ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ନାଟ୍ୟକାର ଅନନ୍ତ ଓଝା। ବେଙ୍ଗାଳୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମର ଶରୀର ମଙ୍ଗଳବାର ଓଡ଼ିଶାରେ ପହଞ୍ଚିବା ପରେ ବହୁ ଯାତ୍ରାପ୍ରେମୀ ଏବଂ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଓଡ଼ିଶାରେ ପହଞ୍ଚିଛି ନାଟ୍ୟକାର ଅନନ୍ତ ଓଝାଙ୍କ ମର ଶରୀର। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଝାଙ୍କ ମର ଶରୀର ପହଞ୍ଚିବା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ରାଜନେତା, ଯାତ୍ରା ଲେଖକ, କଳାକାର ଅନନ୍ତଙ୍କ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଅନନ୍ତଙ୍କ ମର ଶରୀରକୁ କଟକ ଅଭିମୁଖେ ନିଆଯାଇଥିଲା। କଟକରେ ବହୁ ଯାତ୍ରା ପ୍ରେମୀ ଅନନ୍ତଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କୁ ତାଙ୍କ ବାସଭବନ ଅଭିମୁଖେ ନିଆଯିବ।

ମୃତଦେହ କେନ୍ଦ୍ରାପଡ଼ା ବଜାରରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ପୈତୃକ ଗାଁ ନିଳକଣ୍ଠପୁରକୁ ଯାଇଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଓଡ଼ିଆ ଯାତ୍ରା ଜଗତରେ ଯେଉଁ କେତେଜଣ ରଥୀ ଅଛନ୍ତି ସେମାନଙ୍କ ମଧ୍ୟରେ ଅନନ୍ତ ଓଝା ଥିଲେ ଅନ୍ୟତମ। ୩ ଦଶନ୍ଧି ଧରି ସେ ଯାତ୍ରା ନାଟକ ରଚନା କରି ଚର୍ଚ୍ଚାରେ ରହିଥିଲେ। ସେ ଓଡ଼ିଆ ଯାତ୍ରା ଜଗତକୁ ଅନେକ ସୁପରହିଟ୍ ନାଟକ ଭେଟି ଦେଇଛନ୍ତି।

ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ଭଲ ମଣିଷ ଖୋଜା ଚାଲିଛି, ମୋ ପେଁକାଳି ବଜେଇ ଦେ, ବଜାରୀ ବୁଢ଼ା, ଜୀଅନ୍ତା ଶବ, ମୁଇଁ ସମ୍ବଲପୁରୀ ନନୀ, ବିଦେଶିନୀ ଆଦି ନାଟକ ହେଉଛି ଅନନ୍ତଙ୍କର ଗୋଟିଏ ଗୋଟିଏ ହିଟ୍‌ ନାଟକ। ଯାତ୍ରା ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ଦୀର୍ଘଦିନ ଧରି ଅନନ୍ତ ମୁଖ ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବେଙ୍ଗାଳୁରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ତେବେ ୩୧ ତାରିଖ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା।

Comment