୁ ବିଜେପି ଓଡ଼ିଶାରେ ତା’ର ସ୍ଥାନ କ୍ରମଶଃ ହରାଇ ଚାଲିଛି ଏଥିରେ ସନ୍ଦେହ ପ୍ରକାଶ କରିବାର ଆବଶ୍ୟକତା ଆଉ ନାହିଁ। ଯଦି ବିଜେପିର ତୁଙ୍ଗ ନେତୃତ୍ୱ ଏବେ ବି ଏହି ଧାରଣା ଦେବାକୁ ଚାହୁଁଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଫଳ ଭଳି ଦଳ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ ତାହା ପୂରା ଭ୍ରମ। ତେଣେ, ମହାନଦୀ ପ୍ରସଙ୍ଗରେ ଶାସକ ବିଜେଡି ଇତି ମଧ୍ୟରେ ନିଜ ସ୍ଥିତିକୁ ବେଶ୍ ସୁଦୃଢ଼ କରିପାରିଛି ଓ ଜନ ସଚେତନତା ସୃଷ୍ଟି କରିବା ଦିଗରେ ସଫଳ ହୋଇଛି।

ବିଧାନସଭା ବାହାରେ ଓ ଭିତରେ, ଦିଲ୍ଲୀରେ, ସୁପ୍ରିମକୋର୍ଟରେ ଓ ବିଭିନ୍ନ ମଞ୍ଚରେ ଛତିଶଗଡ-ଓଡ଼ିଶା ବିବାଦ ଯେଉଁ ସ୍ତରରେ ପହଞ୍ଚିଛି ଏହା ଆଉ ଏକ ଛୋଟ ପ୍ରସଙ୍ଗ ହୋଇରହିନାହିଁ। କେବଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ଆନ୍ତରିକତା ପ୍ରକାଶ ପାଇଥାନ୍ତା ଓ ଏ ଦିଗରେ ସଠିକ ଉଦ୍ୟମ କରାଯାଆନ୍ତା ଏହି ବିବାଦର ସମାଧାନ ବାହାରି ପାରିଥାନ୍ତା। ତେବେ ପୂରାପୂରି ଏହା ଏକ ରାଜନୈତିକ ପ୍ରସଙ୍ଗ ଓ କେନ୍ଦ୍ର ସରକାର କାହିଁକି ଛତିଶଗଡକୁ ସାହାଯ୍ୟ କରୁଛନ୍ତି ଓ ଓଡ଼ିଶାକୁ ନୁହେଁ ତାହା ବୁଝାଇବାର ଆବଶ୍ୟକତା ନାହିଁ।

ଗତ କିଛି ଦିନ ଧରି ମହାନଦୀରେ ଉପର ମୁଣ୍ଡରୁ ପାଣିର ପ୍ରବାହ ପ୍ରଚୁର ପରିମାଣରେ କମିବା ଆରମ୍ଭ କରିଥିବା ବେଳେ ଜଳସେଚନ କ୍ଷମତା ବଢାଇବା ପାଇଁ ଛତିଶଗଡ ସରକାରଙ୍କ ପକ୍ଷରୁ ସେଠାକାର ୩ଟି ନଦୀକୁ ମହାନଦୀ ସହିତ ଯୋଡିବାର ନୂଆ ପ୍ରୟାସ ଏହି ମାମଲାକୁ ଆହୁରି ବିବାଦୀୟ କରିଛି। ସୋମବାର ଦିନ ବିଧାନସଭାରେ ଏ ନେଇ ତୁମୁଳ ପାଟିତୁଣ୍ଡ ହୋଇଥିଲା। ଗତ ସପ୍ତାହରେ ଛତିଶଗଡ କୃଷି ମନ୍ତ୍ରୀ ବ୍ରିଜ୍ ମୋହନ ଅଗ୍ରୱାଲ ଘୋଷଣା କରିଛନ୍ତି ଯେ ମହାନଦୀ ସହିତ ଯୋଡ଼ିବା ପାଇଁ ତନ୍ଧୁଲା, ପାଇରି ନଦୀ ଉପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ତା’ ଛଡ଼ା ମହାନଦୀ ପାଣି ସାହାଯ୍ୟରେ ଆଉ ତିନୋଟି ଶାଖା ନଦୀର ସେଚ କ୍ଷମତା ମଧ୍ୟ ବଢାଇବା ପାଇଁ ରମଣ ସିଂ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମୋଟାମୋଟି ଭାବରେ ଦେଖିବାକୁ ଗଲେ, ମହାନଦୀ ଜଳ ଉପରେ ଛତିଶଗଡ ବେଶ୍ କବଜା କରିସାରିଲାଣି ଓ ଆଗକୁ ଏହା ଆହୁରି ଜୋରଦାର ହେବ। ସେଇ ଦିନ ଆଉ ବେଶି ଡ଼େରି ନୁହେଁ ଯେବେ ମହାନଦୀ ପାଣିରେ ଓଡ଼ିଶାର ଭାଗ ପ୍ରଚୁର ପରିମାଣରେ ହ୍ରାସ ପାଇବ। ଏହି ମାମଲାକୁ ଆଗାମୀ ଦିନରେ ଶାସକ ବିଜେଡି କିଭଳି ହ୍ୟାଣ୍ଡଲ କରୁଛି ତାହା ଦେଖିବାର କଥା।

ବିଗତ ୧୭ ବର୍ଷ ଧରି ଶାସନରେ ଥିବା ସରକାରର ଦୂରଦୃଷ୍ଟିହୀନତା ଓ ଅପରିଣାମଦର୍ଶିତା ଯୋଗୁଁ ଆଜି ଏହିଭଳି ସ୍ଥିତି ହୋଇଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଯଦି ଏ ନେଇ ସତର୍କ ନଜର ରଖାଯାଇଥାନ୍ତା ହୁଏତ ବିବାଦ ଏଇ ସ୍ତରକୁ ଆସି ନ ଥାନ୍ତା। ସ୍ପଷ୍ଟ ଭାବରେ କହିଲେ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଅଧିକାରୀମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ପୂରା ଅନ୍ଧାରରେ ରଖି ଆସିଛନ୍ତି। ଏବେ ବି ମହାନଦୀ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା, ତାହାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି ଓଡ଼ିଶା ସରକାର। ଟ୍ରିବ୍ୟୁନାଲ ମାମଲାରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ବି ଏହି କଥା ହିଁ କହିଥିଲେ।

ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ଭିତରେ ଓ ରାଜନୈତିକ ସ୍ତରରେ ହୁଏତ ଏକ କେନ୍ଦ୍ର-ବିରୋଧୀ ମନୋଭାବ ସୃଷ୍ଟି କରିବାରେ ବିଜେଡି ସଫଳ ହୋଇପାରିଛି ଏବଂ ସାଧାରଣ ଜନତା ମଧ୍ୟ ଏହା ବୁଝିବା ଆରମ୍ଭ କଲେଣି। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ନବୀନ ପଟ୍ଟନାୟକ ସରକାର ଇତି ମଧ୍ୟରେ ଏକ ଭଲ କାମ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଛି।

ସତ କହିଲେ, ଯଦି ମହାନଦୀ ପ୍ରସଙ୍ଗରେ ଆମେ କେନ୍ଦ୍ର ଓ ଛତିଶଗଡ ସରକାରକୁ ଟକ୍କର ଦେବାକୁ ଚାହିଁବା, ସବୁ ଦଳର ସମର୍ଥନରେ ହିଁ ତାହା କରିପାରିବା। ଅତୀତରେ ବିଜେଡି ଯେଉଁଭଳି ମହାନଦୀ ବିବାଦକୁ ଏକଲା ଲଢ଼ିବା ପାଇଁ ଚାହୁଁଥିଲା ବିଳମ୍ବରେ ହେଲେ ମଧ୍ୟ ସେହି ଭ୍ରମକୁ ଦୂର କରିପାରିଛି। ବର୍ତ୍ତମାନ ସମୟ ଆସିଛି ଅନ୍ତତଃ ବିଜେଡି ଓ କଂଗ୍ରେସ (ସର୍ବାଧିକ ସମୟ ସରକାରରେ ରହିଥିବା କାରଣରୁ) ଏକାଠି ହୋଇ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିବା ଦରକାର।

କଂଗ୍ରେସ ଏବେ ଏକ ନୂଆ ସଭାପତି ପାଇଛି ଓ ରାହୁଲ ଗାନ୍ଧୀ କେବଳ ପିସିସି ସଭାପତି ପରିବର୍ତ୍ତନ ନୁହେଁ, ଓଡ଼ିଶାର ବିଭିନ୍ନ ସମସ୍ୟା ସହିତ ବେଶ୍ ପରିଚିତ ଅଛନ୍ତି। ଏଣୁ ଆଗାମୀ ଦିନରେ ଯଦି ବିଜେଡି ଓ କଂଗ୍ରେସ ମଧ୍ୟରେ ସହଯୋଗର ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ସେଥିରେ ରାଜ୍ୟ ବେଶ୍ ଲାଭବାନ ହେବ।

ବିଜେଡି ପାଇଁ କଂଗ୍ରେସ ‘ଅସ୍ପୃଶ୍ୟ’ ହୋଇ ଆଉ ରହିନାହିଁ ବୋଲି ଦଳର ଜଣେ ବରିଷ୍ଠ ସାଂସଦ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ପ୍ରାସଙ୍ଗିକତା ଅନ୍ୟ ସମୟ ଅପେକ୍ଷା ଏବେ ବେଶୀ। ସୁତରାଂ, ଏଣିକି ଅନ୍ତତଃ ମହାନଦୀ ଜଳ ବିବାଦରେ ବିଜେଡି ସରକାରଙ୍କ ପକ୍ଷରୁ ନିଷ୍ଠାପର ଭାବରେ ଯେଉଁ ତଥ୍ୟ ଜାରି କରିବା ଦରକାର ତାହା କରାଯିବା ଆବଶ୍ୟକ। ବିଜେଡି ନେତାମାନେ ବିନା ତଥ୍ୟ ଓ ବିନା ପ୍ରସ୍ତୁତିରେ ଯେପରି ଛତିଶଗଡ ସରକାରଙ୍କ ଉପରେ ହୁଣ୍ଡାଙ୍କ ଭଳି ଆକ୍ରମଣ କରୁଛନ୍ତି ତାହା ବିଶେଷ ଫଳପ୍ରଦ ହେବ ନାହିଁ। କହି ଜାଣିଲେ କଥା ସୁନ୍ଦର (ଓ ପ୍ରଭାବଶାଳୀ), ଏହା କହିବା ବାହୁଲ୍ୟ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment