ଓଡ଼ିଶାଲାଇଭ୍ ବ୍ୟୁରୋ

ହୁସିଆର୍ ସରକାରୀ ବାବୁ। ବେନାମି ସମ୍ପତ୍ତି ରଖିଥିଲେ ଭୋଗିବାକୁ ପଡିବ ଜେଲ୍।

ବେନାମି ସମ୍ପତି ରଖୁଥିବା ବାବୁମାନେ ଏଣିକି ସଚେତନ ହୋଇଯାନ୍ତୁ। ନଚେତ୍ ଭୋଗିବାକୁ ପଡିପାରେ ଜେଲ୍ ଦଣ୍ଡ। ଏଭଳି ସୂଚନା ଦେଇଛନ୍ତି ଆୟକର ବିଭାଗ ।

ଲଗାତାର ବେନାମି ସମ୍ପତି ବିରୋଧରେ ସରକାର ନିଜ ଅଭିଯାନ ଜାରି ରଖିଛନ୍ତି। ଆୟକର ବିଭାଗ ସାଧାରଣ ଲୋକଙ୍କୁ ବେନାମି ସମ୍ପତିରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। ଏଥିରେ ଖିଲାପ୍ କଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ୍ ଯିବାକୁ ପଡିବ ତା’ସହ ଜୋରିମନା ବି ଦେବାକୁ ପଡିପାରେ। ଦେଶର ପ୍ରମୁଖ ସମ୍ବାଦପତ୍ରଗୁଡିକରେ ବିଜ୍ଞାପନ ମାଧ୍ୟମରେ ଏହି ଆଲର୍ଟ ଜାରି କରିଛନ୍ତି ଆୟକର ବିଭାଗ।

ବିଭିନ୍ନ ସମ୍ବାଦପତ୍ରରେ ‘ବେନାମି ସମ୍ପତ୍ତିରୁ ଦୂରେଇ’ ରୁହନ୍ତୁ ନାମକ ଶୀର୍ଷକ ବିଜ୍ଞାପନ ପ୍ରକାଶିତ ହୋଇଛି। ଏଥିରେ କଳାଧନ ଖିଲାପକାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଆୟକର ବିଭାଗ ନିଜ ବିଜ୍ଞାପନରେ କଳାଧନକୁ ରୋକିବାକୁ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି ବିଜ୍ଞାପନରେ କୁହାଯାଇଛି ଯେ, ଯାହା ନାଁରେ ବେନାମି ସମ୍ପତ୍ତି ରେଜିଷ୍ଟର ହୋଇଛି କିମ୍ବା ଯେଉଁମାନେ ବେନାମି ଲେଣଦେଣ କରନ୍ତି। ସେମାନଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯିବା ସହ ବେନାମି ସମ୍ପତ୍ତି ମାର୍କଟେ ଭାଲ୍ୟୁ ହିସାବରେ ୨୫ପ୍ରତିଶତ ଜୋରିମନା ବି ଲାଗିପାରେ।

ଆୟକର ବିଭାଗ ପକ୍ଷରୁ ୧ ନଭେମ୍ବର ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ୧୮୩୩କୋଟିର ବେନାମି ସମ୍ପତ୍ତି ଜବତ୍ କରାଯାଇଛି ବୋଲି ସୂଚନା ଦିଆଯାଇଛି। ଇତିମଧ୍ୟରେ ବେନାମି ସମ୍ପତ୍ତି ରଖିଥିବା ୫୧୭ଜଣଙ୍କୁ ନୋଟିସ୍ ପଠାଯାଇଥଲା, ୫୪୧ଜଣ ସମ୍ପତ୍ତି ରଖିଥିବା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏଠି ଜଣାଇ ଦିଆଯାଉଛି କି ଆୟକର ବିଭାଗ ପକ୍ଷରୁ ନୂଆ ବେନାମି ସମ୍ପତ୍ତି କିଣାବିକା ସଂଶୋଧନ ଆକ୍ଟ, ୨୦୧୬ ଦ୍ଵାରା ୧ ନଭେମ୍ବର ୨୦୧୬ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଆୟକର ବିଭାଗ।

ବିଜ୍ଞାପନରେ ଆହୁରି ମଧ୍ୟ କୁହାଯାଇଛି କି, ଯେଉଁ ଲୋକ ଏହି ଆଇନ୍ ଅପୁଯାୟୀ ଭୁଲ୍ ତଥ୍ୟ ଉପସ୍ଥାପନ କରିବ, ସେମାନଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡିବ। ଏହାଛଡା ଖିଲାପକାରୀଙ୍କ ବିରୁଦ୍ଧରେ ମାର୍କେଟ୍ ଭାଲ୍ୟୁ ହିସାବରେ ୧୦ପ୍ରତିଶତ ଜୋରିମନା ଲାଗିପାରେ।

Comment