ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟରେ ଡବଲ ସେଞ୍ଚୁରି ତାଲିକା ବେଶୀ ଲମ୍ବା ନୁହେଁ। ହେଲେ ଏହି କ୍ଲବରେ ସାମିଲ ହୋଇଛନ୍ତି ୫ ଜଣ କ୍ରିକେଟ ତାରକା। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର୍। ସଚିନ୍ ଏବଂ ସେହବାଗଙ୍କ ପରେ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ତିନି ତିନି ଥର ଡବଲ ସେଞ୍ଚୁରି ହାସଲ କରି ସୃଷ୍ଟି କରିଛନ୍ତି ଅନନ୍ୟ ରେକର୍ଡ।

ମୋହାଲିର ବିନ୍ଦ୍ରା ଷ୍ଟାଡିୟମ୍‌ରେ କମାଲ୍ ଦେଖାଇଛନ୍ତି ଭାରତୀୟ କ୍ରିକେଟର୍‌ ରୋହିତ ଶର୍ମା। ଶ୍ରୀଲଙ୍କା ବପିକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ସେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ୧୫୩ ବଲ୍‌ରେ ୨୦୮ ରନ୍‌ କରି ତୃତୀୟ ଥର ପାଇଁ ଡବଲ ସେଞ୍ଚୁରି କ୍ଲବରେ ସାମିଲ୍ ହୋଇଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ରୋହିତ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି।

କେବଳ ରୋହିତ ଶର୍ମା ନୁହନ୍ତି। ଏହା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ୍‌, କ୍ରିସ୍‌ ଗେଲ୍‌, ମାର୍ଟିନ୍ ଗୁପତିଲ୍‌ ମଧ୍ୟ ଡବଲ ସେଞ୍ଚୁରି କ୍ଲବରେ ସାମିଲ ହୋଇ ସାରିଛନ୍ତି।

ସଚିନ୍‌ ତେନ୍ଦୁଲକର: କ୍ରିକେଟରେ ଡବଲ ସେଞ୍ଚୁରି କଥା କହିବା ବେଳେ ମାଷ୍ଟର ବାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁ ଆଖି ସାମ୍ନାକୁ ଚାଲିଆସେ। କାରଣ ସଚିନ୍‌ ହିଁ ହେଉଛନ୍ତି ଏହି ଅନନ୍ୟ ରେକର୍ଡର ପ୍ରଥମ ଅଧିକାରୀ। ଗ୍ବାଲିୟରର କ୍ୟାପ୍ଟେନ୍ ରୁପ୍‌ ସିଂ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସଚିନ୍ ଏହି ସଫଳତା ହାସଲ କରିଥିଲେ। ୨୦୧୦ ଫେବୃୟାରୀ ୨୪ରେ ସଚିନ୍ ଡବଲ ସେଞ୍ଚୁରି ହାସଲ କରି କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

ବୀରେନ୍ଦ୍ର ସେହବାଗ: ଭାରତୀୟ କ୍ରିକେଟ ଟିମ୍‌ର ଆଉ ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ୍‌ ହେଲେ ବୀରେନ୍ଦ୍ର ସେହବାଗ। ସଚିନ୍‌ଙ୍କ ପରେ ସେହବାଗ ହେଉଛନ୍ତି ଟିମ୍‌ ଇଣ୍ଡିଆର ଦ୍ୱିତୀୟ କ୍ରିକେଟର, ଯିଏ କି ଡବଲ ସେଞ୍ଚୁରି କ୍ଲବରେ ସାମିଲ୍‌ ହୋଇଥିଲେ। ୨୦୧୧ରେ ଇନ୍ଦୋରର ହଲକାର କ୍ରିକେଟ ଷ୍ଟାଡିୟମରେ ସେହବାଗ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୧୯ ରନ୍ କରି ରେକର୍ଡ କରିଥିଲେ।

ରୋହିତ ଶର୍ମା: ସଚିନ୍ ଏବଂ ସେହବାଗଙ୍କ ପରେ ଟିମ୍‌ ଇଣ୍ଡିଆର ରୋହିତ ଶର୍ମା ବି ଡବଲ ସେଞ୍ଚୁରି କ୍ଲବରେ ସାମିଲ ହୋଇଛନ୍ତି। ସେ ତିନି ତିନି ଥର ଏହି ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୩, ୨୦୧୪ ଏବଂ ୨୦୧୭ରେ ରୋହିତ ଏହି ରେକର୍ଡ ହାସଲ କରିଛନ୍ତି। ୨୦୧୩ରେ ରୋହିତ ବେଙ୍ଗାଳୁରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ୍ କରିଥିଲେ। ସେହିପରି ୨୦୧୪ରେ କୋଲକାତାର ଇଡେନ୍ ଗାର୍ଡେନରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨୬୪ ରନ୍ କରିଥିଲେ। ଏବେ ୨୦୧୭ରେ ମୋହାଲିରେ ବି ରୋହିତ କମାଲ୍ ଦେଖାଇଛନ୍ତି। ପୁଣି ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ୍ କରି ଫ୍ୟାନ୍‌ମାନଙ୍କୁ ଉତ୍ସାହିତ କରିଛନ୍ତି।

କ୍ରିସ୍‌ ଗେଲ୍‌: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌ର ତୋଫାନ୍ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ କ୍ରିସ୍‌ ଗେଲ୍‌ ବି କିଛି କମ୍‌ରେ ନାହାନ୍ତି। ୨୦୧୫ ଫେବୃୟାରୀ ୨୪ରେ ଜିମ୍ବେୱେ ବିପକ୍ଷ ମ୍ୟାଚରେ ଗେଲ୍‌ ୨୧୫ ରନ୍ କରି ଡବଲ୍ ସେଞ୍ଚୁରି କ୍ଲବରେ ସାମିଲ୍ ହୋଇଛନ୍ତି। ଅଷ୍ଟ୍ରେଲିଆର ମାନୁକା ଓଭାଲ ଷ୍ଟାଡିୟମରେ ଗେଲ୍‌ ଏହି ରେକର୍ଡର ଅଧିକାରୀ ହୋଇଥିଲେ।

ମାର୍ଟିନ୍ ଗୁପ୍ତିଲ୍‌: ନ୍ୟୁଜିଲାଣ୍ଡର ଅନ୍ୟତମ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଭାବେ କ୍ରିକେଟ ଜଗତରେ ପରିଚୟ ପାଇଛନ୍ତି ମାର୍ଟିନ୍ ଗୁପ୍ତିଲ୍‌। ସେ ୨୦୧୫ ଫେବୃୟାରୀ ୨୪ରେ ଡବଲ ସେଞ୍ଚୁରି କ୍ଲବରେ ସାମିଲ୍ ହୋଇଥିଲେ। ନ୍ୟୁଜିଲାଣ୍ଡର ୱେଲିଂଟନ୍‌ ରିଜିଓନାଲ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ସେ ୨୩୭ ରନ୍ କରି ରେକର୍ଡ ସୃଷ୍ଟି କରିଛନ୍ତି।

Comment