ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୁଷ କୈନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଉଚିତ୍ ସମ୍ମାନ ମିଳେନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୁଏ। ହେଲେ ପଞ୍ଜାବର ହିମ୍ମତପୁରା ଗାଁ ନାରୀ ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶରେ ସୃଷ୍ଟି କରିଛି ନୂଆ ଉଦାହରଣ।

  • ହିମ୍ମତପୁରା ଗାଁରେ ୫୫ ପ୍ରତିଶତ ମହିଳା
  • ସମସ୍ତଙ୍କ ଘର ଆଗରେ ଝୁଲୁଛି ନାମଫଳକ
  • ନାମଫଳରେ ଲେଖା ଯାଇଛି ମହିଳାଙ୍କ ନାମ ଓ ସାମାଜିକ ସ୍ଲୋଗାନ୍
  • ପଞ୍ଚାୟତ ପକ୍ଷରୁ ଗଠନ ହୋଇଛି କର୍ପସ ଫଣ୍ଡ
  • ଝିଅ ଜନ୍ମ ହେଲେ ମିଳୁଛି ୧୧୦୦ ଟଙ୍କା
  • ବାହାଘର ପାଇଁ ମିଳୁଛି ୫୧୦୦ ଟଙ୍କା

ପଞ୍ଜାବର ବାତ୍‌ହିଣ୍ଡା ଜିଲ୍ଲାର ଏକ ଛୋଟିଆ ଗାଁ ହିମ୍ମତପୁରା। ଏବେ ଏହି ଗାଁ ସମଗ୍ର ଦେଶରେ ମହିଳା ସଶକ୍ତିକରଣର ନୂଆ ଉଦାହରଣ ସୃଷ୍ଟି କରିଛି। ପୁରୁଷ କୈନ୍ଦ୍ରୀକ ସମାଜର ଗଣ୍ଡି ଭିତରୁ ଏହି ଗାଁର ମହିଳାମାନେ ମୁକ୍ତ ହୋଇ ନିଜପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର ପରିଚୟ।  ପ୍ରତିଟି ଘର ଆଗରେ ଝୁଲୁଛି ନାମଫଳକ। ସେଥିରେ ଲେଖାଯାଇଛି ସମ୍ପୃକ୍ତ ଘରେ ରହୁଥିବା ସମସ୍ତ ମହିଳାଙ୍କ ନାମ ଓ କିଛି ସାମାଜିକ ସ୍ଲୋଗାନ। ଖାଲି ସେତିକି ନୁହେଁ, ପରିବାରର ପ୍ରତିଟି ଲୋକର ମୋବାଇଲ୍ ନମ୍ବର ମଧ୍ୟ ସ୍ପଷ୍ଟଭାବେ ଏହି ଫଳକରେ ଉଲ୍ଲେଖ କରାଯାଇଛି।

ସମଗ୍ର ପଞ୍ଜାବରେ ବୋଧହୁଏ ଗୋଟିଏ ଗାଁ ହିମ୍ମତପୁରା, ଯେଉଁଠି ମହିଳାମାନଙ୍କୁ ମିଳୁଛି ଉପଯୁକ୍ତ ସମ୍ମାନ। ୨୦୧୫ ଜୁଲାଇମାସରୁ ଏହି ଧାରା ଗାଁରେ ଆରମ୍ଭ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ୨୦୧୬-୧୭ ମସିହାରେ ଏହି ଗାଁର ସେକ୍ସ ରେସିଓ ୮୮୮। ଗାଁର ଲୋକସଂଖ୍ୟାର ୫୫ ପ୍ରତିଶତ ହେଉଛନ୍ତି ମହିଳା।

ଏହି ଛୋଟିଆ ଗାଁର ଲୋକମାନେ ସାଧାରଣତଃ କୃଷି ଉପରେ ନିର୍ଭରଶୀଳ। ଗ୍ରାମସଭାରେ ମହିଳାମାନଙ୍କୁ ଦିଆଯାଉଛି ଅଗ୍ରାଧିକାର। ଗ୍ରାମସଭାର ନିଷ୍ପତ୍ତି ଅନୁସାରେ ପ୍ରତିଟି ଘର ଆଗରେ ଝୁଲୁଛି ନାମଫଳକ।

ଗାଁର ୬୨ଟି ଘର ଅଗରେ ନାମଫଳକ ଲଗାଇବା ପାଇଁ ପଞ୍ଚାୟତସଭ୍ୟ ରୂପ ସିଂହ ୧୦ହଜାର ଟଙ୍କା ଦେଇଥିଲେ। ମହିଳାମାନଙ୍କୁ ଆଗକୁ ବଢିବା ପାଇଁ ପଞ୍ଚାୟତ ପକ୍ଷରୁ ଏକ କର୍ପସ ଫଣ୍ଡ ମଧ୍ୟ ରହିଛି। କୌଣସି ଝିଅର ବାହାଘର ହେଲେ ଏହି ଫଣ୍ଡରୁ ୫୧୦୦ଟଙ୍କା ସହାୟତା ଦିଆଯାଉଛି। ଆଉ ଝିଅ ଜନ୍ମହେଲେ  ମିଳୁଛି ୧୧୦୦ଟଙ୍କା। ଏହା ବ୍ୟତୀତ କୌଣସି ଝିଅ ଶିକ୍ଷା, କ୍ରୀଡ଼ାଭଳି ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କଲେ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଉଛି।

ସରପଞ୍ଚ ମଲକିତ୍ କୌର କହିଛନ୍ତି, ମହିଳାମାନଙ୍କ ଉଦ୍ୟମକୁ ଗାଁର ପୁରୁଷମାନେ ସମର୍ଥନ କରିଥାନ୍ତି। ଗାଁ ଓ ସମାଜର ଉନ୍ନତିରେ ମହିଳାମାନେ ଗ୍ରହଣ କରୁଥିବା କାର୍ଯ୍ୟକ୍ରମରେ ପୁରୁଷ ଲୋକମାନେ ହସ୍ତକ୍ଷେପ କରିନଥାନ୍ତି। ଅତିରିକ୍ତ ଜିଲ୍ଲାପାଳ ଶିନା ଅଗ୍ରୱାଲା ପ୍ରତି କ୍ଷେତ୍ରରେ ମହିଳାମାନଙ୍କୁ ସହଯୋଗ କରୁଛନ୍ତି ବୋଲି ସରପଞ୍ଚ କହିଛନ୍ତି।

ପ୍ରତି ଘର ଆଗରେ ନାମଫଳକ ଝୁଲାଇ ଏହି ଗାଁର ମହିଳାମାନେ ହାତଯୋଡ଼ି ବସିନାହାନ୍ତି, ସେମାନଙ୍କ ଝିଅମାନେ ଯେପରି ଆଗକୁ ବଢିବେ ପ୍ରୟାସ ଚଳାଇଛନ୍ତି। ଝିଅମାନେ ଉଚ୍ଚଶିକ୍ଷା ପାଇବା ଓ କିପରି ସ୍ୱାଧୀନ ଜୀବନଯାପନ କରିପାରିବେ ସେଥିପ୍ରତି ଗାଁର ପ୍ରତିଟି ମହିଳା ବେଶ୍ ସଚେତନ। ଏଭଳି ପରିବର୍ତ୍ତନରେ ଗାଁର ଚରଣଜିତ୍ କୌର ଓ ମହେନ୍ଦ୍ର କୌର ବେଶ୍ ଖୁସି ବୋଲି କହିଛନ୍ତି।

Comment