ଓଡ଼ିଶାଲାଇଭ୍ ବ୍ୟୁରୋ

  • ହେବନି ଖଣ୍ଡଗିରି ମେଳା
  • ନାଟତାମସା, ଦୋକାନ ବଜାରକୁ ନା
  • ପରମ୍ପରା ବଞ୍ଚାଇବାକୁ କେବଳ ପୂଜାବିଧିକୁ ଅନୁମତି

କରୋନା କଟକଣା ପାଇଁ ଏ ବର୍ଷ ହେବନି ବହୁ ପ୍ରସିଦ୍ଧ ଖଣ୍ଡଗିରି ମେଳା।

ଏ ବର୍ଷ ହେବନି ଖଣ୍ଡଗିରି ମେଳା। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ମେଳା ଆୟୋଜନ ଉପରେ ରୋକ ଲଗାଯାଇଛି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମଙ୍ଗଳବାର ମେଳା ହେବନି ବୋଲି ଭୁବନେଶ୍ଵର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଛି। କେବଳ ପରମ୍ପରା ଅନୁଯାୟୀ ପୂଜାବିଧି କରିବାକୁ ବିଏମସି ଅନୁମତି ଦେଇଛି।

ବିଏମସିର ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଖଣ୍ଡଗିରିରେ କୌଣସି ଯାତ୍ରା ପେଣ୍ଡାଲ କିମ୍ଵା ମେଳା ପାଇଁ ଷ୍ଲଲ୍ ପଡ଼ିବ ନାହିଁ। ମେଳା ଆୟୋଜନ ହେଉଥିବା ସ୍ଥାନରେ ବର୍ତ୍ତମାନ ଜାତୀୟ ରାଜପଥ କାର୍ଯ୍ୟ ହେଉଥିବାରୁ ସେଠାରେ ଦୈନିକ ୫୦ ହଜାରରୁ ଅଧିକ ଲୋକ ସମାଗମ ହେବାର ଆକଳନ କରାଯାଉଛି। ତେଣୁ ଏ ବର୍ଷ ଖଣ୍ଡଗିରିରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ।କରୋନା ପାଇଁ ଚଳିତ ବର୍ଷ ଖଣ୍ଡଗିରିର ବହୁ ପ୍ରସିଦ୍ଧ ମାଘକୁମ୍ଭ ମେଳା ହେବ କି ନାହିଁ ତାକୁ ନେଇ ଆଶା ଆଶଙ୍କା ରହିଥିଲା। ପ୍ରତିବର୍ଷ ମେଳାର ଆକର୍ଷଣ ସାଜୁଥିବା ଅପେରା ପାର୍ଟି ପାଇଁ ଏଥର ଅନୁମତି ମିଳିବ କି ନାହିଁ ତାକୁ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଥିଲା। କିନ୍ତୁ ସରକାରଙ୍କର କୋଭିଡ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ଆୟୋଜନ କରାଯାଇପାରିବ ବୋଲି ନିଷ୍ପତ୍ତି ନିଆଗଲା। ଏହା ପରେ ଯାତ୍ରା ପାର୍ଟି କମିଟିମାନେ ସରକାରୀ ନିୟମ ଅନୁସାରେ ଅଧା ଦର୍ଶକରେ ଅପେରା କରାଇବେ ବୋଲି ବିଏମସିକୁ ପ୍ରସ୍ତାବ ଦେଇଥିଲେ।ସେହିପରି ଗୋଟିଏ ସ୍ଥାନରେ ଯାତ୍ରା କଲେ ସେଠାରେ କୋଭିଡ କଟକଣା ପାଳନ କରାଯିବା ସମ୍ଭବ ହେବନାହିଁ ବୋଲି ବିକଳ୍ପ ପନ୍ଥା ଦେଇ ଏକାଧିକ ସ୍ଥାନରେ ଯାତ୍ରା ଆୟୋଜନ କରିବାକୁ ବୈଠକରେ ପ୍ରସ୍ତାବ ଉଠିଥିଲା। ତଥାପି ମେଳା ପାଇଁ ବିଏମସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିଲା। ଏନେଇ ବିଏମସି ପକ୍ଷରୁ ମୁଖ୍ୟ ଶାସନ ସଚିବ ଏବଂ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ସହ ଆଲୋଚନା ଉଭୟଙ୍କ ପରାମର୍ଶ ନିଆଯାଇଥିଲା। ଏହାପରେ ମଙ୍ଗଳବାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବନାହିଁ ବୋଲି ବିଏମସି ବିଜ୍ଞପ୍ତି ଜାରି କରିଛି।

Comment