ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୨ରେ ଭୁବନେଶ୍ୱର ଲଳିତ କଳା ଏକାଡେମୀଠାରେ ଆୟୋଜିତ ହେବ ଫଟୋ ପ୍ରଦର୍ଶନୀ। ଏହି ପ୍ରଦର୍ଶନୀରେ ଆମେରିକାର ଲସ୍‌ ଏଞ୍ଜେଲ୍‌ସରେ ରହୁଥିବା ଓଡ଼ିଆ ପୁଅ ଇଞ୍ଜିନିୟର ଦେବପ୍ରସାଦ ମହାପାତ୍ରଙ୍କ ଫଟୋ ସାମିଲ୍‌ କରାଯିବ। ୬ଟି ବିଭାଗର ୧୦୦ଟି ୟୁନିକ୍‌ ଫଟୋ ଏହି ପ୍ରଦର୍ଶନୀରେ ସ୍ଥାନ ପାଇବ। ଏହି ପ୍ରଦର୍ଶନୀକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଉଦ୍‌ଘାଟନ କରିବେ ବୋଲି ଦେବପ୍ରସାଦ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡ୍ୟାନ୍ସର୍ସ ଅଫ୍ ଦି ୱାର୍ଲ୍ଡ, ପୋଟ୍ରେଟ୍‌ସ୍‌, ଲ୍ୟାଣ୍ଡସ୍କେପ୍‌, ଫ୍ଲାୱାର୍ସ୍‌, ହାଇ ଫ୍ୟାସନ୍ ଏବଂ ଆର୍କିଟେକ୍ଚର ବିଭାଗର ସୁନ୍ଦର ତଥା ଆକର୍ଷଣୀୟ ଫଟୋ ଏଥିରେ ସାମିଲ୍‌ କରାଯିବ।

ଯାଜପୁର ଜିଲ୍ଲାର ଦେବପ୍ରସାଦ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ଫଟୋଗ୍ରାଫି କରି ଆସୁଛନ୍ତି। ୩୦ ବର୍ଷ ମଧ୍ୟରେ ସେ ବିଭିନ୍ନ ଦେଶ ବୁଲି ଅନେକ ବିରଳ ଏବଂ ଆକର୍ଷଣୀୟ ଚିତ୍ରକୁ ତାଙ୍କ କ୍ୟାମେରାରେ କଏଦ କରିଛନ୍ତି। ସେଥିମଧ୍ୟରୁ କିଛି ବଛା ବଛା ଫଟୋ ଏହି ପ୍ରଦର୍ଶନୀରେ ସ୍ଥାନ ପାଇବ।

ଇଞ୍ଜିନିୟର ଦେବ ପ୍ରସାଦ ମହାପାତ୍ର କହିଛନ୍ତି ଯେ, “୩୦ ବର୍ଷର ଫଟୋଗ୍ରାଫି ମଧ୍ୟରେ ମୁଁ ଅନେକ ଫଟୋ ଉତ୍ତଳନ କରିଛି। ଆମେରିକା, ନ୍ୟୁଜିଲାଣ୍ଡ, ଇଉରୋପ ପ୍ରଭୃତି ଦେଶ ଗସ୍ତ କରିବା ବେଳେ ଅନେକ ଫଟୋ ମୁଁ ମୋ କ୍ୟାମେରାରେ କଏଦ କରିଛି। ପିଲାଟି ଦିନରୁ ଫଟୋଗ୍ରାଫି କରିବା ପାଇଁ ମୋ ମନରେ ଆଗ୍ରହ ରହିଥିଲା। କଳାଧଳା ଫଟୋରୁ ମୁଁ କ୍ୟାରିଅର ଆରମ୍ଭ କରିଥିଲି। ଏବେ ଡିଜିଟାଲ ଯୁଗରେ ମଧ୍ୟ ମୁଁ ଥକି ପଡ଼ିନି। ସମୟ ସହ ତାଳ ଦେଇ ଫଟୋ ଉତ୍ତଳନ ଜାରି ରଖିଛି।”

ସାମ୍ବାଦିକ ସମ୍ମିଳନୀରେ କସ୍ତୁରବା ମହାପାତ୍ର ଏବଂ ଶିକ୍ଷାବିତ୍‌ ତଥା କେଏମ୍‌ବିବି କଲେଜ ଡାଇରେକ୍ଟର ଧନଦାକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Comment