ଅଶୋକ ବହିଦାର

ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ଭ୍ରମଣ

ଗୋପପୁର ସହିତ ବାରବର୍ଷର ସମ୍ପର୍କ ତୁଟାଇ, ଶ୍ରୀକୃଷ୍ଣ ଓ ବଳରାମ ପହଞ୍ଚି ସାରିଛନ୍ତି ମଥୁରାକୁ। ମଥୁରାରେ କଂସଙ୍କ ନିର୍ଦ୍ଦେଶରେ ଚାଲିଛି ଧନୁଯାତ୍ରାର ଆୟୋଜନ।

ଶ୍ରୀକୃଷ୍ଣ ମଥୁରାରେ ପାଦ ଥାପିବା କ୍ଷଣି ବଦଳିଯାଇଛି ପୂର୍ବର ସବୁକିଛି ଦୃଶ୍ୟପଟ୍ଟ। କଂସଙ୍କ ବିଶେଷତ୍ୱ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ମଉଳି ଯାଉଛି। ଗୋପପୁରର ଏକ ରୂପାନ୍ତରିତ ପ୍ରତିଛବି ଦେଖାଯାଉଛି ମଥୁରାରେ। ଭଗବାନଙ୍କୁ ଶ୍ରୀକୃଷ୍ଣଙ୍କୁ ଖୁବ୍ ନିକଟରେ ପାଇ ପ୍ରତିଟି ମଥୁରାବାସୀ ଆସ୍ତେ ଆସ୍ତେ କଂସଭୟରୁ ମୁକୁଳିବା ଆରମ୍ଭ କରିଦେଇଛନ୍ତି।

ମଥୁରାରେ କଂସତ୍ୱର ବିଲୋପ ଘଟି ଘଟି ଆସୁଛି, କୃଷ୍ଣତ୍ୱରେ ଛାଇ ହୋଇଯାଉଛି ସମଗ୍ର ମଥୁରା।

ମଥୁରାର ରାଜଦରବାର

କୁବଳୟା ବଧ

ଧନୁଯାତ୍ରା ଆଳରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ କଂସ ମଥୁରା ସାରା ଷଡଯନ୍ତ୍ରର ଜାଲ ବିଛେଇ ଦେଇଛନ୍ତି ।

ଶ୍ରୀକୃଷ୍ଣ ଓ ବଳରାମ ରାଜଦରବାରର ଦ୍ୱାରଦେଶରେ ପହଞ୍ଚିବା କ୍ଷଣି ବିଶାଳକାୟ ‘କୁବଳୟା’ ହାତୀ ଆକ୍ରମଣ ଆରମ୍ଭ କରିଦେଇଛି ଉଭୟଙ୍କ ଉପରେ।

ହେଲେ ଶ୍ରୀକୃଷ୍ଣ ଫୁଲ ପରି ‘କୁବଳୟାକୁ’ ଦଳି ଦେଉଛନ୍ତି। ପୂର୍ବଜନ୍ମର ପାପରୁ ମୁକ୍ତି ପାଇଯାଇଛି ଏଇ ପାପଗ୍ରସ୍ତ କୁବଳୟା ସ୍ୱୟଂ ଭଗବାନଙ୍କ ହାତରେ।

ପୂର୍ବଜନ୍ମରେ ନିଜ ପାପକର୍ମ ପାଇଁ ଅଭିଶପ୍ତ ପାପୀମାନେ, ପ୍ରତିଟି ଯୁଗରେ ମୁକ୍ତି ପାଇବା ପାଇଁ ଭଗବାନଙ୍କୁ ଅପେକ୍ଷା କରିଥାନ୍ତି। ଭଗବାନ ଭିନ୍ନ ଭିନ୍ନ ଅବତାରରେ ପୃଥିବୀକୁ ଆସନ୍ତି ଏବଂ ପାପୀମାନଙ୍କୁ ସଂହାର କରି ମୋକ୍ଷପ୍ରାପ୍ତିର ବାଟ ଦେଖାଇ ଦିଅନ୍ତି।

ଏଇ କ୍ରମରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ କଂସ ନିୟୋଜିତ କରିଛନ୍ତି ଚାଣୁର, ମୁଷ୍ଟିକ ଓ ଅନ୍ୟାନ୍ୟ ଭୟଙ୍କର ଅଷ୍ଟମଲଙ୍କୁ। ଅଥଚ ଶ୍ରୀକୃଷ୍ଣ ଓ ବଳରାମ ସେମାନଙ୍କୁ ନିପାତ କରିଚାଲିଛନ୍ତି। ପରିଶେଷରେ ମଥୁରାରେ ଗୁଞ୍ଜରିତ ହେଉଛି  ସେଇ ସତ୍ୟବାଣୀଟି ରଖେ ହରି ମାରେ କିଏ? ମାରେ ହରି ରଖେ କିଏ?

ଶିବଧନୁ ଭଗ୍ନ

ଶିବଙ୍କୁ କଠୋର ତପସ୍ୟା କରି କଂସର ଶିବଧନୁ ପ୍ରାପ୍ତି ହୋଇଥିଲା। ଶିବଶକ୍ତିରେ ବଳିୟାନ ଥିଲା ମଥୁରାର ରାଜା କଂସାସୁର। ଶିବଧନୁ ଥିଲା ତାର ଶୌର୍ଯ୍ୟବୀର୍ଯ୍ୟର ପ୍ରତୀକ।

ଭଗବାନ ଶ୍ରୀକୃଷ୍ଣ ଅନାୟାସରେ ଶିବଧନୁକୁ ଭାଙ୍ଗିଥିଲେ। ଏଥିସହିତ ନିସ୍ତେଜ ହୋଇଯାଉଛି ବାହୁବଳୀ ତଥା ଅନେକ ଅହମିକାର ପ୍ରତୀକ କଂସାସୁର।

କଂସବଧ

ବରଗଡ଼ ଧନୁଯାତ୍ରାର ନାଟ୍ୟଧାରାରେ ‘କଂସବଧ’ ଦୃଶ୍ୟକୁ ଅପେକ୍ଷା କରିରହିଥାନ୍ତି ଲକ୍ଷ ଲକ୍ଷ ଦର୍ଶକ ଅନେକ ଉତ୍ସୁକତା ସହିତ।

ଶ୍ରୀକୃଷ୍ଣ, କଂସଙ୍କୁ କାବୁ କରି ଦେଉଛନ୍ତି ନିମିଷକ ଭିତରେ। ମଞ୍ଚାରୁ ତଳେ କଚାଡ଼ି ହୋଇ ପଡ଼ୁଛି କଂସ। ମୃତ୍ୟୁକୁ ନିଜ ସମ୍ମୁଖରେ ଦେଖି କଂସ ଆଉ ଭୟଭୀତ ହେଉନାହିଁ। ତା’ ଶରୀରରୁ ଅପସରି ଯାଉଛି ଆସୁରିକ ଶକ୍ତି। ଶରଣାପନ୍ନ ହେଉଛି ଭଗବାନଙ୍କ ପାଦତଳେ। କେତେ ଅନୁନୟ ହୋଇ ଶ୍ରୀକୃଷ୍ଣଙ୍କୁ କହୁଛି ପ୍ରଭୁ! ମୋତେ ମୋକ୍ଷପ୍ରାପ୍ତିର ସୁଯୋଗ ଦିଅ। ମୋତେ ପୁନର୍ଜନ୍ମରୁ ମୁକ୍ତି କରିଦିଅ।

ଏପରି ଏକ ଭାବପ୍ରବଣତା ପରିବେଶ ଭିତରେ କଂସର ଅନ୍ତ ଘଟିଛି।

ଏଇ ନାଟକୀୟ ଦୃଶ୍ୟ ପୃଥିବୀବାସୀଙ୍କୁ ଜଣାଇ ଦେଉଛି ଯେ ଅସତ୍ୟକୁ ସତ୍ୟରେ ପରିଣତ କରିବା ପାଇଁ, ଅନ୍ଧାରରୁ ପୃଥିବୀବାସୀଙ୍କୁ ଆଲୋକକୁ ଆଣିବା ପାଇଁ, ଅଧର୍ମକୁ ଧର୍ମରେ ରୂପାନ୍ତରିତ କରିବା ପାଇଁ ଭଗବାନଙ୍କ ଏପରି ଆବିର୍ଭାବ ଘଟିଥାଏ।

ଉଗ୍ରସେନଙ୍କ ରାଜ୍ୟାଭିଷେକ

କଂସ ମରିସାରିଛି। ମଥୁରାରେ ଲେଉଟି ଆସିଛି ପୁଣି ଶାନ୍ତିର ବାତାବରଣ। ଭଗବାନ ଶ୍ରୀକୃଷ୍ଣ ମଥୁରାର ଗାଦିଚ୍ୟୁତ ଉଗ୍ରସେନଙ୍କୁ ପୁଣି ଫେରାଇ ଦେଉଛନ୍ତି ରାଜ ସିଂହାସନ ଓ ରାଜମୁକୁଟ।

ମଥୁରାରେ ଆନନ୍ଦର ଲହରୀ ଖେଳିଯାଉଛି। ସାରା ମଥୁରାବାସୀ ନିଜକୁ ସାମିଲ କରିଦେଉଛନ୍ତି ଉଗ୍ରସେନଙ୍କ ରାଜ୍ୟାଭିଷେକ ଉତ୍ସବରେ।

ବର୍ତ୍ତମାନ ମଥୁରାରେ ରାଜା ହେଉଛନ୍ତି ଉଗ୍ରସେନ। ଅଥଚ ଶ୍ରୀକୃଷ୍ଣ ଆଉ ଗୋପକୁ ଫେରୁନାହାନ୍ତି। ଭିନ୍ନ ଏକ ଲୀଳା ରଚିବାକୁ ସେ ମଥୁରାରୁ ଚାଲିଯାଉଛନ୍ତି ଦ୍ୱାରିକାକୁ।

ପ୍ରତିଟି ସକାଳ ପାଇଁ ସଞ୍ଜଟିଏ ଥାଏ।

ପ୍ରତିଟି ଆରମ୍ଭର ଶେଷଟିଏ ଥାଏ।

ଏମିତି ବରଗଡ଼ ଧନୁଯାତ୍ରା ମହାନାଟକର ରଙ୍ଗମଞ୍ଚରେ ଯବନିକା ପଡ଼ିଯାଇଛି। କଳାକାରମାନେ ମୁହଁରୁ ରଙ୍ଗପୋଛି ଓହ୍ଲାଇ ଆସୁଛନ୍ତି ରଙ୍ଗମଞ୍ଚରୁ। ଦର୍ଶକମାନେ ହଟିଯାଉଛନ୍ତି ରଙ୍ଗମଞ୍ଚ ସମ୍ମୁଖରୁ। ୧୧ ଦିନ ଧରି ପୁରାଣର ମଥୁରାନଗରୀ ପାଲଟିଥିବା ବରଗଡ଼ ସହର ପୁଣି ଫେରି ଯାଉଛି ନିଜର ବାସ୍ତବ ରୂପକୁ। ସାରା ସହର ପୁଣି ବ୍ୟସ୍ତ ହୋଇଯାଉଛି ଜୀବନଜୀବିକାର କୋଳାହଳ ଭିତରେ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment