ଓଡ଼ିଶାଲାଇଭ୍ ବ୍ୟୁରୋ

୧୧୨ ସହରରେ ବସବାସ କରୁଥିବା ୭୦ଲକ୍ଷ ଲୋକଙ୍କ ଘରକୁ  ପାଣି ସଂଯୋଗ

ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଣି ସମସ୍ୟା ଆସନ୍ତା ୨୦୧୯ ମାର୍ଚ୍ଚମାସ ସୁଦ୍ଧା ଦୂର ହେବ। ୧୧୨ ସହରରେ ବସବାସ କରୁଥିବା ୭୦ଲକ୍ଷ ଲୋକଙ୍କ ଘରକୁ  ପାଣି ସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ଜନସ୍ଵାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି।

ସହରାଞ୍ଚଳ ଲୋକଙ୍କୁ ପାଇପ୍ ପାଣି ଯୋଗାଇ ଦେବା ପାଇଁ ଏବେ ରାଜ୍ୟରେ ୨୭୦୦କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ରାଜ୍ୟରେ ୧୦୮୯ କୋଟି ଟଙ୍କାରେ ଚାଲିଥିବା ବୃହତ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଆସନ୍ତା ୨୦୧୯ ମାର୍ଚ୍ଚମାସରେ ଶେଷ ହେବ। ବ୍ରହ୍ମପୁର ସହର ଓ ଆଖପାଖ ଲୋକଙ୍କ ପାଇଁ ୪୩୧କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ଆସନ୍ତା ନଭେମ୍ବରରେ ଶେଷ ହେବ। ବାରିପଦା, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ସହରାଞ୍ଚଳ ପାଇଁ ୩୧୮କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି। ସେହିପରି ବ୍ରଜରାଜନଗର ଓ ବେଲପାହାଡ଼ ପାଇଁ ୨୨୮କୋଟି, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଓ ବୀରମିତ୍ରପୁର ପାଇଁ ୧୧୪କୋଟି ଟଙ୍କାରେ ନିର୍ମାଣ ହେଉଥିବା ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comment