ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ବକ୍ସର ମେରୀ କମ୍‌ଙ୍କ ସ୍ୱପ୍ନ ଶେଷ ହୋଇନି। ମହିଳା ବକ୍ସିଂକୁ ନେଇ ତାଙ୍କ ମନରେ ଅନେକ ଆଶା ରହିଛି। ୨୦୨୦ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ସେ ଏବେଠାରୁ ନିଜକୁ ଫିଟ୍‌ କରୁଛନ୍ତି।

ମେରୀ କମ୍। ଏହି ନାଁ ଟି ଶୁଣିବା ମାତ୍ରେ ମହିଳା କ୍ରୀଡ଼ାବିତଙ୍କ ମନରେ ଭରିଯାଏ ଜୋସ୍‌। ଆଉ ତାଙ୍କ ପ୍ରତିଦ୍ୱନ୍ଦ୍ବୀମାନେ ଇର୍ଷାରେ ଜର୍ଜରିତ ହୋଇ ଯାଆନ୍ତି। କାହିଁକି ନା ଜଣେ ମହିଳା ବକ୍ସର ଭାବେ ଯେତିକି ସଫଳତା ପାଇବା କଥା ତାହା ମେରୀ କମ୍‌ ପାଇ ସାରିଛନ୍ତି। ତଥାପି ତାଙ୍କର ସ୍ୱପ୍ନ ଶେଷ ହୋଇନି। ମହିଳା ବକ୍ସିଂକୁ ନେଇ ତାଙ୍କ ମନରେ ଅନେକ ଆଶା ରହିଛି। ଲକ୍ଷ୍ୟ ବି ରହିଛି ଅନେକ।

ଅଲମ୍ପିକ୍ସରେ ସ୍ୱପ୍ନ ପଦକ ହାସଲ କରିବା ହେଉଛି ମହିଳା ବକ୍ସର୍ ମେରୀ କମ୍‌ଙ୍କ ଶେଷ ଲକ୍ଷ୍ୟ। ଏଥିପାଇଁ ସେ ଏବେଠାରୁ ଦିନରାତି ଏକ କରି ବକ୍ସିଂ ଉପରେ ଧ୍ୟାନ ଦେଉଛନ୍ତି।

“ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଅଲମ୍ପିକ୍ସର ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇନି। ୨୦୨୦ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିବା ହେଉଛି ମୋର ଶେଷ ଲକ୍ଷ୍ୟ। ଏହାକୁ ଦୃଷ୍ଟିରେ ରଖି ମୁଁ ନିଜକୁ ପ୍ରସ୍ତୁତ କରୁଛି। ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ବାକିସବୁ ଭଗବାନଙ୍କ ଉପରେ ଛାଡ଼ି ଦେଇଛି”, ଗଣମାଧ୍ୟମକୁ କହିଛନ୍ତି ମହିଳା ବକ୍ସର ଏମ୍‌ ସି ମେରୀ କମ୍।

ମେରୀ କମ୍‌ଙ୍କୁ ୨୦୧୨ରେ ଲଣ୍ଡନ୍ ଅଲମ୍ପିକ୍ସରେ ଦେଖିବାକୁ ମିଳିଥିଲା। ମେରୀ କମ୍‌ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ବକ୍ସର, ଯିଏ ଲଣ୍ଡନ ଅଲମ୍ପିକକୁ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ୫୧ କେଜି କାଟାଗୋରି ପ୍ରତିଯୋଗିତାରେ ଭାଗନେଇ ମେରୀ କମ୍‌ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

୨୦୧୪ରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ମେରୀ କମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ମହିଳା ବକ୍ସର ଭାବେ ସେ ଏହି ସଫଳତା ହାସଲ କରିଥିଲେ।

ମେରୀ କମ୍‌ ୪୮ କିଲୋ କାଟାଗୋରି ପ୍ରତିଯୋଗିତାରେ ସାମିଲ ହେଉଥିଲେ। କିନ୍ତୁ ଲଣ୍ଡନ ଅଲମ୍ପିକ୍ସରେ ସେ ତାଙ୍କ କାଟାଗୋରି ବଦଳାଇ ଦେଇଥିଲେ। ଫଳରେ ସେ ଭଲ ପ୍ରଦର୍ଶନ କରିପାର ନଥିଲେ ବୋଲି ପରବର୍ତ୍ତୀ ମୁହୂର୍ତ୍ତରେ ସ୍ବୀକାର କରିଛନ୍ତି। ୪୮ କିଲୋ କାଟାଗୋରି ସେ ୫ଟି ପଦକ ହାସଲ କରିଛନ୍ତି।

ବର୍ତ୍ତମାନ ମେରୀ କମ୍‌ ୩୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଣୁ ସେ ନିଜକୁ ୨୦୨୦ ଅଲମ୍ପିକ ପାଇଁ ଫିଟ୍‌ ରଖିବା ପାଇଁ ଉଦ୍ୟମ କରୁଛନ୍ତି।

“ବର୍ତ୍ତମାନ ମୁଁ ମୋ ବୟସ ସହ ସଂଘର୍ଷ କରୁଛି। ମୁଁ କେମିତି ଫିଟ୍ ରହିବି ତାହା ମୋ ପାଇଁ ଚାଲେଞ୍ଜ। କ୍ୟାରିଅରରେ ମୁଁ ଅନେକ କିଛି ସଫଳତା ହାସଲ କରିଛି। ଯେ ପର୍ଯ୍ୟନ୍ତ ମୋ ମନରେ ଇଚ୍ଛାଶକ୍ତି ବଞ୍ଚି ରହିଥିବ ସେ ପର୍ଯ୍ୟନ୍ତ ମୁଁ ପ୍ରତିଯୋଗିତାରେ ଭାଗ ନେଉଥିବି”, କହିଛନ୍ତି ମେରୀ କମ୍‌।

ମେରୀ କମ୍‌ ଆହୁରି କହିଛନ୍ତି ଯେ, ସାମାଜିକ ବିଧି ବ୍ୟବସ୍ଥା ଧିରେଧିରେ ପରିବର୍ତ୍ତନ ହେଉଛି। ଭାରତୀୟ ମହିଳାମାନେ ଅଧିକରୁ ଅଧିକ କ୍ରୀଡ଼ା ପ୍ରତି ଆକୃଷ୍ଟ ହେଉଛନ୍ତି। ବକ୍ସିଂ କ୍ଷେତ୍ରକୁ ଆସିବା ପାଇଁ ବିଶେଷକରି ଉତ୍ତର ଏବଂ ଦକ୍ଷିଣ ଭାରତର ମହିଳାମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପରିବାର ଲୋକେ ସେମାନଙ୍କୁ ବକ୍ସିଂକୁ ଆସିବା ପାଇଁ ଛାଡ଼ୁ ନଥିଲେ। ହେଲେ ଏବେ ସମୟ ବଦଳିଛି। ଅଧିକରୁ ଅଧିକ ମହିଳା ବକ୍ସିଂ ପ୍ରତି ଆକୃଷ୍ଟ ହେଉଛନ୍ତି।

ମେରୀ ମଧ୍ୟ ବକ୍ସିଂକୁ ଆସିବା ବେଳେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ। ସେ ଝିଅ ହୋଇଥିବାରୁ ବକ୍ସିଂକୁ ସେ ଆସନ୍ତୁ ବୋଲି ତାଙ୍କ ପରିବାର ଲୋକେ ଚାହୁଁ ନଥିଲେ। ତଥାପି ମୁଁ ବକ୍ସିଂ କ୍ଷେତ୍ରକୁ ଆସିଲି। ବାହା ହୋଇ ମାଆ ହେବା ପରେ ବି କ୍ରୀଡ଼ା ଜାରି ରଖିଛି ବୋଲି ମେରୀ କହିଛନ୍ତି।

Comment