ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାନୁଆରୀ ୧୪ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’
  • ଉଦଘାଟନ କରିବେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ବର: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଅନୁଷ୍ଠିତ ହେବ। ଜାନୁଆରୀ ୧୪ତାରିଖରେ ଭୁବନେଶ୍ଵର କିଟ୍ ବିଶ୍ଵବିଦ୍ୟାଳୟ, କନଭେନସନ୍ ସେଣ୍ଟର, କ୍ୟାମ୍ପସ୍-୬ଠାରେ ଆୟୋଜିତ ହେବ ‘କାଦମ୍ବିନୀ ସାହିତ୍ୟ’ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’ ଓ ‘କୁନିକୁନି ମେଳା’।

ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତୁନୁ କୁମାର ଆଚାର୍ଯ୍ୟ ଏହି ଉତ୍ସବରେ ସଭାପତିତ୍ଵ କରିବେ। ଏହି ସାରସ୍ଵତ ସମାରୋହକୁ ଉଦଘାଟନ କରିବେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ।

ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଓ ଅଭିନେତ୍ରୀ ଡକ୍ଟର ମାଳବିକା ରାୟଙ୍କ ସଭାପତିତ୍ଵରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଆଲୋଚକ ଭାବେ ଯୋଗଦେବେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଓ ସମାଜସେବୀ ସଇଦା ହମିଦ୍। ଏହାସହ କିନ୍ନର ସମାଜର ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ବିଶିଷ୍ଟ କବୟତ୍ରୀ ଓ ଆଲୋଚିକା ସୁକ୍ରିତା ପଲ୍ କୁମାର ଓ ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକା ଡକ୍ଟର ବନିତା।

ଏହି ଅବସରରେ କବି ସୌଭାଗ୍ୟ କୁମାର ମିଶ୍ରଙ୍କୁ ‘କାଦମ୍ବିନୀ ସାରସ୍ଵତ ସମ୍ମାନ-୨୦୧୮’ ପ୍ରଦାନ କରାଯିବ। ସେହିପରି ‘ଶତଭିଷା’ ପତ୍ରିକାର ସମ୍ପାଦିକା ଓ ଅନୁବାଦିକା ଶକୁନ୍ତଳା ବଳିଆରସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ପ୍ରଦାନ କରାଯିବ। ସାହିତ୍ୟିକ ସୁରେନ୍ଦ୍ର ମହାରଣା, ସାହିତ୍ୟିକା ଅଳକା ଚାନ୍ଦ, ସାହିତ୍ୟିକ ଅଚ୍ୟୁତାନନ୍ଦ ସାମଲ ଓ ସାହିତ୍ୟିକ ପ୍ରସନ୍ନ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ‘କାଦମ୍ବିନୀ ପତ୍ରିକା ହାଟ’ରେ ଓଡ଼ିଶାର ପ୍ରାୟ ସମସ୍ତ ପତ୍ରିକା ସହ ଅନ୍ୟ ରାଜ୍ୟର ପତ୍ରିକା ସାମିଲ୍ ହେବ।

ଏଥିସହିତ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ ତରଫରୁ ପିଲାମାନଙ୍କୁ ନେଇ ‘କୁନାକୁନି ମେଳା’ ମଧ୍ୟ ଅନୁଷ୍ଠିତ ହେବ।

ରାଜ୍ୟର ବିଭିନ୍ନ ଅଞ୍ଚଳର କୁନିକୁନି ଶିଶୁମାନେ ଏହି ପ୍ରତିଯୋଗିତାମୂଳକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସର୍ବସାଧାରଣଙ୍କ ପାଇଁ ‘ପତ୍ରିକା ହାଟ’ ବୁଲିବାର ସମୟ ରହିଛି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା।

1 COMMENT

Comment