ଓଡ଼ିଶାଲାଇଭ୍ ବ୍ୟୁରୋ

ପକ୍ଷୀଙ୍କ କିଚିରମିଚିର୍ ଶବ୍ଦରେ ଫାଟି ପଡୁଛି ଭିତରକନିକା ଅଭ୍ୟୟାରଣ୍ୟ। ଦେଶ ବିଦେଶରୁ ଅନେକ ପକ୍ଷୀ ଧାଇଁ ଆସୁଛନ୍ତି ଏଠାକୁ। ଶୀତଦିନ ହେବା କ୍ଷଣି କାହିଁ କେଉଁ ଆଡୁ ପକ୍ଷୀ ସବୁ ଉଡି ଆସୁଛନ୍ତି ନିଜ ପ୍ରିୟସ୍ଥାନ ଭିତରକନିକାକୁ। ସେଇତି ପାଇଁ ତ ଏଥର ଜାତୀୟ ଉଦ୍ୟାନରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।  ଏସବୁ ଭିତରେ ଆଜିଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ।

ବଉଳା କୁମ୍ଭୀର ଓ ପକ୍ଷୀଗଣନା ପାଇଁ ଜାନୁଆରୀ ୩ ତାରିଖରୁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । ତେବେ ଆଜିଠାରୁ ଏହା ଖୋଲା ରହିବ। ପୂର୍ବଭଳି ସମସ୍ତ ନିୟମ ଲାଗୁ ହେବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଭିତରକନିକାରେ ଗତବର୍ଷ ଅପେକ୍ଷା ଏବର୍ଷ ଉଭୟ ବଉଳା କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଗତବର୍ଷ ଏଠାରେ ୧୬ଶହ ୮୨ଟି ବଉଳା କୁମ୍ଭୀର ଥିବାବେଳେ ଚଳିତ ବର୍ଷ ୧୬ଟି ବୃଦ୍ଧି ପାଇଁ ଏହା ୧୬୯୮ରେ ପହଞ୍ଚିଛି। ରାଜନଗର, ଭିତରକନିକା, ମହାକାଳପରିଡା ଓ ଗହିରମଥାରେ ରେଞ୍ଜରେ ୨୦ ଟିମ୍ ଓ ୫୪ଟି ସେଗମେଣ୍ଟ ଗଠନ କରାଯାଇ କୁମ୍ଭୀର ଗଣନା କରାଯାଇଥିଲା।

ସେହିପରି ଗତ ୯ତାରିଖରେ ଗୋଟିଏ ଦିନ ପାଇଁ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା। ଏଥିପାଇଁ ୨୬ଟି ଟିମ୍ ଗଠନ କରାଯିବା ସହ ୩୮ଜଣ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଥିଲା। ଗତବର୍ଷ ଅପେକ୍ଷା ଏବର୍ଷ ୨ଟି ନୂଆ ପ୍ରଜାତିର ପକ୍ଷୀ ଓ ୩୬ ହଜାର ୬ ଶହ ୬୯ଟି ଅଧିକ ପକ୍ଷୀ ଭିତରକନିକାରେ ଥିବା ଜଣାପଡିଛି। ଗତବର୍ଷ ପକ୍ଷୀ ସଂଖ୍ୟା ୭୬ହଜାର ୨୮୬ ଥିବାବେଳେ ଏବର୍ଷ ଏହା ୧ଲକ୍ଷ ୧୨ହଜାର ୯୭୩ରେ ପହଞ୍ଚିଛି।

Comment