ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ମଥୁରା ନରେଶ କଂସ ମୁକ୍ତେଶ୍ୱର ମନ୍ଦିରକୁ ଯାଇ ରୁଦ୍ରାଭିଷେକ କରିଛନ୍ତି। ଏହାସହ ଗୋପପୁରରେ ଶ୍ରୀକୃଷ୍ଣ, ବଳରାମ ଅନେକ ରାକ୍ଷସ ରାକ୍ଷସୀଙ୍କୁ ନିହତ କରିଛନ୍ତି।

ଜମୁଛି ବରଗଡ଼ ଧନୁଯାତ୍ରା। ମଥୁରାର ରଙ୍ଗମହଲ ଏବଂ ଗୋପପୁରରେ ଚାଲିଥିବା ନାଟକକୁ ଉପଭୋଗ କରୁଛନ୍ତି ଦର୍ଶକ। ଚତୁର୍ଥ ଦିନରେ କଂସଙ୍କର ଏକମାତ୍ର ଲକ୍ଷ୍ୟ – ଶ୍ରୀକୃଷ୍ଣଙ୍କୁ ନିଧନ କରି ମୃତ୍ୟୁର କବଳରୁ ମୁକୁଳିଯିବେ। ସେଥିପାଇଁ ସେ ବିଭିନ୍ନ ଉପାୟ ଖୋଜି ଚାଲିଛନ୍ତି। ଶିବଙ୍କ ଉପରେ ତାଙ୍କର ଅଗାଧ ବିଶ୍ଵାସ। ଇଷ୍ଟଦେବ ଶିବଙ୍କୁ ପ୍ରସନ୍ନ କରାଇ କାଳଜୟୀ ହେବା ପାଇଁ କଂସଙ୍କ ଶିବ ଆରାଧନା ଏକ ବିଶେଷ ପ୍ରସଙ୍ଗ। ଏହି ପରିପ୍ରେକ୍ଷୀରେ କଂସ ଯାଇଥିଲେ ମୁକ୍ତେଶ୍ଵର ମନ୍ଦିରକୁ ରୁଦ୍ରାଭିଷେକ ପାଇଁ।

ମୁକ୍ତେଶ୍ଵର ମନ୍ଦିରରେ ମଥୁରାର କଂସାସୁରଙ୍କୁ ସ୍ଵାଗତକରି ପୂଜକମାନେ ପାଛୋଟି ନେଇଥିଲେ। ମୁକ୍ତେଶ୍ଵର ମହାଦେବଙ୍କଠାରେ ରୁଦ୍ରାଭିଷେକ ପୂଜାସାରି କଂସ ଆଶିଷ ଭିକ୍ଷା କରିଥିଲେ। ମନ୍ଦିର ପରିସରରୁ ବାହାରିଯାଇ, ରାଜଦାଣ୍ଡରେ ନଗର ଭ୍ରମଣ କରିଥିଲେ।

ଶ୍ରୀକୃଷ୍ଣ ଓ ବଳରାମଙ୍କ ଦ୍ଵାରା ରାକ୍ଷସ ରାକ୍ଷସୀ ନିହତ

ମଥୁରା ନରେଶ କଂସଙ୍କୁ ଗୋପପୁର ମାଟିରେ ପାଦ ଥାପିବା ମନା। ଜଣେ ଋଷିଙ୍କଠାରୁ ସେ ଅଭିଶାପ ପାଇଛନ୍ତି ଯେ, ଗୋପପୁରକୁ ଯଦି ସେ ଯିବେ ତାଙ୍କର ମୂର୍ଦ୍ଧନା ଫାଟି ମୃତ୍ୟୁ ହେବ। ସେଥିପାଇଁ ଅନେକ ରାକ୍ଷସ ରାକ୍ଷସୀଙ୍କୁ କଂସ ଗୋପପୁରକୁ ପଠାଇଛନ୍ତି ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ଗୋଟିଏପଟେ ମୃତ୍ୟୁକୁ ନେଇ କବଳିତ କଂସ, ଅନ୍ୟପଟେ ଶ୍ରୀକୃଷ୍ଣ ଓ ବଳରାମଙ୍କର ବାଲ୍ୟଲୀଳାକୁ ନେଇ ଗୋପପୁର ଉଲ୍ଲସିତ।

ରାକ୍ଷସୀ ପୁତୁନା ଛଳନାଯୁକ୍ତ ମାତୃତ୍ଵ ଆଧାରରେ ଶ୍ରୀକୃଷ୍ଣଙ୍କୁ ନିଜ ସ୍ତନରୁ କ୍ଷୀର ପାନ କରାଇଥିଲା। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ କ୍ଷୀର ଶୋଷୁ ଶୋଷୁ ପୁତୁନା ରାକ୍ଷସୀର ଜୀବନକୁ ଶୋଷି ନେଇଛନ୍ତି। ଗୋପପୁରରେ ଏହି ଦୃଶ୍ୟକୁ ଆଜି ଦର୍ଶକମାନେ ଉପଭୋଗ କରିଛନ୍ତି।

ଶ୍ରୀକୃଷ୍ଣ ଓ ବଳରାମଙ୍କ ହାତରେ ବକା, ଶକଟା, ତୃଣା, ଧେନୁ, ଷଣ୍ଡାସୁର ପରି ଦୁଷ୍ଟାତ୍ମାମାନେ ନିଧନ ହୋଇଛନ୍ତି। ରାକ୍ଷସ ରାକ୍ଷସୀଙ୍କ ନିଧନରେ ପୁଣି ଗୋପପୁରରେ ଆରମ୍ଭ ହୋଇଯାଇଛି ଉଲ୍ଲାସର ପର୍ବ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment