ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ରାଗ କଲ୍ୟାଣ ଓ ତାଳ ଝମ୍ପା ଉପରେ ପର୍ଯ୍ୟବେଷିତ ଗୀତ ଗୋବିନ୍ଦରେ। ଅଭିନୟ “ଦଶାବତାର” ପରିବେଷଣରୁ ଆରମ୍ଭ ହୋଇଥିଲା। ଏକକ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ ଭାଗ୍ୟଶ୍ରୀ ସୁମନ ଓତା ।

ଜୟଲକ୍ଷ୍ମୀ ମିଶ୍ର ପରିବେଷଣ କରିଥିଲେ ଅଭିନୟ “କିଶୋଭା ଗୋକୁଞ୍ଜେ ମଦନ ମୋହନ ଚାହାଁରେ ପ୍ରାଣ ମିତଣୀ’। ଏହା ତାଳ ଏକତାଳୀ, ଝମ୍ପା, ଖେମଟା ଓ ରାଗ ଆନନ୍ଦ ଭୈରବୀ ଉପରେ ପର୍ଯ୍ୟବେଷିତ ହୋଇଥିଲା ।  ତାପରେ ଦେବଦର୍ଶନୀ ସ୍ୱାଇଁଙ୍କ ଦ୍ୱାରା ଅଭିନୟ “ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି’। ଏହା ରାଗ ବକୁଳା ଭରଣ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ପରେ ପରେ “ବର୍ଷା’ ପରିବେଷଣ କରିଥିଲେ ପ୍ରଶାନ୍ତ କୁମାର ସାହୁ ଯାହା ରାଗ ମେଘ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେଷିତ ଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦ୍ୱୈତ ନୃତ୍ୟ ସ୍ଥାୟୀ “ତାକେଧା କିଟତାକ୍ ତାହମ୍ ଥେଇ’। ଏହାକୁ ପରିବେଷଣ କରିଥିଲେ କଟକର ବିଭାଷ ରଞ୍ଜନ ଦାସ ଓ ଶୀତଲ ସ୍ୱାଇଁ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଥିଲା ଅଭିନୟ “ଛାଡ଼ିଦିଅ ମନୁ ଚିନ୍ତା ହେ ମୋହନ।’ ଏହା ରାଗ ଶୁଦ୍ଧଦେଶୀ ଓ ତାଳ ଖେମଟା ଉପରେ ନିବଦ୍ଧ ଥିଲା ।

ରଘୁନାଥ ପ୍ରଧାନ ଅଭିନୟ ଜରିଆରେ ଗୀତଗୋବିନ୍ଦ “ଶ୍ରିତ କମଳା କୁଚ ମଣ୍ଡଳ ଧ୍ରୁତକୁଣ୍ଡଳ କଳିତ ଲଳିତ ବନମାଳୀ’ ପରିବେଷଣ କରିଥିଲେ। ଏହାପରେ ପ୍ରତୀକ ପ୍ରୀୟଙ୍କର ମିଶ୍ରଙ୍କ ଦ୍ୱାରା ଅଭିନୟ “ମନ ଉଦ୍ଧାରଣ କରହେ କାରଣ” ପରିବେଷଣ ହୋଇଥିଲା। ରାଗ ମିଶ୍ରକାମଦୀ ଓ ତାଳ ତ୍ରିପଟା ଉପରେ ପର୍ଯ୍ୟବେସିତ ଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ କଲ୍ୟାଣ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ ଅଙ୍କିତା ସାହୁ ।

କଲିକତାର ସୁମିତା ପାଲ ପରିବେଷଣ କରିଥିଲେ ଅଭିନୟ “ଶିବ ତାଣ୍ଡବ” ଏବଂ ଏକକ ନୃତ୍ୟର ଶେଷ ପରିବେଷଣ ଥିଲା ହିମାଂଶୁ ନାୟକଙ୍କ ଦ୍ୱାରା ଅଭିନୟ “ଭଜରେ ମନ ରାମଚନ୍ଦ୍ର ପଦଧ୍ୟାନ।” ପୂର୍ବାହ୍ନ ଅଧିବେଶନର ଶେଷ ଦଳଗତ ନୃତ୍ୟ ପର୍ଯ୍ୟାୟରେ ଦେବଦିପ୍ତ ବିଶ୍ୱାଳ ଓ ସାଥୀଙ୍କ ଦ୍ୱାରା ଅଭିନୟ “ଜଗନ୍ନାଥାଷ୍ଟକମ୍’ ଏବଂ ମୀରା ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ଶକ୍ତି ସ୍ୱରୂପା – ନିସ୍ତମ୍ଭ ସ୍ତମ୍ଭ ମର୍ଦ୍ଦିନୀ” ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ  ।

ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ଦେବସ୍ତିତା ବେହେରାଙ୍କ ଦ୍ୱାରା ଅଭିନୟ “ଦୂତି କହିବୁ ଗୋ ଚିତ୍ତ ଚୋରାଙ୍କୁ ଏତକ।” ପରେ ଆମେରିକାରୁ ଆସିଥିବା ଦିବ୍ୟା ରଥଙ୍କ ଦ୍ୱାରା “ପଲ୍ଲବୀ’ ସୌମେନ୍ଦ୍ର ବଳବନ୍ତରାୟ ଓ ନିତିନ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟ “କୋଣାର୍କକାନ୍ତୀ”, କଲିକତାର ଦୀପଞ୍ଜନ ଦତ୍ତଙ୍କ ଦ୍ୱାରା ଅଭିନୟ ଚମ୍ପୁ (ଲ) “ଲୀଳା ନିଧି ହେ ଲାଜେ ମୁଁ ଗଲିଟି ସଢି।” ଏହା ରାଗ ଦେଶ ଓ ତାଳ ଖେମଟା ଉପରେ ପର୍ଯ୍ୟବେସିତ ଥିଲା।

ଲତିକା ମଣ୍ଡଲଙ୍କ ଦ୍ୱାରା ଅଭିନୟ “ଦେଖିବା ପରା ଆସରେ ପ୍ରାଣ ସଙ୍ଗିନୀ ଶ୍ରୀ ବଂଶୀଧର ବେଶକୁ’, କଲିକତାର ପିୟାଲୀ ଘୋଷଙ୍କ ଦ୍ୱାରା ଅଭିନୟ “ଜଟାଜୁଟ ସମାଯୁକ୍ତ ମଧ୍ୟେନ୍ଦୁ କୃତ ଶେଖର”, ସିଙ୍ଗାପୁରରୁ ଆସିଥିବା ଶିଳ୍ପୀ ଶମ୍ମିତା ପାଲଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟ ଏବଂ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ନୃତ୍ୟଧାମ ଅନୁଷ୍ଠାନର କଳାକାରମାନଙ୍କୁ ନେଇ ସପ୍ତଦେବୀ ଓ ସବିତା ମିଶ୍ର ଓ ସାଥୀଙ୍କ ଦ୍ୱାରା ଶିବସ୍ତୁତି ପରିବେଷିତ ହୋଇଥିଲା।

ସନ୍ଧ୍ୟା ଅଧିବେଶନର ଶିଳ୍ପୀମାନେ ଥିଲେ ଏକକ ନୃତ୍ୟ ପର୍ଯ୍ୟାୟରେ ଛତିଶଗଡ଼ର ସୁଶାନ୍ତ କୁମାର ଦାସ, ଭୁବନେଶ୍ୱରର ମୋହେଶ୍ୱରୀ ପ୍ରଧାନ, ମୌସୁମୀ ମହାପାତ୍ର, ସୋନାଲ ଆଚାର୍ଯ୍ୟ, କଟକର ପୁଷ୍ପା ପଣ୍ଡା, ଆମେରିକାର ଡୋଗଲାସ ରିଡ଼ିଙ୍ଗସ୍, କଟକର ନିବେଦିତା ପତ୍ରୀ ଏବଂ ଭୁବନେଶ୍ୱରର ସ୍ନେହଞ୍ଜଳୀ ବେହେରା। ଦ୍ୱୈତନୃତ୍ୟ ପର୍ଯ୍ୟାୟରେ ସନ୍ଧ୍ୟାରାଣୀ ଓ ବର୍ଷା ମୋହିନୀ ଏବଂ ଇତିଶିକ୍ଷା ପ୍ରଧାନ ଓ ସୃତିଶ୍ରୀ ସ୍ୱାଇଁ  । ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ କଲିକତାର ଓଡ଼ିଶୀ ଆଶ୍ରମର କଳାକାରମାନଙ୍କୁ ନେଇ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଏହି ସଂଧ୍ୟାର ଅତିଥି ଥିଲେ ପ୍ରଫେସର ଡକ୍ଟର ରଜତ କର, ଡକ୍ଟର ସୁବାସ ପାଣି, ଡକ୍ଟର ଏସ୍. କେ. ତାମୋଟିଆ, ପ୍ରଫେସର ଗୁରୁ ରାମହରି ଦାସ, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର, ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ ।

Comment