ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ବିଚାରପତି ସିଆର ଦାସଙ୍କ ସରକାରୀ କ୍ଵାଟର୍ସରେ ସିବିଆଇ ଅଧିକାରୀମାନେ ରାତିଅଧିଆ ପଶିବା ମାମଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ଜଣେ ବିଚାରପତିଙ୍କ ଘରେ ସିବିଆଇ ଅଧିକାରୀମାନେ ରାତିଅଧିଆ ପଶିବା ମାମଲାର ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌କୁ ମଧ୍ୟ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୌରେ ଥିବା ଏକ ମେଡିକାଲ କଲେଜରେ ନାମଲେଖା ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସିବିଆଇ ଦିଲ୍ଲୀ ସମେତ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା।

ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍ କୁଦ୍ଦୁସୀ କଟକରେ ରହୁଥିବା ସରକାରୀ କ୍ଵାଟର୍ସରେ ସିବିଆଇ ଅଧିକାରୀମାନେ ୨୦୧୭ ସେପ୍ଟେମ୍ବର ୧୭ତାରିଖ ରାତିରେ ତଦନ୍ତ ପାଇଁ ପଶିଥିଲେ। ମାତ୍ର ସେଠାରେ ବିଚାରପତି ସି.ଆର ଦାସ ରହୁଥିବା ଜାଣି ଅଧିକାରୀମାନେ ଫେରି ଆସିଥିଲେ।

ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ କଟକ କ୍ୟାଣ୍ଟେନ୍‌ମେଣ୍ଟ ଥାନାରେ ସିବିଆଇ ଅଧିକାରୀଙ୍କ ବିରୋଧରେ ଏତଲା ଦେଇଥିଲେ। ପରେ ଓଡ଼ିଶା ପୁଲିସ ଏକ ମାଲା ରୁଜୁ କରିଥିଲା। ପରେ ସିବିଆଇ ଅଧିକାରୀମାନେ ବିଚାରପତି ଶ୍ରୀ ଦାସ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିସର୍ତ୍ତ କ୍ଷମା ମାଗିଥିବା, ଦୁଇ ବିଚାରପତି ସନ୍ତୁଷ୍ଟ ଥିବା ସତ୍ୟପାଠ ସିବିଆଇ ଓକିଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ସିବିଆଇର ସତ୍ୟପାଠ ଅନୁଧ୍ୟାନ କରିବା ପରେ ଖଣ୍ଡପୀଠ ତାଙ୍କ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

Comment