ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ନନ୍ଦକିଶୋର ମହାପାତ୍ର
  • ପୁରୀ ମେରାଇନ୍ ଡ୍ରାଇଭରେ ବିଏମଡବ୍ଲୁ ଦୁର୍ଘଟଣା
  • ଘନ କୁହୁଡ଼ି ଓ ଗାଡିର ଅଧିକ ବେଗ ଯୋଗୁଁ ଗଲା ଜୀବନ
  • ଘଟଣାସ୍ଥଳରେ ଜଣଙ୍କ ମୃତ୍ୟ

ଦାମୀ ଓ ବିଳାସପୂର୍ଣ୍ଣ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବ ନାହିଁ ଭାବିବା ଭୁଲ୍। ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଲେ ଦୁର୍ଘଟଣା ହେବ ହିଁ ହେବ। ଆଭିଜାତ୍ୟ ଓ ଆଧୁନିକ ଜୀବନଶୈଳୀ ଯୁବପିଢିଙ୍କୁ ପାଗଳ କରିଦେଇଛି। ଜନ୍ମଦିନ ପାଳନ ପରେ ବିଳମ୍ବିତ ରାତିରେ ସାଙ୍ଗସାଥୀଙ୍କ ମେଳରେ ଲଙ୍ଗ୍‌ ଡ୍ରାଇଭରେ ଯିବା ଓ ଦ୍ରୁତଗତିରେ ଗାଡ଼ି ଚଳାଇ ଖୁସିରେ ମସ୍‌ଗୁଲ ହେବା ଏବେ ଆଭିଜାତ୍ୟର ନମୁନା ବୋଲି କୁହାଯାଉଛି। ଦାମୀ ଓ ଅତ୍ୟାଧୁନିକ ଗାଡ଼ିର ଲକ୍ ସିଷ୍ଟମ ବେଳେବେଳେ ବିପଦର କାରଣ ମଧ୍ୟ ହେଉଛି। ଏହି କାରଣରୁ ହିଁ ପୁରୀ ମେରାଇନ୍ ଡ୍ରାଇଭରେ ଏକ ବିଏମଡବ୍ଲୁ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ଜୀବନ। ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଆଉ ତିନିଜଣ।

ଭୁବନେଶ୍ଵର ନୂଆପଲ୍ଲୀ ଅଞ୍ଚଳର କଳିଙ୍ଗ କେଶରୀ ମହାପାତ୍ର ନିଜ ଜନ୍ମଦିନ ପାଳନ କରିବା ପରେ ବିଳମ୍ବିତ ରାତିରେ ସାଙ୍ଗମାନଙ୍କ ସହ କୋଣାର୍କ ଦେଇ ଯାଉଥିଲେ ପୁରୀ। ତାଙ୍କ  ସାଙ୍ଗରେ ଥିଲେ ଭୁବନେଶ୍ଵର ଅଶୋକ ନଗରର ନନ୍ଦକିଶୋର ମହାପାତ୍ର ଓରଫ୍ ନନ୍ଦୁ, ୟୁନିଟ୍-୬ଅଞ୍ଚଳର ସୁମନ୍ ପାତ୍ର ଓ ସିପ୍ରା ସୋନାଲି ବେହେରା।

ଗାଡ଼ି ପ୍ରଥମେ ଚଳାଉଥିଲେ କଳିଙ୍ଗ। କଳିଙ୍ଗଙ୍କ ପାଖରେ ବସିଥିଲେ ନନ୍ଦକିଶୋର। ଘନ କୁହୁଡ଼ି ଯୋଗୁଁ ସେ ରାସ୍ତା ଦେଖିପାରିନଥିଲେ। ବେଗ ଅଧିକ ଥିବାରୁ ଗାଡ଼ି ନିୟନ୍ତ୍ରଣ ହରାଇ ବସିଥିଲେ।  ନିଆଖିଆ ନଦୀ ନିକଟରେ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲା ମୂଲ୍ୟବାନ୍ କାର। ଗାଡ଼ି ଧକ୍କାରେ ଚେର ସହ ଗଛ ଉପୁଡି ଯାଇଥିଲା। ଘଟଣାସ୍ଥଳରେ ନନ୍ଦୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଚାଳକ କଳିଙ୍ଗ ଓ ପଛସିଟ୍‌ରେ ବସିଥିବା ସିପ୍ରା ଓ ସୁମନ ଚାପି ହୋଇଯାଇଥିଲେ।

କିଛି ଲୋକ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ରାମଚଣ୍ଡୀ ଓ କୋଣାର୍କ ପୁଲିସ୍ ଆହତମାନଙ୍କୁ ଗାଡ଼ିରୁ ବାହାର କରିପାରିନଥିଲେ। ଡକରା ପଡିଥିଲା ପୁରୀ ଦମକଳ ବାହିନୀଙ୍କୁ। ସେମାନେ ଗ୍ୟାସ୍‌କଟରରେ କାଟି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଅତ୍ୟାଧୁନିକ ଗାଡିରେ ବେଲୁନ୍ ଭଳି ରକ୍ଷା କବଚ ଥିଲେ ମଧ୍ୟ ବିପଦ ବେଳେ କାମରେ ଆସିନଥିଲା। ଏଥିପାଇଁ କାର ନିର୍ମାତାଙ୍କୁ ଦୋଷ ଦିଆଯିବ ନା ଗାଡି ଚାଳନାକୁ ଦାୟୀ କରାଯିବ ତାହାହିଁ ବଡ଼ ପ୍ରଶ୍ନ।

Comment