ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଯାତ୍ରାପାର୍ଟି ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ୨୦୧୮ ଜୁଲାଇରୁ ବନ୍ଦ ହେବ ଯାତ୍ରା ପାର୍ଟି
  • ୫ ବର୍ଷ ହେଲା କ୍ଷତି ସହୁଛନ୍ତି ଯାତ୍ରା ମାଲିକ

ଆଉ ଦୁଲୁକିବନି ମଞ୍ଚ। ରାତି ଅଧରେ ଶୁଭିବନି କଳାକାରଙ୍କ ଡାଇଲଗ୍‌। କାରଣ ବନ୍ଦ ହେବାକୁ ଯାଉଛି ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିବା ଯାତ୍ରା ପାର୍ଟି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ଓଡ଼ିଶା ଯାତ୍ରା ପାର୍ଟି ମାଲିକ ସଂଘ। ଏହି ଘୋଷଣା ହେବା ପରେ ଯାତ୍ରାପ୍ରେମୀଙ୍କୁ ଲାଗିଛି ବଡ଼ ଝଟ୍‌କା।

୨୦୧୮ ଜୁଲାଇରୁ ଯାତ୍ରା ପାର୍ଟି ବନ୍ଦ ହେବ ବୋଲି ମାଲିକ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସଂଘ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଯାତ୍ରା ପାର୍ଟିଗୁଡ଼ିକରେ ଯେତିକି ଖର୍ଚ୍ଚ ହେଉଛି ସେହି ତୁଳନାରେ ଆୟ ହୋଇପାରୁ ନାହିଁ। ଯାତ୍ରାପାର୍ଟି ମାଲିକ ଗତ ୫ ବର୍ଷ ହେଲା କ୍ଷତି ସହୁଛନ୍ତି। ଯାତ୍ରାକୁ ଏକ ନୂଆ ପ୍ଲାଟଫର୍ମରେ ଛିଡ଼ା କରିବା ପାଇଁ ଯାତ୍ରା ପାର୍ଟି ମାଲିକମାନେ ଉଦ୍ୟମ ଚଳାଇ ଆସିଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। କ୍ଷତି ବଢ଼ୁଥିବାରୁ ଯାତ୍ରା ପାର୍ଟି ବନ୍ଦ କରାଯିବ।

ସାମ୍ବାଦିକ ସମ୍ମିଳନୀରେ ୨୩ଟି ଯାତ୍ରା ପାର୍ଟିର ମାଲିକମାନେ ଉପସ୍ଥିତ ଥିଲେ। ସଂଘ ନେଇଥିବା ନିଷ୍ପତ୍ତିରେ ଏସବୁ ପାର୍ଟିର ମାଲିକ ସହମତି ପ୍ରକାଶ କରିଥିଲେ।

ଯାତ୍ରାପାର୍ଟି ମାଲିକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ଯାତ୍ରା ପାର୍ଟି ମାଲିକମାନେ ବହୁ କ୍ଷତି ସହୁଛନ୍ତି। ଅନୁଷ୍ଠାନ ଚଳାଇବା ଆଉ ସମ୍ଭବ ହେଉନାହିଁ। ଏଣୁ ସରକାର ଯଦି ଚାହିଁବେ ତାହାଲେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ।”

ରୋଜଗାର ହରାଇବେ ୫ ହଜାର କଳାକାର!

ଯାତ୍ରା ପାର୍ଟି ବନ୍ଦ ହେବା ନେଇ ଆଜି ପାର୍ଟି ମାଲିକମାନେ କରିଥିବା ସାମ୍ବାଦିକ ସମ୍ମିଳନୀରେ ୨୩ଟି ପାର୍ଟିର ମାଲିକ ଉପସ୍ଥିତ ଥିଲେ। ଏହି ୨୩ଟି ପାର୍ଟି ସେମାନଙ୍କ ଅନୁଷ୍ଠାନ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦି ଯାତ୍ରା ଅନୁଷ୍ଠାନ ବନ୍ଦ ହୁଏ ତାହାଲେ ୫ ହଜାର କଳାକାର ରୋଜଗାର ହରାଇବେ। ସେମାନଙ୍କ ଭବିଷ୍ୟତ ଅନ୍ଧାରରେ ରହିଯିବ।

ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ର ସିଇଓ ମଳୟ ମିଶ୍ର କହିଛନ୍ତି, “ଯାତ୍ରା ଦର୍ଶକଙ୍କ ସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ। ହେଲେ କିଛିବର୍ଷ ହେଲା ଗ୍ରାମାଞ୍ଚଳରେ ଯାତ୍ରା ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଉଛି। ସୋସିଆଲ ମିଡିଆ ଏବଂ ଡିଜିଟାଲ ମିଡିଆର ବହୁଳ ବ୍ୟବହାର ଯୋଗୁଁ ନୂଆପିଢ଼ିର ଦର୍ଶକମାନେ ଯାତ୍ରା ଦେଖିବାକୁ ଆସୁ ନାହାନ୍ତି। ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଟିକେଟ ମୂଲ୍ୟ ବୃଦ୍ଧି କରିବାକୁ ସାହସ ହେଉନାହିଁ।”

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଯାତ୍ରା ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ସରକାର ଆଗେଇ ଆସିବା ଦରକାର। ସିନେମା ଭଳି ଯାତ୍ରା ଶିଳ୍ପକୁ ମଧ୍ୟ ସରକାର ସବ୍‌ସିଡ୍‌ ଦେବା ଦରକାର।

ପ୍ରତି ଯାତ୍ରା ପାର୍ଟିରେ ୧୮୫ରୁ ୧୯୦ ଲେଖାଏଁ କଳାକାର ରହିଥାନ୍ତି। ଯଦି ୨୩ଟି ପାର୍ଟି ବନ୍ଦ ହୋଇଯାଏ ତାହାଲେ ପ୍ରାୟ ୫ ହଜାର କଳାକାର କର୍ମ ସଂସ୍ଥାନ ହରାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comment