ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରଙ୍ଗାରଙ୍ଗ ପରିବେଷରେ ଉଦଘାଟିତ ହେଲା ତୋଷାଳି ମେଳା
  • ଉଦଘାଟନୀ ଉତ୍ସବରେ ଓଡ଼ିଶୀ ନାଚିଲେ ୧୦୮ ନୃତ୍ୟ ଶିଳ୍ପୀ
  • ଡସେମ୍ବର ୨୭ ତାରିଖ ଯାଏଁ ଚାଲିବ ମେଳା
  • କୃତୀ ହସ୍ତଶିଳ୍ପୀମାନଙ୍କୁ ମିଳିଲା ପୁରସ୍କାର
  • ମେଳାରେ ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ଆରମ୍ଭ ହୋଇଛି ୧୨ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୭। ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ମେଳାକୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉଦଘାଟନ କରିଛନ୍ତି। ୨୭ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

ଉଦଘାଟନୀ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପଦ୍ମବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

“ରାଜ୍ୟରେ ୪୪ ହଜାର ବୁଣାକାର ତଥା ଦେଢ଼ ଲକ୍ଷ ହସ୍ତଶିଳ୍ପ କାରିଗରଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଆନୁଷ୍ଠାନିକ ତାଲିମ୍, ନମୁନା ବିକାଶ କାର୍ଯ୍ୟକ୍ରମ, ହସ୍ତତନ୍ତ ତଥା ହସ୍ତଶିଳ୍ପ ଉଦ୍ୟୋଗର ଆଧୁନିକୀକରଣ ମାଧ୍ୟମରେ ରାଜ୍ୟର ଶିଳ୍ପୀମାନଙ୍କ ଦକ୍ଷତା ବୃଦ୍ଧି ଓ ସଶକ୍ତ କରିବାକୁ ପ୍ରୟାସ କରାଯଉଛି”, କହିଛନ୍ତି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ।

ଏହି ଅବସରରେ ୨୦୧୬ ମସିହା ପାଇଁ କୃତୀ ହସ୍ତଶିଳ୍ପୀମାନଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଏବଂ ଜୀବନବ୍ୟାପି ହସ୍ତଶିଳ୍ପ କୃତି ପୁରସ୍କାର ପ୍ରଦାନ କରାଯାଇଛି।

ପଥର ଖୋଦେଇ ନିମନ୍ତେ ଯାଜପୁର ଜିଲ୍ଲାର ଅଭିମନ୍ୟୁ ଓଝା, ଟସର ପେଣ୍ଟିଂ ପାଇଁ ପୁରୁଣା ଭୁବନେଶ୍ବରର ସ୍ବର୍ଣ୍ଣଲତା ମହାପାତ୍ର, ଟେରାକୋଟା ପାଇଁ ଖୋର୍ଦ୍ଧା ଜିଲ୍ଲା କପିଳେଶ୍ୱର ଅଞ୍ଚଳର ସଞ୍ଜୟ କୁମାର ମୁଦୁଲିଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ପଥର ଖୋଦେଇରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଭାକର ମହାରଣାଙ୍କୁ ଜୀବନବ୍ୟାପି ହସ୍ତଶିଳ୍ପ କୃତୀ ପୁରସ୍କାର ପ୍ରଦାନ କରାଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ‘ସ୍ୱର୍ଣ୍ଣାଚଳ’ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଶ୍ରିଙ୍ଗାରମଣି ରଶ୍ମିରେଖା ଦାସଙ୍କ ସଂଯୋଜନାରେ ୧୦୮ ଜଣ ନୃତ୍ୟଶିଳ୍ପୀ ‘ସର୍ବ ମଙ୍ଗଳମ୍’ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଚଳିତବର୍ଷ ଏହି ମେଳାରେ ୪୦୦ଟି ଷ୍ଟଲ୍ ଖୋଲା ଯାଇଛି। ଓଡ଼ିଶା ସମେତ ୨୫ଟି ରାଜ୍ୟର ୩୫୦ରୁ ଊର୍ଦ୍ଧ୍ବ ବୁଣାକାର ଓ କାରିଗର ଭାଗ ନେଇଛନ୍ତି। ମେଳା ପରିସରରେ ଏଟିଏମ୍‌ ସେବା, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲ ଚେୟାର, ପ୍ଲେ ଜୋନ୍‌ ଆଦିର ବ୍ୟବସ୍ଥା କରାଯାଇଛି।

ଉଦଘାଟନୀ ଉତ୍ସବକୁ ସଂଯୋଜନା କରିଥିଲେ ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ। ସିଡାକର ସଦସ୍ୟ ସଚିବ ବାବାଜି ଚରଣ ଦାସ ଧନ୍ୟବାଦ ଦେଇଥିଲେ।

Comment