ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପଲିଟିକ୍ସରେ ଷ୍ଟାର ୱାର କିଛି ନୂଆ କଥା ନୁହେଁ। ୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିବା ଏହି ଧାରା ଏବେ ଅବ୍ୟାହତ ରହିଛି। ଅତୀତରେ ବହୁ ଭେଟେରାନ୍ ଅଭିନେତା ବିଜେଡି କ୍ୟାମ୍ପକୁ ଆସି ଚର୍ଚ୍ଚାରେ ରହିବା ପରେ ଏବେ ମିହିର ଦାସ ଏବଂ ଅନୁ ଚୌଧୁରୀଙ୍କ ଭଳି ସେଲିବ୍ରିଟି ବିଜେପି ଶିବିରକୁ ଆସି ମାହୋଲକୁ ଉଷ୍ମ କରିଛନ୍ତି।

ଦକ୍ଷିଣ ଭାରତରେ ଫିଲ୍ମ ତାରକାମାନେ ରାଜନୀତିରେ ପ୍ରବେଶ କରିବା ପରେ ଏହି ଧାରା କିଛି ବର୍ଷ ହେଲା ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି। ଓଡ଼ିଶା ଫିଲ୍ମ ଷ୍ଟାରମାନେ ନିର୍ବାଚନ ରାଜନୀତିରେ ଆଶାନୁରୂପକ ସଫଳତା ପାଇ ନଥିଲେ ମଧ୍ୟ ଭୋଟରମାନଙ୍କ ମନରେ ପ୍ରଭାବ ପକାଇବା ପାଇଁ ଫିଲ୍ମ ତାରକାଙ୍କୁ ବିଭିନ୍ନ ଦଳ ଆପଣାଇ ନେଉଛନ୍ତି।

୨୦୧୪ ନିର୍ବାଚନ ପୂର୍ବରୁ ବହୁ ଷ୍ଟାର ରାଜନୀତିରେ ଏଣ୍ଟ୍ରି କରିଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଏହି ଧାରା ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଆହୁରି ୧୪ ମାସ ବାକିଥିବା ବେଳେ ଷ୍ଟାରମାନଙ୍କୁ ନେଇ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି।

୨୦୧୪ ନିର୍ବାଚନ ବେଳେ ବହୁ ସେଲିବ୍ରିଟି ଶାସକ ବିଜେଡିକୁ ଆସିଥିଲେ। ହେଲେ ୨୦୧୯ ପୂର୍ବରୁ ଭେଟେରାନ୍ ଅଭିନେତା ମିହିର ଦାସ ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ  ବିଜେପି ମୁହାଁ ହୋଇଛନ୍ତି। ଏହି ଦୁଇ ସେଲିବ୍ରିଟି ରାଜନୀତି ଏଣ୍ଟ୍ରି ନେଇ ମାହୋଲ ଗରମ୍ ରହିଛି।

କେଉଁ ଷ୍ଟାର କେଉଁ ପାର୍ଟିରେ?

୨୦୧୪ ନିର୍ବାଚନ ବେଳେ ଏକାଧିକ ତାରକା ରାଜନୀତିକୁ ଆସିଥିବା କୁହାଯାଉଛି। ହେଲେ ୨୦୧୪ ପୂର୍ବରୁ ମଧ୍ୟ କିଛି ହାତଗଣତି ଅଭିନେତା ନିର୍ବାଚନରେ ପ୍ରାର୍ଥୀ ହେବା ସହ ପ୍ରଚାର କରିଥିବା ନଜିର ରହିଛି।

ପ୍ରଶାନ୍ତ ନନ୍ଦ: ଓଲିଉଡର ଭେଟେରାନ୍ କଳାକାର ଭାବେ ପ୍ରଶାନ୍ତ ନନ୍ଦଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ଦୀର୍ଘଦିନ ଧରି ସେ ରୂପେଲି ପରଦାରେ ଅଭିନୟ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୦ ମସିହାରେ ପ୍ରଶାନ୍ତ ବିଜେପିରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। ହେଲେ କିଛି କାରଣ ପାଇଁ ପ୍ରଶାନ୍ତ ବିଜେପି ଛାଡ଼ି ଏନ୍‌ସିପିରେ ସାମିଲ୍‌ ହୋଇଥିଲେ। ଏନ୍‌ସିପି ଟିକେଟରେ ମଧ୍ୟ ସେ ବିଧାୟକ ହୋଇଥିଲେ ୨୦୦୪ରେ। ଏବେ ସେ ଏନ୍‌ସିପି ଛାଡ଼ି ବିଜେଡିରେ ଅଛନ୍ତି।

ମୁନ୍ନା ଖାଁ: ଅଭିନେତା ନେତା ହୋଇଥିବା ମୁନ୍ନା ଖାଁ ଏବେ ଶାସକ ବିଜେଡିରେ। ଯଦିଓ ସେ ବିଧାୟକ ଏବଂ ସାଂସଦ ଟିକେଟ ପାଇ ନାହାନ୍ତି, ହେଲେ ତାଙ୍କୁ ଦଳ କେବେ ଅଣଦେଖା କରି ନଥିବା କୁହାଯାଉଛି। ମୁନ୍ନା ଖାଁ ଅତୀତଗରେ ଚଳଚ୍ଚିତ୍ର ଉନ୍ନୟନ ବୋର୍ଡ ଅଧ୍ୟକ୍ଷ ରହିଥିବା ବେଳେ ଏବେ ବିଜେଡି ସଂଖ୍ୟାଲଘୁ ସେଲ୍‌ର ସଭାପତି ଅଛନ୍ତି।

ସିଦ୍ଧାନ୍ତ ମହାପାତ୍ର: ପ୍ରଶାନ୍ତ ନନ୍ଦଙ୍କ ପରେ ବିଜେଡି ଆସିଥିଲେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ରୂପେଲି ପରଦାରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଘର କରିଥିବା ସିଦ୍ଧାନ୍ତ ୨୦୦୯ରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବି ସିଦ୍ଧାନ୍ତ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ଆକାଶ ଦାସନାୟକ: ୨୦୧୪ ନିର୍ବାଚନରେ ଯାଜପୁର ଜିଲ୍ଲା କୋରାଇ ନିର୍ବାଚନମଣ୍ଡଳୀରୁ ବିଜେଡିରୁ ବିଧାୟକ ଟିକେଟ ପାଇଥିଲେ ଆକାଶ ଦାସନାୟକ। ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଆଗରେ ଦେଖିବାକୁ ମିଳୁଛି। ଆକାଶ ବିଜେଡିର ଷ୍ଟାର କ୍ୟାମ୍ପେନର ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି।

ଅନୁଭବ ମହାନ୍ତି: ୨୦୧୩ରେ ବିଜେଡିରେ ସାମିଲ୍ ହୋଇଥିବା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୧୪ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏହାସହ ଅନୁଭବ ବିଜେଡିର ଷ୍ଟାର କ୍ୟାମ୍ପେନର ଭାବେ ବିଭିନ୍ନ ପ୍ରଚାରରେ ପ୍ରଚାର କରିଛନ୍ତି। ଯୁବ ଏବଂ ଛାତ୍ର ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଭବ ଆଗରେ ରହୁଛନ୍ତି।

ପପୁ ପମ୍‌ ପମ୍‌: ଉଲିଉଡ ଇଣ୍ଡଷ୍ଟ୍ରୀରେ ଜଣାଶୁଣା ହାସ୍ୟଭିନେତା ଭାବେ ସୁନାମ ଅର୍ଜନ କରିଥିବା ପପୁ ପମ୍‌ ପମ୍‌ ଓରଫ୍ ତତ୍ତ୍ୱ ପ୍ରକାଶ ଶତପଥୀ ୨୦୧୪ରେ ବିଜେଡି ଟିକେଟ ପାଇଥିଲେ। କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ନିର୍ବାଚନରେ ପରାଜିତ ହୋଇଥିଲେ।

ନିର୍ବାଚନରେ ହାରିବା ପରେ ପପୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଥିଲେ। ଷ୍ଟାର ପ୍ରଚାରକ ଭାବେ ସେ ବିଭିନ୍ନ ନିର୍ବାଚନରେ ପ୍ରଚାର କରୁଥିଲେ। ହେଲେ କାଷ୍ଟିଂ କାଉଚ ଅଭିଯୋଗରେ ବିବାଦୀୟ ହୋଇ ପଡ଼ିବା ପରେ ପପୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି।

ଅପରାଜିତା ମହାନ୍ତି: ୨୦୧୪ ଭୋଟରେ ଭେଟେରାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ଅପରାଜିତା ହାରି ଯାଇଥିଲେ। ପରାଜିତ ହେବା ପରେ ଅପରାଜିତାଙ୍କୁ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ସେ ଏବେ କୌଣସି ପାର୍ଟିରେ ନଥିବା କୁହାଯାଉଛି।

ବିଜୟ ମହାନ୍ତି: ଭୁବନେ୍ଶ୍ୱର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଜଣାଶୁଣା ଅଭିନେତା ବିଜୟ ମହାନ୍ତି। କଂଗ୍ରେସ ଦଳରୁ ସେ ପ୍ରାର୍ଥୀ ହୋଇଥିଲେ। ହେଲେ ବିଜୟ ପରାଜିତ ହୋଇଯାଇଥିଲେ। ଅପରାଜିତାଙ୍କ ପରି ବିଜୟଙ୍କୁ ମଧ୍ୟ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନି।

ଶ୍ରୀତମ ଦାସ: ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ ଅଭିନେତା ଶ୍ରୀତମ ଦାସ। ତାଙ୍କୁ ବିଜେପି ଟିକେଟ ଦେଇ ନଥିଲେ ମଧ୍ୟ ସେ ବିଜେପିର ଷ୍ଟାର କ୍ୟାମ୍ପେନର ଭାବେ ଆଗରେ ରହିଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ଶ୍ରୀତମ ଗାଁ ଗାଁ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ପିଙ୍କି ପ୍ରଧାନ: ଉପସ୍ଥାପିକା ଭାବେ ଜଣାଶୁଣା ପିଙ୍କି ପ୍ରଧାନ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ। ଶ୍ରୀତମ ଦାସଙ୍କ ଭଳି ପିଙ୍କି ଦଳର ଷ୍ଟାର ପ୍ରଚାରକର ମଙ୍ଗ ଧରିଥିଲେ। ପଞ୍ଚାୟତ ନିର୍ବାଚନରେ ପିଙ୍କି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ନଜିର ରହିଛି। ଏବେ ବିଜେପି ପିଙ୍କିଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି।

ଏହି ଅଭିନେତାମାନେ ରାଜନୀତିରେ ଏଣ୍ଟ୍ରି କର ଚର୍ଚ୍ଚାରେ ରହିଛନ୍ତି। ଏହାସହ ଉତ୍ତମ ମହାନ୍ତି, ଅସିତ ପତି ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଛନ୍ତି। ହେଲେ ସେମାନଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନି।

Comment