ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି
  • ପୁରୀରେ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଆର୍.ଅମ୍ବଳଭନନ୍
  • ଓଡ଼ିଶା ବାହାରେ ପ୍ରଦର୍ଶିତ ହେବ ଏହି ବାଲୁକା କଳା

ତାମିଲ ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି। ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ନିକଟରେ ଭୁବନେଶ୍ଵର ତାମିଲ୍ ସଙ୍ଗମ ପକ୍ଷରୁ ଏହି ଉଦ୍ୟମ କରାଯାଇଥିଲା। ମହାକବିଙ୍କ କାଳଜୟୀ ଗ୍ରନ୍ଥ ତିରୁକୁରାଳକୁ ବାଲୁକା କଳା ମାଧ୍ୟମରେ ଉପସ୍ଥାପନ କରାଯିବାର ଏହି ଉଦ୍ୟମ ଦେଶର ଅନ୍ୟ କେତେକ ବେଳାଭୂମିରେ ମଧ୍ୟ ପ୍ରଦର୍ଶିତ କରିବାକୁ ବିଭିନ୍ନ ତାମିଲ୍ ଅନୁଷ୍ଠାନ ପକ୍ଷରୁ ଯୋଜନା କରାଯାଇଛି।

ବାଲୁକା କଳା ମାଧ୍ୟମରେ ପୁରୀ ପରେପରେ ବିଶାଖାପାଟଣା ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେହିପରି ଜାନୁଆରି ୧୫ ତାରିଖରେ ତିରୁବନନ୍ତପୁରମ୍, ୧୬ରେ ଚେନ୍ନାଇ ଏବଂ ୨୧ ତାରିଖରେ ଗୋଆ ବେଳାଭୂମିରେ ଏହି ବାଲୁକା କଳା ପ୍ରଦର୍ଶନ କରାଯିବ। ଏହି ଅଭିଯାନର ନାଁ ରଖାଯାଇଛି ‘ତିରୁକୁରାଳ ବିଅଣ୍ଡ ବଡରସ୍’।

ପୁରୀରେ ୬ ତାରିଖ ଦିନ ପ୍ରଦର୍ଶିତ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ  ଜେନେରାଲ୍ ଆର୍.ଅମ୍ବଳଭନନ୍। ଏହି ଅବସରରେ ଭୁବନେଶ୍ଵର ତାମିଲ୍ ସଙ୍ଗମର ସଭାପତି ଏସ୍.ଦୁରାଇ ସ୍ୱାମୀ, ସାଧାରଣ ସମ୍ପାଦକ ଟି.ବି.ଟି ଅନସାରୀ, ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନୀତିନ୍ ଭାନୁଦାସ ଜଓ୍ବାଲେ ପ୍ରମୁଖ ଉପସ୍ଥିତ ଥିଲେ।

ରବିବାର ଦିନ ବିଶାଖାପାଟଣାର ଆରକେ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିଲେ ତିରୁଭଲ୍ଲୁଭରଙ୍କ ଉପରେ ବିଶେଷ ବାଲୁକା କଳା। ୧୫ଫୁଟ ଚଉଡା ଏବଂ ୫ଫଟ୍ ଉଚ୍ଚତା ବିଶିଷ୍ଟ ଏହି ବାଲୁକା ଶିଳ୍ପ ଶହଶହ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ସ୍ଥାନୀୟ ମୁନୁସିପାଲ୍ କମିଶନର୍ ଏମ୍.ହରିନାରାୟଣନ୍ ଲୋକାର୍ପିତ କରିଥିଲେ। ସେଠାରେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ତାମିଲ କଲାଇ ମନ୍ଦରମ୍ ଅନୁଷ୍ଠାନ।

“ଆଜିଠାରୁ ୨୦୦୦ରୁ ଅଧିକ ବର୍ଷ ତଳେ ତାମିଲ୍ କବି ତିରୁଭଲ୍ଲୁଭର ତାଙ୍କ ମହାକାବ୍ୟ ତିରୁକୁରାଳ ଲେଖିଥିଲେ। ଏହା ଏକ କାଳଜୟୀ ସାହିତ୍ୟ ଭାବେ ପରିଚିତ। ଜାତି, ଧର୍ମ, ବର୍ଣ୍ଣ, ଭାଷା ଏବଂ ଭୌଗୋଳିକ ପରିସୀମା ମଧ୍ୟରେ ସୀମାବଦ୍ଧ ହେଉନଥିବା ଏହି ସାହିତ୍ୟ ଆଜି ବି ବେଶ୍ ପ୍ରାସଙ୍ଗିକ“, ଓଡ଼ିଶାଲାଇଭକୁ କହିଛନ୍ତି  ତାମିଲ୍ ସାହିତ୍ୟର ଗବେଷକ ତଥା ଅତିରିକ୍ତ ଶାସନ ସଚିବ ଓ ଡେଭେଲପମେଣ୍ଟ୍ କମିଶନର୍ ଆର୍.ବାଲକ୍ରିଷ୍ଣନ୍।

“ତିରୁଭଲ୍ଲୁଭରଙ୍କ ସାହିତ୍ୟ ବାସ୍ତବରେ ବିଶ୍ଵମୁଖୀ ଏବଂ କାଳଜୟୀ। ସେହିପରି ତିରୁକୁରାଳକୁ ଆମେ ବିଶ୍ଵସାହିତ୍ୟ ହିସାବରେ ଉପସ୍ଥାପନ କରିପାରିବା, ଯାହାକି ବସୁଧୈବ କୁଟୁମ୍ବକମର ଆଦର୍ଶର କଥା କହେ। ତେଣୁ ଏହି ବିଶ୍ଵସାହିତ୍ୟକୁ ଆଜି ପୃଥବୀର ବିଭିନ୍ନ କୋଣରେ ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ହେଉଛି ତାହା ପ୍ରଶଂସନୀୟ”, କହିଛନ୍ତି ଶ୍ରୀ ବାଲକ୍ରିଷ୍ଣନ୍।

ତିରୁଭଲ୍ଲୁଭରଙ୍କ ତିରୁକୁରାଳ ପ୍ରେମ, ଶାନ୍ତି, ମାନବତା, ବିଶ୍ଵଭ୍ରାତୃତ୍ବ ଏବଂ ସଦଭାବନାର କଥା କହେ। ଏହି ମହାକାବ୍ୟରେ ରହିଛି ୧୩୩ଟି ଅଧ୍ୟାୟ ଏବଂ ପ୍ରତ୍ୟେକଟି ଅଧ୍ୟାୟ ୧୦ଟି ପଦ ସମ୍ବଳିତ। ତିରୁକୁରାଳ ସାହିତ୍ୟ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ। ତାହା ହେଉଛି ଆଦର୍ଶ, ଅର୍ଥନୀତି ଏବଂ ପ୍ରେମ। ଏହାକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସାହିତ୍ୟ ଭାବେ ଉପସ୍ଥାପନ କରିବା ସହ ଆଜି ହଜାର ହଜାର ତିରୁଭଲ୍ଲୁଭରପ୍ରେମୀ ସାରା ପୃଥିବୀରେ ଏହାର ପ୍ରଚାର-ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଜି ପ୍ରାୟ ୧୧୭ରୁ ଅଧିକ ଭାଷାରେ ଏହି ସାହିତ୍ୟର ଅନୁବାଦ ହୋଇଛି।

“କୌଣସି ଜାତି, ଧର୍ମ, ଆଦର୍ଶ, ରାଜନୈତିକ ଭାବନା ବା ଭୌଗୋଳିକ ପରିସୀମା ମଧ୍ୟରେ ତିରୁକୁରାଳ ସୀମାବଦ୍ଧ ନୁହେଁ। ତେଣୁ ଏଭଳି ଏକ ମହାକାବ୍ୟକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭୁବନେଶ୍ଵର ତାମିଲ୍ ସଙ୍ଗମ ପକ୍ଷରୁ ବାଲୁକା କଳାକୁ ଏକ ସଫଲ ମାଧ୍ୟମ ହିସାବରେ ଘ୍ୟଡଣ କରାଯାଇଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳ୍ପନା ଓ କାରୁକଳା ଭିତରେ ମହାକବିଙ୍କୁ ଉପସ୍ଥାପନ କରିବା ଆମ ପାଇଁ ମଧ୍ୟ ଏକ ବିଶେଷ ଅନୁଭବ,” ଓଡ଼ିଶାଲାଇଭ୍ ସହ କଥାବାର୍ତ୍ତାବେଳେ କହିଛନ୍ତି ସଙ୍ଗମର ସାଧାରଣ ସମ୍ପାଦକ ଟି.ବି.ଟି ଅନସାରୀ।

ଭୁବନେଶ୍ଵର ତାମିଲ୍ ସଙ୍ଗମ ଏଠାରେ ରହୁଥିବା ତାମିଲ୍ ଭାଷାଭାଷୀଙ୍କ ସାମାଜିକ ଓ ସାଂସ୍କୃତିକ ସଂଗଠନ ଭାବେ ୧୯୯୨ ମସିହାରୁ କାମ କରିଆସୁଛି। ଏହାର ୫୦୦ରୁ ଅଧିକ ସଦ୍ୟ ଅଛନ୍ତି। ତେବେ ଭୁବନେଶ୍ଵର ବାହାରେ କଟକ, ରାଉରକେଲା, ପାରାଦୀପ, ରାୟଗଡା, ନବରଙ୍ଗପୁର ଏବଂ ବ୍ରହ୍ମପୁର ଆଦି ସ୍ଥାନରେ ପ୍ରାୟ ୨୦୦୦ରୁ ଅଧିକ ତାମିଲ୍ ପରିବାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏହି ଅନୁଷ୍ଠାନ ସହ ଯୋଡି ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି ଶ୍ରୀ ଅନସାରୀ।

Comment