ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ହେତୁ ଏଥର ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ଜିଲ୍ଲାପାଳ ଓ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରତିବର୍ଷ ବରଗଡ଼ରେ ୧୧ ଦିନଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ଆୟୋଜିତ ହୋଇଥାଏ। ଏହାକୁ ଦେଖିବାକୁ ଦେଶବିଦେଶରୁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଥାଏ। ଚଳିତ ବର୍ଷ କିନ୍ତୁ ମହାମାରୀ ଭୟରେ ଏହା ଆୟୋଜନ ନକରିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ନିଷ୍ପତ୍ତି ସହିତ ବହୁ ବର୍ଷ ଧରି ଆୟୋଜିତ ହେଇ ଆସୁଥିବା ବରଗଡ଼ ଧନୁଯାତ୍ରାର ପରମ୍ପରା ମଧ୍ୟ ଭାଙ୍ଗିଛି। ପ୍ରତିବର୍ଷ ଧନୁଯାତ୍ରାରେ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଚାଲିଥାଏ। ଏହି ସମୟରେ ବରଗଡ଼ ପାଲଟିଯାଏ ମଥୁରା ଆଉ ଆମ୍ବପାଲି ହୋଇଯାଏ ଗୋପପୁର ଗାଁ। କୃଷ୍ଣ ବଳରାମ ଏହିଠାରେ ଲୀଳାଖେଳା କରି ମଥୁରା ଯାତ୍ରା କରିଥାନ୍ତି।

ମହାରାଜ କଂସ ମଧ୍ୟ ଏହି ସମୟରେ ହାତୀ ପୃଷ୍ଠରେ ବସି ନଗର ପରିଭ୍ରମଣ କରିଥାନ୍ତି। ଯେଉଁ ଲୋକମାନେ ଆଇନ୍ ଭାଙ୍ଗିଥାନ୍ତି ମହାରାଜ କଂସ ସେମାନଙ୍କୁ ଦଣ୍ଡ ବିଧାନ କରିଥାନ୍ତି। ଲୋକମାନେ ମଧ୍ୟ ଏହାକୁ ସମ୍ମାନର ସହ ପାଳନ କରିଥାନ୍ତି। ୧୧ ଦିନ ଧରି ଏହି ଯାତ୍ରା ଆୟୋଜିତ ହେବା ପରେ କଂସବଧ ସହ ଏହାର ଅନ୍ତ ଘଟିଥାଏ। ଚଳିତ ବର୍ଷ କିନ୍ତୁ କରୋନା ହେତୁ ଦର୍ଶକମାନେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ଦେଖିବାରୁ ବଞ୍ଚିତ ହେବେ।

Comment