ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ବଢ଼ିଚାଲିଛି ହସ୍ତତନ୍ତ ସାମଗ୍ରୀର ଚାହିଦା। ହସ୍ତତନ୍ତରେ ତିଆରି କରାଯାଉଥିବା ସୁନ୍ଦର ସୁନ୍ଦର ଶାଢ଼ିର ଲୋକପ୍ରିୟତା ମଧ୍ୟ ବଢ଼ିଚାଲିଛି। କୌଣସି ନାମୀଦାମୀ କମ୍ପାନୀର ବ୍ରାଣ୍ଡଠାରୁ ହାତ ତିଆରି ଶାଢ଼ି ପିନ୍ଧିବାକୁ ଆଜିକାଲିର ଗୃହିଣୀମାନେ ବେଶ୍ ପସନ୍ଦ କରୁଛନ୍ତି। ଏହି ଶାଢ଼ିର ସୁନ୍ଦରତା  ଅନେକଙ୍କୁ ମଧ୍ୟ ଆକୃଷ୍ଟ କରୁଛି। ଶାଢ଼ି କିପରି ତିଆରି ହେଉଛି ତାହା ଏହି ମେଳାରେ ଲାଇଭ୍‌ ଡେମୋ ମାଧ୍ୟମରେ ପ୍ରଦର୍ଶିତ ହେଉଛି।

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଜାତୀୟ ହସ୍ତତନ୍ତ ମେଳାରେ ସାମିଲ ହୋଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ହସ୍ତତନ୍ତ ଶିଳ୍ପୀ। ବିଭିନ୍ନ ରାଜ୍ୟର ଲୋକପ୍ରିୟ ପୋଷାକଗୁଡ଼ିକ ଏଥିରେ ବିକ୍ରି ହେଉଛି। ସବୁ ବର୍ଗ ଏବଂ ବୟସର ଗ୍ରାହକଙ୍କ ପାଇଁ  ଖୋଲିଛି ଏହି ମେଳା। ଲୁଙ୍ଗୀ, ଗାମୁଛା, ଧୋତି, ଶାଢ଼ି ଓ ରୁମାଲଠାରୁ ନେଇ ଅନେକ ଭେରାଇଟିର ପୋଷାକ ଏଠାରେ ଦେଖିବାକୁ ମିଳୁଛି।

ଏହି ମେଳାରେ ବୁଣାକାର ସେବାକେନ୍ଦ୍ରରେ ମୁଖ୍ୟ ଆକର୍ଷଣ ସାଜିଛି ଶାଢ଼ି ତିଆରି କରୁଥିବା ହସ୍ତତନ୍ତ, ଯାହାକୁ ଲାଇଭ ଡେମୋ ବୋଲି କୁହାଯାଉଛି। ଏ ହାତ ତିଆରି ଶାଢ଼ି କିପରି ତିଆରି ହୁଏ ଓ ଏହାକୁ କିପରି ଗ୍ରାହକମାନେ ପସନ୍ଦ କରନ୍ତି ସେ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ସରକାର ଏଭଳି ଆୟୋଜନ କରିଛନ୍ତି।

ଏହି ଲାଇଭ୍‌ ଡେମୋ ପ୍ରଦର୍ଶନ କରୁଛନ୍ତି କନିଷ୍ଠ ବୁଣାକାର ପ୍ରମୋଦ ବେହେରା। ସେ ଲୁମ୍ ପୋଷ୍ଟରେ ଏକାଗ୍ରତାର ସହ ବୁଣି ଚାଲିଥିଲେ ଏକ ଶାଢ଼ି।

ଓଡ଼ିଶା ଲାଇଭକୁ କହିଛନ୍ତି, “ଗୋଟିଏ ଶାଢ଼ି ତିଆରି କରିବା ପାଇଁ ତାଙ୍କୁ ୭ ଦିନରୁ ୬ ମାସ ଲାଗିଥାଏ। ଶାଢ଼ିର ଡିଜାଇନ୍ ଲୁକ୍ ଓ ଏହାର କାମକୁ ନେଇ ସମୟ ଧାର୍ଯ୍ୟ  କରାଯାଏ। ୭୦୦ ଟଙ୍କାରୁ ୫ ଲକ୍ଷ ଏବଂ ତହିଁରୁ ଊର୍ଦ୍ଧ୍ୱ ଶାଢ଼ି ବଜାରରେ ବିକ୍ରି ହୋଇଥାଏ।”

ସେ ଆହୁରି କହିଛନ୍ତି ଯେ ଭାରତରେ  ଏବଂ ଓଡ଼ିଶାରେ ହାତ ତିଆରି ଶାଢ଼ିର ବୁଣିବା ପ୍ରଣାଳୀ ପ୍ରାୟତଃ ଏକପ୍ରକାର। ଯେମିତିକି ଲୁମ ପୋଷ୍ଟରେ  କ୍ଲିବ୍‌ ବିମ୍ ଚାରିକୋଣରେ ଥାଏ। ସେଥିରେ ପାନିଆଁ ଲଗାଯାଇ ସୁତାକୁ ଟାଣି ଭରଣୀ ମଧ୍ୟରେ  ଫାନ୍ଦ ସୃଷ୍ଟି କରାଯାଇ ବୁଣାକାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥାଏ। ଏଥିପାଇଁ ହାତ, ଗୋଡ ଓ ଆଖି ବିଶେଷ ଭାବରେ କାର୍ଯ୍ୟ କରିଥାଏ।

ଏଥିପାଇଁ ବିଭିନ୍ନ ପ୍ରକାର ସୁତା ବ୍ୟବହାର କରାଯାଇଥାଏ। ୨୦ କାଉଣ୍ଟରୁ ୧୪୦ କାଉଣ୍ଟ ପର୍ଯ୍ୟନ୍ତ ସୁତା ବଜାରରେ ମିଳିଥାଏ। କାରିଗର ତାର ମନ ମୁତାବକ ସୁତା ଆଣି ଶାଢ଼ି ବା ବିଭିନ୍ନ ପୋଷାକ ତିଆରି କରିବାରେ ସକ୍ଷମ ହୁଏ। କାଉଣ୍ଟ ଯେତେ ବଢ଼ିଥାଏ ସୁତାର ସୂକ୍ଷ୍ମତା ବା ଫିନିସିଂ ସେତେ ବଢ଼ିଥାଏ। କଟନ୍, ସିଲ୍କ, ଟସରିଆନ୍ ପ୍ରଭୃତିର ସୁତା ବଜାରରେ ଉପଲବ୍ଧ ଥାଏ। ସୁତାକୁ ଡାଇଂ ମାଧ୍ୟମରେ ରଙ୍ଗ କରାଯାଇ ଶାଢ଼ିକୁ ରଙ୍ଗୀନ କରାଯାଏ। ସୁତାର ମୂଲ୍ୟ, ପାରିଶ୍ରମିକ, ସୁନ୍ଦର ଡିଜାଇନକୁ ନେଇ ଶାଢ଼ିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ବୋଲି ପ୍ରମୋଦ ଓଡ଼ିଶାଲାଇଭକୁ କହିଛନ୍ତି।

ସମ୍ବଲପୁରୀ, ବୋମକାଇ, କୋଟପାଡ, ଟାଇ ଆଣ୍ଡ ଡାଇ, ହାବାସପୁଡ଼ି ପରି ବିଭିନ୍ନ ଶାଢ଼ି ବଜାରରେ ଉପଲବ୍ଧ ହେଉଛି। ବଜାରରେ ଦିନକୁ ଦିନ ହସ୍ତତନ୍ତର ଚାହିଦା ବଢ଼ୁଥିବା ହେତୁ ଯୁବପିଢ଼ିମାନେ ଏଥିରେ ଟ୍ରେନିଂ ନେଇ ବ୍ୟବସାୟ ଆରମ୍ଭ କରିପାରିବେ। ସରକାର ମୁଖ୍ୟତଃ ଯୁବପିଢ଼ିମାନଙ୍କ ପାଇଁ ଅବଗତି ନିମନ୍ତେ ଜାତୀୟ ହସ୍ତତନ୍ତ ଶିଳ୍ପ ମେଳାରେ ଲାଇଭ ଡେମୋର ବ୍ୟବସ୍ଥା କରିଛନ୍ତି। ଯୁବପିଢ଼ିମାନେ ମଧ୍ୟ ଏହି ବିଷୟରେ ୩ ମାସରୁ ୬ ମାସ ମଧ୍ୟରେ ତାଲିମ ନେଇପାରିବେ।

ପ୍ରସ୍ତୁତି: ସତ୍ୟବ୍ରତ ପାଢ଼ୀ

Comment