ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ପ୍ରଶଂସକଙ୍କୁ କଡ଼ା ଜବାବ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଦକ୍ଷିଣଆଫ୍ରିକା ବିରୁଦ୍ଧରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ସେଞ୍ଚୁରିଅନଠାରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ବିରାଟ କେବଳ ଶତକ ମାରିନାହାନ୍ତି, ୧୫୩ ରନର ପାଳି ଖେଳି ଭାରତକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି। ଦକ୍ଷିଣଆଫ୍ରିକାର ପ୍ରଥମ ଇନିଂଶ ସ୍କୋର ୩୩୫ ରନ୍ ଜବାବରେ ଭାରତ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି। ଭାରତ ପ୍ରଥମ ଇନିଂଶରେ ଦକ୍ଷିଣଆଫ୍ରିକାଠାରୁ ୨୮ରନରେ ପଛରେ ରହିଛି।

ତୃତୀୟ ଦିନର ଖେଳ ଆରମ୍ଭ ହେବା କ୍ଷଣି ସମସ୍ତଙ୍କ ନଜର ଥିଲା ବିରାଟଙ୍କ ଉପରେ। ପୂର୍ବଦିନ ସ୍କୋର ୮୩ ରନରୁ ପାଳି ଆରମ୍ଭ କରି ଜୀବନର ୨୧ତମ ଶତକ ହାସଲ କରିଥଲେ ବିରାଟ। ଏଥିସହ ଦକ୍ଷିଣ ଆଫ୍ରିକା ମାଟିରେ ସଚ୍ଚିନ ତେନ୍ଦୁଲକରଙ୍କ ପରେ ୨ରୁ ଉର୍ଦ୍ଧ୍ବ ଶତକ ତାଲିକାରେ ବିରାଟ ଦ୍ଵିତୀୟ ବ୍ୟାଟ୍ସମ୍ୟାନ୍। ଦକ୍ଷିଣ ଆଫ୍ରିକା ମାଟିରେ ସଚ୍ଚିନ ୫ଥର ଶତକ ମାରିଥିଲେ। ବିରାଟଙ୍କ ଏହି ‘ବିରାଟ’ ଇନିଂଶରେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି। କୌଣସି ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଏହା ସର୍ବାଧିକ ସ୍କୋର। ଏଥପୂର୍ବରୁ ପୂର୍ବତନ ଅଧନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ୯୦ ରନର ସର୍ବାଧିକ ସ୍କୋର ରେକର୍ଡ ଥିଲା। ଯାହାକୁ କୋହଲି ଭାଙ୍ଗିଛନ୍ତି।

୨୦୧୮ର ପ୍ରଥମ ଶତକ ହାସଲ କରିଥିବା ବିରାଟ୍ ନିଜ ୧୫୩ ରନ୍ ଇନିଂଶରେ ୨୦୭ଟି ବଲ୍ ଖେଳି ୧୫ଟି ଚୌକା ମାରିଥିଲେ। ୩ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଟିମ୍ ୧-୦ ପଛରେ ରହିଛି।

Comment