ଓଡ଼ିଶାଲାଇଭ୍ ବ୍ୟୁରୋ 

  • ମୋଟ୍ ୨୯୩ ଷ୍ଟଲ
  • ବ୍ୟବସାୟ ପାଖାପାଖି ୧୨କୋଟି ଟଙ୍କା ହେବ ବୋଲି ଆକଳନ

ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳାରେ ଏକତ୍ରିତ ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅନେକ ବ୍ୟବସାୟୀ। ବିଭିନ୍ନ ରକମର ଜିନିଷ କିଣିବା  ପାଇଁ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀଙ୍କ ଭିଡ଼ ବେଶ୍ ଜମୁଛି। ମୋଟ୍ ୨୯୩ ଷ୍ଟଲରେ ଘରକରଣା ଜିନିଷର ସମ୍ଭାର ଏହି ଶିଶିର ସରସ ମେଳା।

ରାଜ୍ୟ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ଓରମାସ୍ ପକ୍ଷଣଉ ଆୟୋଜିତ ଏହି ଜାତୀୟ ପାରମ୍ପରିକ ବଜାର  ଶିଶିର ସରସରେ  ବ୍ୟବସାୟ ବର୍ଷକୁ ବର୍ଷ ବଢ଼ିଚାଲିଛି। ଲୋକପ୍ରିୟତା ମଧ୍ୟ ହାସଲ କରିଛି। ଗତ କିଛିବର୍ଷର ପରିସଂଖ୍ୟାନ ଅନୁଯାୟୀ ୨୦୧୭ରେ ୯ କୋଟି ୫୬ଲକ୍ଷ ଟଙ୍କା, ୨୦୧୬ରେ ୧୧କୋଟି ୪୪ଲକ୍ଷ ଟଙ୍କା, ୨୦୧୫ରେ ୧୦କୋଟି ୨୬ଲକ୍ଷ ଟଙ୍କା, ୨୦୧୪ରେ ୮କୋଟି ୧୨ଲକ୍ଷ ଟଙ୍କା ଓ ୨୦୧୩ରେ ୬କୋଟି ୪ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା। ତେଣୁ ଏ ବର୍ଷ ଓରମାସ୍‌ର ରଜକ ଜୟନ୍ତୀ ହୋଇଥିବାରୁ ବ୍ୟବସାୟ ପାଖାପାଖି ୧୨କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଶିଶିର ସରସ ମେଳାରେ ସାରା ଦେଶର ବିଭିନ୍ନ ରକମର ପାରମ୍ପରିକ ସାମଗ୍ରୀ ବିଛେଇ ହୋଇ ପଡ଼ିଛି।  ଗୃହ ଉପକରଣ, ପାରମ୍ପରିକ ଖାଦ୍ୟ, ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏଠାରେ ଶସ୍ତା, ସୁନ୍ଦର ଓ ମଜଭୁତ ବୋଲି ଅନେକ ଗ୍ରାହକଙ୍କର ମତ।

ଭାଗଲପୁର ଶାଢ଼ି, ଆନ୍ଧ୍ରପ୍ରଦେଶର ସାଉଥ୍ କଟନ୍, ଗୁଜୁରାଟର ବ୍ୟାଗ୍, ଅରୁଣାଚଳ ପ୍ରଦେଶର ସୋଲ ନିର୍ମିତ ଡ୍ରାଏ ଫ୍ଲାୱାର, ରାଜସ୍ଥାନ ଜୋତା, ମଣିପୁରର ଶୀତ ବସ୍ତ୍ରର ଷ୍ଟଲ ସମେତ ଓଡ଼ିଶା କନ୍ଧମାଳର ହଳଦୀ, ବାଲେଶ୍ୱରର ଟେରାକୋଟା ସାମଗ୍ରୀ, କେନ୍ଦୁଝରର ଫୁଲବଡ଼ି, ବ୍ରହ୍ମପୁର ଆଚାର, ସମ୍ବଲପୁରୀ ଶାଢ଼ି ଥିବା ଷ୍ଟଲଗୁଡ଼ିକରେ ଗ୍ରାହକଙ୍କର ଭିଡ଼ ଜମୁଛି।

ଜିନିଷପତ୍ର କିଣାକିଣି ପରେ ଗ୍ରାହକମାନେ ଆକର୍ଷିତ ହୋଇ ଯାଉଛନ୍ତି ଫୁଡ୍ ଷ୍ଟଲଗୁଡ଼ିକରେ ଥିବା କାଉଣ୍ଟର ପାଖକୁ। ବାରିପଦାର ମୁଢ଼ିମାଂସ ହେଉ ବା ଅନ୍ୟ ଜିଲ୍ଲାର ମଟନ୍, ଚକୁଳି, ବିଭିନ୍ନ ପ୍ରକାରର ପିଠା ସହ ଚଟ୍‌ପଟି ଖାଦ୍ୟର  ନିଆରା ମଜାକୁ ଶୀତୁଆ ସନ୍ଧ୍ୟାରେ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ରାଜଧାନୀର ସବୁ ବର୍ଗ ଓ ସବୁ ବୟସର ଗ୍ରାହକ।

 

Comment