ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ଜନସାଧାରଣଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କଠିନ ପରିଶ୍ରମ କରିବାକୁ ହୋଇଥାଏ। କେବଳ ସେତିକି ନୁହେଁ, ଅନେକ କ୍ଷେତ୍ରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜୀବନକୁ ପାଣି ଛଡେଇ ନିଜ କର୍ମକ୍ଷେତ୍ରରେ ସଜାଗ ହୋଇ ରହିବାକୁ ହୋଇଥାଏ। ସେମାନଙ୍କର ଏକାଗ୍ରତା ଓ କର୍ତ୍ତବ୍ୟ ନିଷ୍ଠାକୁ ପ୍ରୋତ୍ସାହନ ଦେବା ପାଇଁ ମିଡିଆ ଚେଞ୍ଜ ତରଫରୁ ପ୍ରଥମ ଥର ପାଇଁ  ମିଡିଆ ଏକ୍ସିଲେନ୍ସ ଆୱାର୍ଡ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସାମ୍ବାଦିକତାର ବିଭିନ୍ନ ଦିଗ ତଥା ବିଭିନ୍ନ ମାଧ୍ୟମରେ କାମ କରୁଥିବା ଯୁବ ତଥା ବରିଷ୍ଠ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ଶିବ ମହାନ୍ତିଙ୍କୁ ବେଷ୍ଟ ରିପୋର୍ଟର (ଇଂରାଜୀ), ସନ୍ଦିପ ପାଣିଙ୍କୁ ବେଷ୍ଟ ରିପୋର୍ଟର (ଓଡ଼ିଆ), ସଞ୍ଜିବ ଦାସଙ୍କୁ ବେଷ୍ଟ୍ ଫଟୋ ଜର୍ଣ୍ଣାଲିଷ୍ଟ, ହିମାଂଶୁ ଗୁରୁଙ୍କ ବେଷ୍ଟ ଫିଚର ରାଇଟର (ଇଂରାଜୀ) ଓ ରଞ୍ଜନ ରଥଙ୍କୁ ବେଷ୍ଟ ଫିଚର ରାଇଟର (ଓଡ଼ିଆ) ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ଇଲେକ୍ଟ୍ରୋନିକ୍ ମିଡିଆ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭବାନୀ ଶଙ୍କର ମହାପାତ୍ର ଓ ଗାୟତ୍ରୀ ମହାନ୍ତିଙ୍କୁ ବେଷ୍ଟ ଆଙ୍କର, ସିତମ ମହାରଣାଙ୍କୁ ବେଷ୍ଟ ଭିଡିଓ ଜର୍ଣ୍ଣାଲିଷ୍ଟ, ଅଜିତ ସିଂହଙ୍କୁ ବେଷ୍ଟ ରିପୋର୍ଟର ଓ ବାସୁଦେବ ମହାପାତ୍ରଙ୍କୁ ବେଷ୍ଟ ୱେବ୍ ଜର୍ଣ୍ଣାଲିଷ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ, ଶରତ ମିଶ୍ରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ, ଶୁଭ୍ରା ପ୍ରିୟଦର୍ଶନୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତି ଅର୍ଜନ କରିବା ପାଇଁ ସମ୍ମାନୀତ କରାଯାଇଥିଲା।

ଏହି ସମାରୋହରେ ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ସଂଯୋଜନାରେ ସାମ୍ବାଦିକତାର କଣ୍ଠରୋଧ ଓ ଗଣମାଧ୍ୟମର ଭବିଷ୍ୟତ ଆଲୋଚନା ଚକ୍ରରେ କୃଷିମନ୍ତ୍ରୀ ଦାମୋଦର ରାଉତ, ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ଭାଗ ନେଇ ସେମାନଙ୍କ ମତ ରଖିଥିଲେ। ଗଣମାଧ୍ୟମ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଆବଶ୍ୟକ। ଆଧୁନିକ ସମୟରେ ଗଣମାଧ୍ୟମ ବିଜ୍ଞାପନ ଉପରେ ପ୍ରାଧାନ୍ୟ ଦେଉଥିବାରୁ ସମ୍ବାଦର ଗୁଣବତ୍ତା ଗୌଣ ସାବ୍ୟସ୍ତ ହେଉଛି। ଯଦିଓ ସ୍ୱାଧୀନ ଭାବରେ ଖବର ପ୍ରକାଶ କରିବାର  ଅଧିକାର ପ୍ରତିନିଧି ମାନଙ୍କର ରହିଛି, ବ୍ୟକ୍ତିବିଶେଷ ଏକ ସୀମାରେଖା ମଧ୍ୟରେ ରହି ଖବର ପ୍ରକାଶ କରିବା ଉଚିତ। ନିର୍ଭୀକ ତଥା ସତ୍ୟ ଖବରର ପରିପ୍ରକାଶ କରି ଗୌରି ଲଙ୍କେଶ ପରି ଅନେକ ସାମ୍ବାଦିକଙ୍କ ହତ୍ୟା ଘୃଣ୍ୟ ବୋଲି ସଭିଏଁ ମତ ରଖିଥିଲେ।

“ସାମ୍ବାଦିକତାର ପ୍ରତ୍ୟେକଟି କ୍ଷେତ୍ରରେ ଯେଉଁମାନେ ନିରବଚ୍ଛିନ୍ନ ଭାବେ ଖବର ସଂଗ୍ରହ କରି ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି ସେମାନଙ୍କୁ ଲୋକ ସମ୍ମୁଖକୁ ଆଣିବା ଏହି ସମ୍ବର୍ଦ୍ଧନା ଉତ୍ସବର ମୂଳ ଉଦ୍ଦେଶ୍ୟ। ଭବିଷ୍ୟତରେ ଆହୁରି ନୂଆ କ୍ଷେତ୍ରରେ ମଧ୍ୟ ସମ୍ମାନ ପ୍ରଦାନ କରାଯିବ ବୋଲି ଆମେମାନେ ଯୋଜନା କରୁଛୁ। ଡିଜିଟାଲ ମିଡିଆର ପ୍ରାଧାନ୍ୟ ବଢ଼ୁଥିବାରୁ ଏହା ସହିତ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବ’’, କହିଛନ୍ତି ପ୍ରତିଷ୍ଠିତ ସାମ୍ବାଦିକ ତଥା ମିଡିଆ ଦି ଚେଞ୍ଜର ଅନ୍ୟତମ ପ୍ରତିନିଧି ସନ୍ଦୀପ ମିଶ୍ର।

Comment