ଓଡ଼ିଶାଲାଇଭ୍ ବ୍ୟୁରୋ

  ‘ମୁଁ ଆଜି ସକ୍ଷମ, ସ୍ଵାବଲମ୍ବୀ। ମୋ ପରିବାର ଖୁସିରେ ଚଳୁଛି। ସ୍ଵାମୀଙ୍କୁ ମୁଁ ଏବେ ଆର୍ଥିକ ସହଯୋଗ କରିପାରୁଛି। ଭବିଷ୍ୟତ ପାଇଁ ଅଳ୍ପ କିଛି ସଞ୍ଚୟ କରିବାକୁ ସମର୍ଥ ହୋଇଛୁ। ଆମର କିଛି ଅସୁବିଧା ନାହିଁ।’ ଏହା କୌଣସି ସିନେମା କିମ୍ବା ଯାତ୍ରାପାର୍ଟିର ସଂଳାପ ନୁହେଁ। ଏ କଥା ଓଡ଼ିଶା ଲାଇଭକୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ମହିଳା ଉଦ୍ୟୋଗୀ ସନ୍ଧ୍ୟାରାଣୀ ନାୟକ।

ସନ୍ଧ୍ୟାରାଣୀ(୩୧)ଙ୍କ ଘର କେନ୍ଦ୍ରାପଡ଼ା ବ୍ଲକର ଜଜାଙ୍ଗ ଗ୍ରାମରେ। ମାତ୍ର ସପ୍ତମ ଶ୍ରେଣୀ ଯାଏଁ ସେ ପାଠ ପଢ଼ିଛନ୍ତି। ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥିକ ଅନଟନ ପ୍ରତିବନ୍ଧକ ସୃଷ୍ଟି କରିଥିଲା। କିନ୍ତୁ କିଛି ନା କିଛି କହିବାକୁ ସେ ସବୁବେଳେ ଚାହୁଁଥିଲେ। ୨୦୧୩ ମସିହାରେ ଗଠିତ ଶିବ ପାର୍ବତୀ ଉତ୍ପାଦକ ସ୍ଵୟଂ ସହାୟକ ଗୋଷ୍ଠୀରେ  ସେ ସାମିଲ୍ ହୋଇଥିଲେ।

ଏହି ସ୍ବୟଂ ସହାୟକ ଗୋଷ୍ଠୀର କାମ ହେଲା କାଇଁଚ କାଠିରୁ ବିଭିନ୍ନ ଘରକରଣା ଜିନିଷ  ଯେମିତିକି ଗୋଲେଇ ଟୋପି, ଗ୍ଲାସ୍ କଭର୍, ଛୋଟ ଛୋଟ ବକ୍ସ, ଫଳପାଚିଆ, ବିଞ୍ଚଣା ପରି ଭଳି କି ଭଳି ଡିଜାଇନର ଘରସଜ୍ଜା ଜିନିଷ ପ୍ରସ୍ତୁତ କରିବା। ଯାହାକି ବର୍ତ୍ତମାନ ଗ୍ରାହକମାନଙ୍କ ପାଖରେ ବେଶ୍ ଆଦୃତି ଲାଭ କରିଛି ଏବଂ ଗ୍ରାହକମାନେ କମ୍ ଦରରେ ଏଭଳି ସୁନ୍ଦର ସୁନ୍ଦର ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି।

ଏ ବର୍ଷ ଶିଶିର ସରସ ମେଳାରେ ଓରମାସ୍ ପକ୍ଷରୁ ଗୋଲଡେନ୍ ଗ୍ରାସ୍ ବା କାଇଁଚର “ଲାଇଭ୍ ଡେମୋ ସୋ” କରାଯାଉଛି। ଯାହାର ମୁଖ୍ୟ ବିନ୍ଧାଣି ସାଜିଛନ୍ତି ସନ୍ଧ୍ୟାରାଣୀ। ସେ ଶିଶିର ସରସ ମେଳାରେ ବିଭିନ୍ନ ସାମଗ୍ରୀ ବୁଣାବୁଣି କରୁଛନ୍ତି । ସନ୍ଧ୍ୟାରାଣୀ ଓଡ଼ିଶାଲାଇଭକୁ କହିଛନ୍ତି ଯେ ତାଙ୍କ ଗୋଷ୍ଠୀ ଯେଉଁ ଜିନିଷ ସବୁ ଘରେ ତିଆରି କରୁଥିଲେ। ତାକୁ କମ୍ ଟଙ୍କାରେ ବେପାରୀକୁ ଘରପାଖରେ ବିକ୍ରି କରୁଥିଲେ। କିନ୍ତୁ ବିଭିନ୍ନ ପ୍ରଦର୍ଶନୀକୁ ଆସିବା ଫଳରେ ସେ ଜିନିଷକୁ ଦୁଇଗୁଣ ଦାମରେ ବିକୁଛନ୍ତି। ତାଙ୍କ କହିବା କଥା,  ଯେଉଁ ଫୁଲ ଚାଙ୍ଗୁଡ଼ିକୁ ଆଗରୁ ଘର ପାଖର ବେପାରୀକୁ ୨୦ଟଙ୍କାରେ ବିକୁଥିଲେ ଏବେ ସେଇ ଚାଙ୍ଗୁଡ଼ିକୁ ୫୦ଟଙ୍କାରେ ବିକ୍ରି କରୁଛନ୍ତି ଏବଂ ଗ୍ରାହକମାନେ ମଧ୍ୟ ଖୁସିରେ ନେଉଛନ୍ତି। ସନ୍ଧ୍ୟାରାଣୀ ଏବଂ ତାଙ୍କ ଗୋଷ୍ଠୀର ଅନ୍ୟ ମହିଳାମାନେ ମଧ୍ୟ ମାସକୁ ୮ କିମ୍ବା ୯ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଏ ସବୁ ସୁଯୋଗ ଓରମାସ ସେମାନଙ୍କୁ ଯୋଗାଇ ଦେଇଥିବାରୁ ସେମାନେ ରାଜ୍ୟ ସରକାରଙ୍କ ପାଖରେ କୃତଜ୍ଞ ବୋଲି କହିଛନ୍ତି।

ଦିଲ୍ଲୀ, ରାଞ୍ଚି, କଲିକତା, ବିହାର, ଛତିଶଗଡ଼, ପଞ୍ଜାବ ଇତ୍ୟାଦି ରାଜ୍ୟରେ ଅନୁଷ୍ଠିତ ହୋଇ ସାରିଥିବା ବଡ଼ ବଡ଼ ପ୍ରଦର୍ଶନୀରେ ଅଂଶଗ୍ରହଣ କରିସାରିଲେଣି ସନ୍ଧ୍ୟାରାଣୀ। ତାଙ୍କ ମନରେ ଏବେ ପୂର୍ଣ୍ଣ ବିଶ୍ବାସ ଆସିଛି ଯେ ମହିଳାମାନେ ମଧ୍ୟ  ସବୁକିଛି କରିପାରିବେ। ଗାଁ ଗହଳିର ସ୍ତ୍ରୀ ଲୋକ କିଛି କରିପାରିବେନି ବୋଲି ଭାବିବା ଅସମ୍ଭବ। ଦକ୍ଷତା ଏବଂ ନିଷ୍ଠା ସବୁକିଛିକୁ ସମ୍ଭବ କରିପାରିବ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।

ଶିବ ପାର୍ବତୀ ଗ୍ରୁପର ସଦସ୍ୟମାନେ କାଇଁଚ ଗଛକୁ ଗହୀର ବିଲ ଓ ପାଟରୁ ଉତ୍ପାଦନ କରନ୍ତି। କାଇଁଚ ନାମକ ଏକ ଘାସ ଗଛରୁ ଏହା ଅଣାଯାଏ। ବର୍ଷକ ୧୨ମାସରୁ ମାତ୍ର ୩ମାସ ମେ, ଜୁନ୍ ଓ ଜୁଲାଇରେ ଏହା ଅମଳ କରାଯାଏ। ପାଖାପାଖି ୧୦ରୁ ୧୨ କୁଇଣ୍ଟାଲ୍ କାଇଁଚ ଆଣି ଖରାରେ ଶୁଖାଯାଇ ବଛାଯାଏ । ପରେ ଆବଶ୍ୟକ କାଇଁଚ କାଠିକୁ ହଳଦି ଏବଂ ଲାଲ୍ ରଙ୍ଗରେ ରଙ୍ଗୀନ କରାଯାଏ। ଏହାକୁ ସଦସ୍ୟମାନଙ୍କ ଭିତରେ ବଣ୍ଟାଯାଏ। ପ୍ରାୟତଃ ସବୁ ଜିଲ୍ଲାରେ ଶିବ ପାର୍ବତୀ ଉତ୍ପାଦକ ଗୋଷ୍ଠୀର ଜିନିଷ ବିକ୍ରି କରାଯାଉଛି।

(ପ୍ରସ୍ତୁତି: ସତ୍ୟବ୍ରତ ପାଢ଼ୀ)

Comment