ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚଶିକ୍ଷାର ମାନବୃଦ୍ଧି ବର୍ତ୍ତମାନ ସମୟର ଆହ୍ଵାନ ଓ ଆବଶ୍ୟକତା। ଓଡ଼ିଶାରେ ଉପଲବ୍ଧ ସାମର୍ଥ୍ୟ ଓ ସମ୍ଭାବନାର ସଫଳ ଉପଯୋଗ ହେବା ଦରକାର। ଏଥିପାଇଁ ବାସ୍ତବାଭିମୁଖୀ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଉପରେ ରାଜ୍ୟପାଳ କୁଳପତି ସମ୍ମିଳନୀରେ ଗୁରୁତ୍ଵ ଦେଇଛନ୍ତି।

ରାଜଭବନରେ ଅନୁଷ୍ଠିତ କୁଳପତିମାନଙ୍କର ସମ୍ମିଳନୀରେ ରାଜ୍ୟପାଳ ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ତ  ଉପଯୋଗୀ ସଂସ୍କାର ଅଣିବାକୁ ପରାମର୍ଶ ଦେଇଛନ୍ତି। ପାଠ୍ୟକ୍ରମରେ ଉନ୍ନତିକରଣ, ବୃତ୍ତି ପ୍ରଦାନ ଓ ଭିତ୍ତିଭୂମିର ଆଧୁନିକୀକରଣ ମାଧ୍ୟମରେ ଦେଶ ତଥା ଦେଶ ବାହାରର ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିହେବ। ଶିକ୍ଷାୟତରେ ଶୈକ୍ଷିକ ବାତାବରଣ ସବୁଠୁ ଗୁରୁତ୍ଵପୂର୍ଣ୍ଣ। ଏଥପାଇଁ ସମସ୍ତ ଅଶୀଂଦାର ନିଜ ନିଜ ସ୍ତରରେ କାର୍ଯ୍ୟ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ଡ. ଏସି ଜମିର ପରାମର୍ଶ ଦେଇଥିଲେ।

ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ବିଶ୍ଵଦିଦ୍ୟାଳୟ କ୍ୟାମ୍ପସରେ ଅନୁରୂପ ଶାନ୍ତି ବଜାୟ ରଖିବା ପାଇଁ ସବୁ ରାଜନୀତିକ ଦଳ ସହମତି ଭିତ୍ତିରେ ଉପାୟ ନିର୍ଦ୍ଧାରଣ କରିବାକୁ ରାଜ୍ୟପାଳ କୁଳପତିମାନଙ୍କୁ ଆହ୍ଵାନ ଦେଇଥିଲେ। ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା ଓ ଗବେଷଣାକୁ ପ୍ରାଧାନ୍ୟ ଦେବା ସହ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟପାଳ କୁଳପତିମାନଙ୍କୁ କହିଥିଲେ।

ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା, ଫଳ ପ୍ରକାଶ ଓ ସାର୍ଟିଫିକେଟ୍  ପ୍ରଦାନ, ଖାଲିଥିବା ପଦବୀ ପୂରଣ ସହ ଆବଶ୍ୟକତା ଅନୁଯାୟୀ ନୂତନ ପଦବୀ ସୃଷ୍ଟି, ପ୍ରତି ବିଶ୍ଵବିଦ୍ୟାଳୟରେ କ୍ରୀଡ଼ା କମ୍ପ୍ଳେକ୍ସ ନିର୍ମାଣ, ଗବେଷଣାକୁ ପ୍ରଧାନ୍ୟ ଦେବା ସହ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ୟୁଜିସି ମଂଜୁରୀ ଓ ଅନୁଦାନର ବିନିଯୋଗ ପ୍ରମାଣପତ୍ର ଠିକ୍ ସମୟରେ ଦେବାକୁ  କୁଳପତିମାନଙ୍କୁ କୁଳାଧୀପତି ତଥା ରାଜ୍ୟପାଳ କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ପ୍ଳେସମେଣ୍ଟ ସେଲ୍‌କୁ ସକ୍ରିୟ କରି ଶିକ୍ଷା ସହ ବଜାର ଓ ଚାହିଦା ମଧ୍ୟରେ ସମନ୍ଵୟ ସ୍ଥାପନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଅଭିଯୋଗ ଶୁଣାଣି ଓ ସମାଧାନ ପଦ୍ଧତିକୁ ଅଧିକ କ୍ରିୟାଶୀଳ କରିବାକୁ ସେ କୁଳପତିମାନଙ୍କୁ କହିଥିଲେ।

ବିଶ୍ଵବିଦ୍ୟାଳୟର ସ୍ଥିତି, ଅଗ୍ରଗତି ଓ ଆବଶ୍ୟକତା ସମ୍ପର୍କରେ କୁଳପତିମାନେ ତଥ୍ୟ ଉପସ୍ଥାପନ କରିଥିଲେ। ସରକାରୀ ସ୍ତରରେ ବିା୍ବବିଦ୍ୟାଳୟର ଆବଶ୍ୟକତାକୁ ତର୍ଜମା କରି ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ବିଭାଗୀୟ ଉଚ୍ଚ ପଦାଧିକାରୀମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ, ସଂସ୍କୃତି ସଚିବ, ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ, ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ, ରାଜ୍ୟପାଳଙ୍କ ଅତିରିକ୍ତ ଶାସନ ସଚିବ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଓଡ଼ିଶାର ୧୫ଟି ବିଶ୍ଵବିଦ୍ୟାଳୟର କୁଳପତି ଏହି ବୈଠକରେ ଉପସ୍ଥିତି ଥିଲେ।

 

 

Comment